ରାଜ୍ୟ

ସୂଚନା ଓ ଲୋକସମ୍ପର୍କ ନିର୍ଦ୍ଦେଶକ ଦାୟିତ୍ୱ ନେଲେ କୃପାସିନ୍ଧୁ ମିଶ୍ର

Posted on

ଭୁବନେଶ୍ୱର(ଓଡ଼ିଶା ୱେୟାର): କାର୍ଯ୍ୟକ୍ଷେତ୍ରରେ ଶୃଙ୍ଖଳା ଓ ଅନୁରାଗ ବଳରେ ଅଧିକାରୀମାନେ ବିଶେଷ ଦକ୍ଷ ଓ ପ୍ରତିବଦ୍ଧ ହୋଇପାରିବେ। ସେଥିପାଇଁ କର୍ମସଂସ୍କୃତି, ସମୟାନୁବର୍ତ୍ତିତା ଓ ଦାୟିତ୍ୱବୋଧ ଉପରେ ଗୁରୁତ୍ୱ ଦେଇ ବିଭାଗର ପ୍ରତିଷ୍ଠା ସୁଦୃଢ଼ କରିବା ନିମନ୍ତେ ସୂଚନା ଓ ଲୋକସଂପର୍କ ବିଭାଗର ନୂତନ ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର ପରାମର୍ଶ ଦେଇଛନ୍ତି।
ଆଜି ପୂର୍ବାହ୍ନରେ ଦାୟିତ୍ୱ ଗ୍ରହଣ ସମୟରେ ଶ୍ରୀ ମିଶ୍ରଙ୍କୁ ବିଭାଗୀୟ ବରିଷ୍ଠ ପଦାଧିକାରୀ ତଥା କର୍ମଚାରୀମାନେ ଲୋକସଂପର୍କ ଭବନଠାରେ ସ୍ୱାଗତ ଜଣାଇଥିଲେ। ଅପରାହ୍ନରେ ଅଧିକାରୀ ତଥା କର୍ମଚାରୀମାନଙ୍କର ଏକ ବୈଠକରେ ଅଧ୍ୟକ୍ଷତା କରି ନୂତନ ନିର୍ଦ୍ଦେଶକ ଶ୍ରୀ ମିଶ୍ର ସୂଚନା ଓ ଲୋକସଂପର୍କ ବିଭାଗର କାର୍ଯ୍ୟକ୍ରମ ସୁଦୂରପ୍ରସାରୀ ବୋଲି କହିବା ସହିତ ଅଧିକାରୀମାନେ ସ୍ୱଚ୍ଛତା, ଦକ୍ଷତା ଓ ସାଧୁତା ବଜାୟ ରଖି ଉତ୍ତମ ପ୍ରଶାସନର ସୁଫଳକୁ ଜନସାଧାରଣଙ୍କ ପାଖରେ ପହଞ୍ଚାଇବେ ବୋଲି ଆଶାପ୍ରକଟ କରିଥିଲେ। ଅନ୍ୟପକ୍ଷରେ, ଅଧିକାରୀମାନେ ବୈଷୟିକ ପ୍ରଯୁକ୍ତି ବିଦ୍ୟାର ଉପଯୋଗ, ସମନ୍ୱିତ ଆଦାନପ୍ରଦାନ ଓ ଅଭିଜ୍ଞତାର ଉପଲବ୍ଧି ଆଧାରରେ ଅଧିକ କ୍ରିୟାଶୀଳ ଓ ତତ୍ପର ହେବା ନିମନ୍ତେ ନିର୍ଦ୍ଦେଶକ ଶ୍ରୀ ମିଶ୍ର ପରାମର୍ଶ ଦେଇଛନ୍ତି।
ଲୋକସଂପର୍କ ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ ନିର୍ଦ୍ଦେଶକ ନିରଞ୍ଜନ ସେଠୀ ନୂତନ ନିର୍ଦ୍ଦେଶକଙ୍କୁ ସ୍ୱାଗତ ଜଣାଇବା ସହିତ ବିଭାଗର କାର୍ଯ୍ୟକ୍ରମ ଉପରେ ସୂଚନା ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଯୁଗ୍ମ ଶାସନ ସଚିବ ଶୁଭେନ୍ଦ୍ର କୁମାର ନାୟକ ଓ ବରିଷ୍ଠ ସୂଚନା ଅଧିକାରୀ ସୂର୍ଯ୍ୟରଞ୍ଜନ ମହାନ୍ତି ମଧ୍ୟ ବକ୍ତବ୍ୟ ରଖିଥିଲେ। ଉପନିର୍ଦ୍ଦେଶକ ବିପିନ ବିହାରୀ ବାରିକି ଧନ୍ୟବାଦ ଅର୍ପଣ କରିଥିଲେ। ଉପନିର୍ଦ୍ଦେଶକ ବରଦା ପ୍ରସନ୍ନ ଦାସ ମଧ୍ୟ ମଞ୍ଚାସୀନ ଥିଲେ। ଏହି ବୈଠକରେ ଉପଶାସନ ସଚିବ ଦୁର୍ଗା ପ୍ରସାଦ ମହାରଣା, ଉପଶାସନ ସଚିବ ଦୁର୍ଯ୍ୟୋଧନ ବେହେରାଙ୍କ ସମେତ ଅନ୍ୟାନ୍ୟ ପଦାଧିକାରୀ, ସୂଚନା ଅଧିକାରୀ ତଥା ବିଭିନ୍ନ ପ୍ରଭାଗର ମୁଖ୍ୟମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

Most Popular

Exit mobile version