ରାଜ୍ୟ

ଓକିଲ ଆନ୍ଦୋଳନ : ଆସନ୍ତାକାଲି ସାଧାରଣ ପରିଷଦ ବୈଠକ

Posted on

କଟକ/ଭୁବନେଶ୍ୱର:୨ମାସରୁ ଅଧିକ ଦିନ ଧରି ଚାଲିଥିବା ଓକିଲ ଆନ୍ଦୋଳନର ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ପାଇଁ ଆସନ୍ତାକାଲି ଓଡ଼ିଶା ବାର ଆସୋସିଏନର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହେବ।ଏହାସହିତ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଆସନ୍ତାକାଲି ପର୍ଯ୍ୟନ୍ତ ଜାରି ରଖିବାକୁ ନିଷ୍ପତି ହୋଇଛି।
ହାଇକୋର୍ଟ ବାର ଆସୋସିଏନର ସଭାପତି ଶ୍ରୀକାନ୍ତ କୁମାର ନାୟକ ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଓକିଲ ଆନ୍ଦୋଳନରୁ ଗୋଟିଏ ଗୋଷ୍ଠୀ ଓହରିଯିବା ଓ ହାଇକୋର୍ଟ ପରିସରରେ ଯେଉଁ ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି ହେଲା ତାହା ଉପରେ ଆଲୋଚନା ପାଇଁ ଆଜି ହାଇକୋର୍ଟ ବାର ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।ଏହି ବୈଠକରେ ରାଜ୍ୟର ୭୫ଟି ବାରର ପ୍ରତିନିଧିମାନେ ଯୋଗ ଦେଇଥିଲେ।ବୈଠକରେ ବହୁ ସମୟ ଧରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି।ଆସନ୍ତାକାଲି ଏସବୁ ପ୍ରସଙ୍ଗକୁ ସାଧାରଣ ପରିଷଦ ବୈଠକରେ ଉପସ୍ଥାପନ କରାଯିବ।ସେଠାରେ ଯାହା ନିଷ୍ପତି ହେବ ତାକୁ ସମସ୍ତ ବାର ଗ୍ରହଣ କରିବେ ବୋଲି ମତ ଦେଇଛନ୍ତି।ଆସନ୍ତାକାଲି ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିବ।
ଅନ୍ୟପକ୍ଷରେ ମିଳିଥିବା ସୂଚନା ଅନୁସାରେ ବିଜେଡି ଆଇନ ସାମ୍ମୁଖ୍ୟର ୪ଜଣ ଓକିଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗରେ ଆଜି ଆଲୋଚନା ହୋଇଥିଲେ ମଧ୍ୟ କୌଣସି ସହମତି ହୋଇପାରିନି।ଏହି ପ୍ରସଙ୍ଗରେ ହାଇକୋର୍ଟ ବାର ଆସୋସିଏସନ ଯାହା ନିଷ୍ପତି ନେବ ସେଥିରେ ଅନ୍ୟ ବାରଗୁଡ଼ିକ ସହମତ ହେବେ ବୋଲି କହିଥିଲେ।ଆସନ୍ତାକାଲି ଅପରାହ୍ନ ୨ଟାରେ ସାଧାରଣ ପରିଷଦ ବୈଠକ ବସିବ।

Leave a Reply

Your email address will not be published. Required fields are marked *

Most Popular

Exit mobile version