ରାଜ୍ୟ
କ୍ଷମା ମାଗିବେନି ମନ୍ତ୍ରୀ ମହାରଥୀ, ବଢ଼ାଇଲେ ବିବାଦ
ଭୁବନେଶ୍ୱର: ମହିଳାଙ୍କ ପ୍ରତି ଅସମ୍ମାନ ଟିପ୍ପଣୀ ଦେଇ ବିବାଦୀୟ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ ନିଜର ମନ୍ତବ୍ୟ ପାଇଁ କ୍ଷମା ମାଗିବାର ପ୍ରଶ୍ନ ଉଠୁନି ବୋଲି କରିଦେଇଛନ୍ତି।୩୦ହଜାର ମହିଳାଙ୍କ ୬୦ହଜାର ସ୍ୱାମୀ’ ବୋଲି ମନ୍ତବ୍ୟ ଦେବା ପ୍ରସଙ୍ଗରେ ଶ୍ରୀ ମହାରଥୀଙ୍କ ବିରୁଦ୍ଧରେ ବିରୋଧୀ ଦଳ ପକ୍ଷରୁ ଚାପ ପଡ଼ୁଥିଲେ ମଧ୍ୟ ତାଙ୍କର କଥାକୁ ଗଣମାଧ୍ୟମରେ କଦର୍ଥ କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି।ତେବେ ବ୍ରାହ୍ମଣଙ୍କ ସମ୍ପର୍କରେ ଟିପ୍ପଣୀ ଦେଇ ଡାକ୍ତର ଦାମୋଦର ରାଉତ ମନ୍ତ୍ରୀ ପଦ ହରାଇଥିବାବେଳେ ଶ୍ରୀ ମହାରଥୀଙ୍କ ଉପରେ କେବେ କାର୍ୟ୍ୟାନୁଷ୍ଠାନ ହେଉଛି ତାକୁ ନେଇ ରାଜନୀତିକ ଉଷ୍ମତା ଲାଗି ରହିଛି।ଅବଶ୍ୟ ମହିଳାଙ୍କ ପ୍ରତି ମହାରଥୀଙ୍କ ଆପତିଜନକ ମନ୍ତବ୍ୟ ନୂଆ କଥା ନୁହେଁ।
ମହିଳାଙ୍କୁ ଅସମ୍ମାନ କରିବା ଭଳି ମନ୍ତବ୍ୟ ଦେଇଥିବାରୁ ମନ୍ତ୍ରୀ ତୁରନ୍ତ କ୍ଷମା ମାଗନ୍ତୁ ବୋଲି ବିଜେପି ଓ କଂଗ୍ରେସ ଦାବି କରିଛନ୍ତି।ତେବେ ଆଜି ଗଣମାଧ୍ୟମରେ ସଫେଇ ଦେଇ ମନ୍ତ୍ରୀ ଶ୍ରୀ ମହାରଥୀ କହିଛନ୍ତି ଯେ ଗୋଟିଏ କୌଣସି କାରଣ ନଥାଇ ତାଙ୍କର ବକ୍ତବ୍ୟକୁ ଗଣମାଧ୍ୟମରେ କଦର୍ଥ କରାଯାଇଛି।ଯେଉଁଥିପାଇଁ ସେ ମର୍ମାହତ। ମା’ଙ୍କୁ ସମ୍ମାନ ଓ ସେମାନଙ୍କର ଅଭିଯୋଗ ଶୁଣୁଥିବାରୁ ସେମାନଙ୍କର ଆଶୀର୍ବାଦରେ ୬ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି।ତାଙ୍କର କହିବା ପଛରେ ସେଭଳି କିଛି ଉଦ୍ଦେଶ୍ୟ ନଥିଲା।ଯେଭଳି ଭାବେ ତାଙ୍କର ବକ୍ତବ୍ୟକୁ କଦର୍ଥ କରାଯାଇଛି।ଯେହେତୁ ତାଙ୍କର କଥାରେ କୌଣସି ତ୍ରୁଟି ନାହିଁ ତେଣୁ କ୍ଷମା ମାଗିବାର ପ୍ରଶ୍ନ ଉଠୁନି ବୋଲି ଶ୍ରୀ ମହାରଥୀ ସ୍ପଷ୍ଟ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଗାମୀ ଦିନରେ ସତ୍ୟବାଦୀରେ ଏକ କାର୍ୟ୍ୟକ୍ରମରେ ଯୋଗ ଦେବାକୁ ଯିବେ।ତାଙ୍କୁ ସ୍ୱାଗତ ପାଇଁ ଉତରାରୁ ସାତଶଙ୍ଖ ପର୍ୟ୍ୟନ୍ତ ୩୦ହଜାର ମହିଳା ଆସିବେ।ଏକଥା ପରିପ୍ରେକ୍ଷୀରେ ସେ କହିଥିଲେ ଯେ ୩୦ହଜାର ମହିଳା ଆସିଲେ ସେମାନଙ୍କର ସ୍ୱାମୀମାନେ ଆସିବେ।ତେଣୁ ମହିଳା ଓ ସେମାନଙ୍କ ସ୍ୱାମୀ ମିଶିଲେ ୬୦ହଜାର ହେବ । କିନ୍ତୁ ତାଙ୍କର ଏହି କଥାକୁ କଦର୍ଥ କରାଗଲା।ସେ ଗଣମାଧ୍ୟମକୁ ଦୋଷ ଦେଇ ତାଙ୍କର କଥାକୁ ଏଭଳି କଦର୍ଥ କରାନଯାଉ ବୋଲି ଅନୁରୋଧ କରିଛନ୍ତି।