ରାଜନୀତି

‘ୱାନ୍ ମ୍ୟାନ୍ ୱାନ୍ ପୋଷ୍ଟ ମାନେ ନୁହେଁ ନିର୍ବାଚନ ଲଢ଼ିବା ଉପରେ କଟକଣା’

Posted on

ଭୁବନେଶ୍ୱର ‘ୱାନ୍ ମ୍ୟାନ୍ ୱାନ୍ ପୋଷ୍ଟ’କୁ ନେଇ ରାଜ୍ୟ କଂଗ୍ରେସରେ ବିବାଦ ବଢ଼ିବା ପରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମୁହଁ ଖୋଲିଛନ୍ତି । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଅଯଥା ବିଭ୍ରାନ୍ତ ସୃଷ୍ଟି କରାଯାଉଛି । ଏହି ‘ୱାନ ମ୍ୟାନ୍ ୱାନ୍ ପୋଷ୍ଟ’ର ପ୍ରକୃତ ଅର୍ଥ ହେଲା ସାମ୍ବିଧାନିକ ପଦବୀରେ ଥିବା ଜଣେ ବ୍ୟକ୍ତି ସମାନ୍ତରାଳ ଭାବେ ଅନ୍ୟ କୌଣସି ପଦବୀରେ ରହିପାରିବେ ନାହିଁ । ଆଗାମୀ ନିର୍ବାଚନରେ କିଏ ପ୍ରାର୍ଥୀ ହେବାକୁ ଯୋଗ୍ୟ ସେ ନେଇ ଗଣମାଧ୍ୟମରେ ମଧ୍ୟ ଚର୍ଚ୍ଚା ହେଉଛି । ବିଜୟ ସମ୍ଭାବନା ଥିବା ବ୍ୟକ୍ତିଙ୍କୁ ସର୍ବପ୍ରଥମେ ଅଗ୍ରାଧିକାର ଦିଆଯିବ । ଦ୍ୱିତୀୟ ଅଗ୍ରାଧିକାର ଯୁବ, ମହିଳା ଓ ନୂଆ ମୁହଁଙ୍କୁ ମିଳିବ । ଯେଉଁମାନଙ୍କର ବିଜୟୀ ସମ୍ଭାବନା ରହିଛି ସେହି ପ୍ରାର୍ଥୀଙ୍କୁ ପ୍ରଥମେ ଗୁରୁତ୍ୱ ଦିଆଯିବ । ସେତେବେଳେ ସିଏ ଯେକୌଣସି ପଦପଦବୀରେ ରହିଥାଆନ୍ତୁ ନା କାହିଁକି । ତାଙ୍କର ପ୍ରାର୍ଥୀତ୍ୱକୁ ବିଚାରକୁ ନିଆଯିବ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ପିସିସିରେ ଏବେ ଆମର ୩ଜଣ କାର୍ଯ୍ୟକାରୀ ସଭାପତି ଅଛନ୍ତି । ସେ ମଧ୍ୟ ପିସିସି ସଭାପତି ଅଛନ୍ତି । ତା’ମାନେ କ’ଣ ଆମେ ନିର୍ବାଚନ ଲଢ଼ିବା ପାଇଁ ଅଯୋଗ୍ୟ । ଗଣମାଧ୍ୟମ ଅଯଥା ବିବାଦ ସୃଷ୍ଟି କରୁଛି ଓ କଂଗ୍ରେସ ବିରୋଧରେ ଅପପ୍ରଚାର କରୁଛି । ସେ କ’ଣ କେବେ ‘ୱାନ ମ୍ୟାନ୍ ୱାନ୍ ପୋଷ୍ଟ’ ବିଷୟରେ କହିଛନ୍ତି କି? କେହି ତା’ର ଭିଡିଓ ପ୍ରମାଣ ଦେଖାଇପାରିବେ । ତେବେ ଦଳର ପ୍ରାର୍ଥୀ ହେବା ଟିକେଟ୍ ଚୟନ ଭୁବନେଶ୍ୱରସ୍ତରରେ ନିଷ୍ପତ୍ତି ନିଆଯିବ ନାହିଁ । ଏହା ତୃଣମୂଳସ୍ତରରେ ପ୍ରାର୍ଥୀଙ୍କ ବିଜୟ ସମ୍ଭାବନାକୁ ଦୃଷ୍ଟିରେ ରଖି କରାଯିବ ବୋଲି ଶ୍ରୀ ପଟ୍ଟନାୟକ ସ୍ପଷ୍ଟ କରିଛନ୍ତି ।

Leave a Reply

Your email address will not be published. Required fields are marked *

Most Popular

Exit mobile version