ରାଉରକେଲା(ଓଡବ୍ଲ୍ୟୁ):ରାଉରକେଲା ବିଧାୟକ ଦିଲ୍ଲୀପ ରାୟ ଖୁବଶୀଘ୍ର ବିଧାୟକ ପଦରୁ ଇସ୍ତଫା ଦେବେ ।ସେ ୪-୫ଦିନ ମଧ୍ୟରେ ନିଜ ପଦରୁ ଇସ୍ତଫା ଦେଇ ବିଜେଡିରେ ସାମିଲ ହୋଇପାରନ୍ତି ବୋଲି ସଙ୍କେତ ଦେଇଛନ୍ତି।
ଆଜି ସାମ୍ବାଦିକମାନଙ୍କ ସହ ଆଲୋଚନାବେଳେ ଶ୍ରୀ ରାୟ କହିଛନ୍ତି ଯେ “ରାଉରକେଲାବାସୀଙ୍କ ଦୀର୍ଘଦିନର ୨ଟି ଦାବିକୁ ସେ ଦୋହରାଇ ଆସୁଛନ୍ତି।ଗୋଟିଏ ହେଲା ବ୍ରାହ୍ମଣୀ ନଦୀରେ ଦ୍ୱିତୀୟ ପୋଲ ଓ ଅନ୍ୟଟି ରାଉରକେଲାରେ ସୁପରସ୍ପେଶାଲିଷ୍ଟ ହସ୍ପିଟାଲ।ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଏଠାରେ ପ୍ରତିଶ୍ରୁତି ଦେଇଥିଲେ।ସେ ମଧ୍ୟ ଦିଲ୍ଲୀ ଓ ଚାରିଆଡ଼େ ଯାଇ ଯେତିକି ଅନୁରୋଧ କରିବା କଥା କଲେ।ଏହି ଦୁଇଟି କାର୍ଯ୍ୟ କିଭଳି ହେବ ସେଥିପାଇଁ ସେ ଚେଷ୍ଟା ମଧ୍ୟ କରୁଛନ୍ତି।କିନ୍ତୁ କାଳେ ସେ ବିଧାୟକ ରହିଲେ ଏହି ଦୁଇ କାର୍ଯ୍ୟର ଶ୍ରେୟ ନେବେ ସେଥିପାଇଁ କୁଆଡ଼େ ଏହି କାମ ହୋଇପାରୁନି ବୋଲି ଧାରଣା ସୃଷ୍ଟି କରାଯାଉଛି।କୁହାଯାଉଛି ରାଉରକେଲା ଓ ସୁନ୍ଦରଗଡ଼ ଜିଲ୍ଲାରେ ବିଜେପି ଗତଥର ଭଲ ଫଳାଫଳ କରିଥିଲା ସେଇଟା ଯେଭଳି ନହେବ କେହି କ୍ଷମତାଶାଳୀ ଚାହୁଁଛନ୍ତି।ଯଦି ଏଭଳି ଚିନ୍ତାଧାରା ଥିବ ତା’ହେଲେ ସେ ସାଇଡ୍ ହୋଇଯିବାକୁ ପ୍ରସ୍ତୁତ ଅଛନ୍ତି।ଅବଶ୍ୟ ଶେଷ ଚେଷ୍ଟା କରିବେ ନଚେତ୍ ସାଇଡ୍ ହୋଇଯିବେ।ଆସନ୍ତା ୩/୪ ଦିନ କିମ୍ବା ୫ଦିନ ଭିତରେ ଯାହା ଗୋଟିଏ ନିଷ୍ପତି ନେବେ ବୋଲି ଆଭାସ ଦେଇଛନ୍ତି।ତେବେ ଏବେ ଅନ୍ୟ କେଉଁ ଦଳକୁ ଯିବାକଥା ସେ ଚିନ୍ତା କରିନାହାନ୍ତି ବୋଲି ଶ୍ରୀ ରାୟ କହିଛନ୍ତି।
ଅନ୍ୟପକ୍ଷରେ ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ସେ ଖୁବଶୀଘ୍ର ବିଜେଡିରେ ସାମିଲ ହୋଇପାରନ୍ତି।ବିଜେଡିରେ ମିଶିବା ପାଇଁ ଚୂଡ଼ାନ୍ତ ଆଲୋଚନା ସରିଛି।କେବଳ ଆନୁଷ୍ଠାନିକ ଘୋଷଣା ବାକି ରହିଛି ବୋଲି ବିଜେଡି ସୂତ୍ରରୁ ସୂଚନା ମିଳିଛି।