ରାଜ୍ୟ
ନବୀନ ରାଜ୍ୟର ଅପ୍ରତିଦ୍ୱନ୍ଦ୍ୱୀ ନେତା : ସର୍ଭେ
ଭୁବନେଶ୍ୱର: ଦୀର୍ଘ ଦୁଇ ଦଶନ୍ଧି ଧରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିବା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କର ଲୋକପ୍ରିୟତା ବଜାୟ ରହିଛି।ନବୀନ ରାଜ୍ୟର ସବୁଠୁ ଲୋକପ୍ରିୟ ନେତା ହୋଇଥିବାବେଳେ ୫୯% ଲୋକ ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ତାଙ୍କୁ ପ୍ରଥମ ପସନ୍ଦ ଭାବେ ବାଛିଛନ୍ତି। ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ୨୧ ପ୍ରତିଶତ ଓ ନିରଞ୍ଜନ ପଟ୍ଟନାୟକଙ୍କୁ ମାତ୍ର ୫ ପ୍ରତିଶତ ଓଡ଼ିଶାବାସୀ ରାଜ୍ୟର ପରବର୍ତୀ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହାଁନ୍ତି।
୨୦୧୯ ସାଧାରଣ ନିର୍ବାଚନର କିଛିମାସ ପୂର୍ବରୁ ଆସିଥିବା ‘ଇଣ୍ଡିଆ ଟୁଡେ ଆକ୍ସିସ- ମାଇ ଇଣ୍ଡିଆ ’ର ପଲିଟାଲ ଷ୍ଟକ୍ ଏକ୍ସଚେଞ୍ଜ ରିପୋର୍ଟରେ ଏହି ତଥ୍ୟ ପଦାକୁ ଆସିଛି।
ନବୀନ ସରକାର ପ୍ରତି ୪୪ ପ୍ରତିଶତ ଲୋକ ସନ୍ତୁଷ୍ଟ ଥିବାବେଳେ ୧୯ ପ୍ରତିଶତ ଲୋକ ଅସନ୍ତୁଷ୍ଟ ଅଛନ୍ତି । ୩୨ ପ୍ରତିଶତ ଲୋକଙ୍କ ଆଭରେଜ୍ ମତ ଦେଇଛନ୍ତି । ସେହିପରି ରାଜ୍ୟର ୫୪% ଲୋକ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହୁଅନ୍ତି ବୋଲି ଚାହାଁନ୍ତି । ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ହେବା ସପକ୍ଷରେ ମାତ୍ର ୨୧ ପ୍ରତିଶତ ମତବ୍ୟକ୍ତ କରିଛନ୍ତି ।
ରାଫେଲ ଡିଲକୁ କଂଗ୍ରେସ ମୁଖ୍ୟ ପ୍ରସଙ୍ଗ କରିଥିବାବେଳେ ରାଜ୍ୟର ୭୬% ଲୋକ ଏବାବଦରେ ସଚେତନ ନାହାନ୍ତି । ତେବେ ସଚେତନ ଥିବା ଲୋକଙ୍କ ମଧ୍ୟରୁ ୭୯ ପ୍ରତିଶତ ରାଫେଲ୍ ଡିଲର ଗୋପନୀୟତା ବଜାୟ ରହିବା ଉଚିତ୍ ବୋଲି ମତ ଦେଇଛନ୍ତି । ରାଜ୍ୟର ୮୭% ଲୋକ ପେଟ୍ରୋଲିୟମ ସାମଗ୍ରୀର ମୂଲ୍ୟବୃଦ୍ଧିକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି।
ଏହି ସର୍ଭେରେ ରାଜ୍ୟର ସମସ୍ତ ୨୧ଟି ଲୋକସଭା ନିର୍ବାଚନମଣ୍ଡଳୀର ମୋଟ ୮୨୩୨ଜଣ ଲୋକ ଟେଲିଫୋନ୍ ମାଧ୍ୟମରେ ନିଜର ମତ ରଖିଥିଲେ ବୋଲି ଇଣ୍ଡିଆ ଟୁଡେ କହିଛି ।
ଏହି ସର୍ଭେ ଫଳାଫଳକୁ ନେଇ ବିଜେଡି ଉତ୍ସାହିତ ଥିବାବେଳେ ବିଜେପି ଏହାକୁ ପ୍ରାୟୋଜିତ ବୋଲି କହିଛି । ତେବେ କଂଗ୍ରେସ ଏହି ସର୍ଭେ ଉପରେ ପ୍ରଶ୍ନ ଉଠାଇଛି।