ରାଜନୀତି

ଦାମଙ୍କୁ ସୂର୍ଯ୍ୟଙ୍କ ଜବାବ, ବିଧାୟକ ପଦ ଛାଡ଼

Posted on

ଭୁବନେଶ୍ୱର : ବହିଷ୍କାର ପରେ ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ଏବେ ବିଜେଡି, ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୁଦ୍ଧରେ ସ୍ୱର ଶାଣିତ କରୁଥିବାବେଳେ ତାଙ୍କୁ ମୁହଁତୋଡ଼ ଜବାବ ଦେବାକୁ ବିଜେଡି ରଣନୀତି ପ୍ରସ୍ତୁତ କରିଛି।ଦାମଙ୍କୁ ବିଧାୟକ ପଦରୁ ଇସ୍ତଫା ଦେବା ପାଇଁ ବିଜେଡି ଏବେ ନୈତିକ ଚାପ ପକାଇବାରେ ଲାଗିଛି।ବରିଷ୍ଠ ନେତା ବିଷ୍ଣୁ ଦାସଙ୍କ ପରେ ଆଜି ବିଜୁଙ୍କ ଅନୁଗତ ଥିବା ବିଜେଡି ଉପସଭାପତି ସୂର୍ଯ୍ୟନାରାୟଣ ପାତ୍ର ମଧ୍ୟ କଡ଼ା ଭାଷାରେ ଦାମଙ୍କ ଉପରେ ବର୍ଷିଛନ୍ତି।
ଦାମଙ୍କୁ ଟାର୍ଗେଟ୍ କରି ଶ୍ରୀ ପାତ୍ର କହିଛନ୍ତି ଯେ, ଦାମବାବୁ ଯେଉଁ ଅଭିଯୋଗ ଆଣିଛନ୍ତି ତା’ର ତଥ୍ୟ ଦେଇପାରୁନାହାନ୍ତି । ଯଦି ବିଭାଗରେ ସତରେ ଦୁର୍ନୀତି ହେଉଥିଲା ତା’ହେଲେ ସେତେବେଳେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇ ନିଜର ଅଣ୍ଡିରା ପଣିଆ ଦେଖାଇଲେ ନାହିଁ କାହିଁକି।ଏଭଳି ଅଭିଯୋଗ କରି ଅବା ଅନ୍ୟ କାହା ସହ ମିଶି ସେ ନବୀନଙ୍କୁ ଦୋହଲାଇ ପାରିବେ ନାହିଁ।ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଦାମ ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ଦୁଃଖଦାୟକ।ବିଜୁ ପରିବାର ଲୋକେ ଏଥିରେ ମର୍ମାହତ । ଲକ୍ଷ୍ମଣରେଖା ଟପିବା ପରେ ତାଙ୍କୁ ଦଳରୁ ବିଦା କରାଯାଇଛି ।ତେଣୁ ଦାମଙ୍କ ସତସାହସ ଥିଲେ ବିଧାୟକ ପଦ ଛାଡ଼ି ଦିଅନ୍ତୁ ବୋଲି ଶ୍ରୀ ପାତ୍ର କହିଛନ୍ତି।
ତେବେ ଦାମ ଏହାର ଜବାବ ଦେଇ କହିଛନ୍ତି ଯେ ସମ୍ପତି ପାଇଁ ସୂର୍ଯ୍ୟ କିଛି ବି କରିପାରନ୍ତି । ଏପରିକି ନିଜକୁ ନବୀନଙ୍କ ଚାକର ବୋଲି କହିବାକୁ ପଛାଉନାହାନ୍ତି।ସମ୍ପତି ପାଇଁ ବାପା ନାଁ ବଦଳାଉଥିବା ନେତା ହେଉଛନ୍ତି ସୂର୍ଯ୍ୟ।ସରକାରୀ ଜମି ପାଇଁ ତାଙ୍କ ପୁଅ ବିପ୍ଲବ ପାତ୍ର ନିଜ ବାପା ନାଁ ବଦଳାଇ ଦେଇଛି । ଏନେଇ ଏବେ ମାମଲା କୋର୍ଟରେ ଚାଲିଛି।ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ମଣରେଖା ସୂର୍ଯ୍ୟ କେବେ ଦେଖିଲେ ବୋଲି ଡାକ୍ତର ରାଉତ ପ୍ରଶ୍ନ କରିଛନ୍ତି।
ବହିଷ୍କାର ପରେ ଦାମ ଦେଇଥିବା ବୟାନର ଜବାବ କେବଳ ବିଷ୍ଣୁ ରଖୁଥିବାବେଳେ ଆଜି ସୂର୍ଯ୍ୟ ପାତ୍ର ମଇଦାନକୁ ଓହ୍ଲାଇଛନ୍ତି । ଆଗାମୀ ଦିନରେ ଦଳ କାହା ଉପରେ ଭରସା କରୁଛି ଓ ଦାମଙ୍କ ବାଣକୁ ମୁକାବିଲା ପାଇଁ କାହା ଉପରେ ଭରସା କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର।

Leave a Reply

Your email address will not be published. Required fields are marked *

Most Popular

Exit mobile version