ରାଜନୀତି

ପ୍ରାର୍ଥୀ ହେବାକୁ ରାଜି ହେଲେନି ବିଧାୟକ

Posted on

ଭୁବନେଶ୍ୱର : ୨୦୧୯ ସଧାରଣ ନିର୍ବାଚନ ପାଇଁ ପ୍ରାର୍ଥୀ ଚୟନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥିବା ପ୍ରଦେଶ କଂଗ୍ରେସ ଏବେ ଚିନ୍ତାରେ।ପ୍ରଥମ ପର୍ଯ୍ୟାୟରେ ଦଳର ସମସ୍ତ ୧୫ ବିଧାୟକଙ୍କୁ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକାରେ ସାମିଲ କରିବ ବୋଲି କଂଗ୍ରେସ ଘୋଷଣା କରିଥିଲେ ମଧ୍ୟ ୩ଜଣ ବିଧାୟକ ପୁଣିଥରେ ପ୍ରାର୍ଥୀ ହେବାକୁ ଅନିଚ୍ଛା ପ୍ରକାଶ କରିଥିବା ସୂଚନା ମିଳିଛି।
ପିସିସିର ଜଣେ ବରିଷ୍ଠ ପଦାଧିକାରୀ ‘ଓଡ଼ିଶାୱେୟାର’ ସହ ଅଣଆନୁଷ୍ଠାନିକ ଆଲୋଚନାବେଳେ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ,ପ୍ରଦେଶ ନିର୍ବାଚନ କମିଟି (ପିଇସି) ବୈଠକରେ ପ୍ରଥମ ପର୍ଯ୍ୟାୟରେ ମୋଟ ୪୪ଜଣ ସମ୍ଭାବ୍ୟ ବିଧାୟକ ପ୍ରାର୍ଥୀଙ୍କ ନାଁକୁ ସ୍କ୍ରିନିଂ କମିଟିକୁ ପଠାଇବାକୁ ନିଷ୍ପତି ହୋଇଛି।କିଛି ବିଧାୟକ ନିଜର ପୁରୁଣା ସିଟରୁ ଲଢ଼ିବା ପାଇଁ ଅନିଚ୍ଛୁକ ଥିଲେ ମଧ୍ୟ ସେମାନଙ୍କ ନାଁ ସୁପାରିସ କରାଯାଇଛି।ତେବେ ୧୨ଜଣ ବିଧାୟକଙ୍କୁ ଛାଡ଼ିଦେଲେ ବାକି ସମସ୍ତ ସିଟ ପାଇଁ ଏକାଧିକ ନାମ ପ୍ରସ୍ତାବ ଦିଆଯାଇଛି।ସ୍କ୍ରିନିଂ କମିଟି ବିଭିନ୍ନ ଦିଗକୁ ବିଚାରକୁ ନେଇ ପ୍ରାର୍ଥୀ ଯାଂଚ କରିବା ପରେ କେନ୍ଦ୍ରୀୟ ନିର୍ବାଚନ କମିଟିକୁ ଚୂଡ଼ାନ୍ତ ଅନୁମୋଦନ ପାଇଁ ପଠାଇବ।ପିସିସି ଓ ଏଆଇସିସି ପକ୍ଷରୁ ହୋଇଥିବା ସର୍ଭେ ରିପୋର୍ଟକୁ ମଧ୍ୟ ସ୍କ୍ରିନିଂ କମିଟି ତା’ର ଯାଂଚ ପ୍ରକ୍ରିୟାବେଳେ ଗୁରୁତ୍ୱ ଦେବ।ଚଳିତଥର ପ୍ରାର୍ଥୀ ଚୟନରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଅଣାଯିବ। ଗଣମାଧ୍ୟମରେ ଏବେ ପ୍ରାର୍ଥୀଙ୍କ ସମ୍ପର୍କରେ ଯେଉଁ ତାଲିକା ପ୍ରକାଶ ପାଉଛି ସେଥିରେ କୌଣସି ସତ୍ୟତା ନାହିଁ ବୋଲି ବୋଲି ଏହି ସୂତ୍ରରୁ ସୂଚନା ମିଳିଛି।
ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରଦେଶ ନିର୍ବାଚନ କମିଟି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂହ,ବିରୋଧିଦଳ ନେତା ନରସିଂହ ମିଶ୍ର, ସ୍କ୍ରିନିଂ କମିଟି ଅଧ୍ୟକ୍ଷ ଭି.ଡି.ସଥୀସାନ୍,ନୌସଦ ସୋଲାଙ୍କୀ, କଂଗ୍ରେସ ସହପ୍ରଭାରୀ ରୁଦ୍ରରାଜୁ, ମସ୍ତାନ ଭାଲି, ଅନିଲ୍ ଚୌଧୁରୀ, ଆଦିତ୍ୟ ଶର୍ମା,ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜିବ ବିଶ୍ୱାଳ, ପ୍ରଦୀପ ମାଝୀଙ୍କ ସମେତ ପ୍ରଦେଶ ନିର୍ବାଚନ କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *

Most Popular

Exit mobile version