ରାଜ୍ୟ

ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା ଆରମ୍ଭ କଲା ଓଡ଼ିଶା

Posted on

ଭୁବନେଶ୍ୱର: ଗାନ୍ଧି ଜୟନ୍ତୀରୁ ରାଜ୍ୟ ସରକାର ନିଜର ମହତ୍ୱାକାଂକ୍ଷୀ ‘ଖାଦ୍ୟ ସୁରକ୍ଷା’ ଯୋଜନା କାର୍ଯ୍ୟକାରୀ କରିଛନ୍ତି।ସଚିବାଳୟରେ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକକାଳୀନ ରାଜ୍ୟର ସମସ୍ତ ଜିଲ୍ଲାରେ ଏହି ଯୋଜନାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ଜାତୀୟ ଖାଦ୍ୟ ସୁରକ୍ଷା ଆଇନରୁ ବାଦ ପଡ଼ିଥିବା ଗରିବ ହିତାଧିକାରୀଙ୍କୁ ଏହି ଯୋଜନାରେ ଏକ ଟଙ୍କାରେ ଚାଉଳ ମିଳିବ।

ସଚିବାଳୟରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ୨୦୧୪ରୁ ରାଜ୍ୟରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ କାର୍ଯ୍ୟକାରୀ ହେଲା।କିନ୍ତୁ ବହୁ ଲୋକ ଏହି ସୁବିଧା ପାଇ ପାରୁନଥିଲେ।ଏଥିପାଇଁ ସେ ବାରମ୍ବାର କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ।ଯେତେବେଳେ ବି ସେ ସାଧାରଣ ଲୋକଙ୍କୁ ଭେଟୁଥିଲେ,ସେମାନେ ଏହି ସୁବିଧା କିଭଳି ପାଇବେ ସେଥିପାଇଁ ଅନୁରୋଧ କରୁଥିଲେ।ଆଜି ସେହି ଗରିବ ଲୋକମାନଙ୍କ କଥାକୁ ରଖିପାରିଥିବାରୁ ବହୁତ ଖୁସି ଅଛି।ଗରିବ ଲୋକଙ୍କ ସେବା ପାଇଁ କେବେବି ଟଙ୍କାର ଅଭାବ ରହିବ ନାହିଁ।ଏହା ଓଡ଼ିଶାବାସୀଙ୍କ ଟଙ୍କା, ଆପଣମାନଙ୍କ ଟଙ୍କା।ଆପଣମାନଙ୍କ ପାଇଁ ଖର୍ଚ୍ଚ କରାଯାଉଛି।ଜଣେ ବି ଗରିବ ଲୋକଙ୍କୁ ଖାଦ୍ୟ ସୁରକ୍ଷାରୁ ବଂଚିତ ହେବାକୁ ଦିଆଯିବ ନାହିଁ।ରାଜ୍ୟ ସରକାର ସବୁ ଗରିବ ଲୋକଙ୍କୁ ଖାଦ୍ୟ ସୁରକ୍ଷା ଯୋଗାଇ ଦେବେ।ରାଜ୍ୟର ୨୫ଲକ୍ଷରୁ ଅଧିକ ଲୋକ ଏହି ସୁବିଧା ପାଇବେ।ରାଜ୍ୟର ଜଣେ ବି ଗରିବ ଲୋକଙ୍କୁ ଖାଦ୍ୟ ସୁରକ୍ଷାରୁ ବଂଚିତ ହେବାକୁ ଦିଆଯିବ ନାହିଁ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ବଲାଙ୍ଗିରର ବଙ୍ଗମୁଣ୍ଡାର ହିତାଧିକାରୀ ଅନୁଛାୟା କୁମ୍ଭାର, ସୁନ୍ଦରଗଡ଼ର ରାଜଗାଙ୍ଗପୁରର ଇନ୍ଦୁମତୀ ସ, ମୟୂରଭଞ୍ଜର ଖୁଂଟାର ମାମା ମୁର୍ମୁ ଓ ବାଲେଶ୍ୱରର ଜଳେଶ୍ୱରର ଭିନ୍ନକ୍ଷମ ଆନନ୍ଦ ମୁଖୀଙ୍କ ସହ ଆଲୋଚନା କରିଥିଲେ।ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ।

ଏହି କାର୍ଯ୍ୟକ୍ରମ ଅବସରରେ ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଅନ୍ୟପକ୍ଷରେ ଆସନ୍ତାକାଲିଠୁ ୧୦ତାରିଖ ପର୍ଯ୍ୟନ୍ତ ଏହି ରାସନ କାର୍ଡକୁ ବ୍ଲକ୍ ଓ ଜିଲ୍ଲାସ୍ତରରେ ସ୍ୱତନ୍ତ୍ର ଉତ୍ସବ ମାଧ୍ୟମରେ ବଂଟନ କରାଯିବ । ସବୁଠି ଦଳୀୟ ନେତାଙ୍କ ଉପସ୍ଥିତିରେ ଏହି କାର୍ଡ ବଂଟନ କରାଯିବା ସହ ମୁଖ୍ୟମନ୍ତ୍ରୀଙ୍କ ଏକ ଚିିଠି ଲୋକଙ୍କ ମଧ୍ୟରେ ବଂଟନ କରାଯିବ । ଏଥିପାଇଁ କେଉଁ ମନ୍ତ୍ରୀ ଓ ସାଂସଦ କେଉଁଠି କାର୍ଡ ବାଂଟିବେ ତାହା ସ୍ଥିର ହୋଇଛି । ଏପରିକି ବିଜେଡିର ନେତାମାନେ ଯେଉଁ ଜିଲ୍ଲାରେ ପର୍ଯ୍ୟବେକ୍ଷକ ଅଛନ୍ତି ସେମାନେ ସେଠାରେ ରାସନ କାର୍ଡ ବାଂଟିବେ ବୋଲି ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *

Most Popular

Exit mobile version