Latest

ରାଜ୍ୟକୁ ଫେରିଲା ଗ୍ରୀଷ୍ମ ଲହରୀ ; ୬ଦିନ ଯାଏ ତାତିରୁ ମିଳିବନି ନିସ୍ତାର

Posted on

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସହ ଅସହ୍ୟ ତାତିରେ ଆଉଟୁପାଉଟୁ ହେଉଛନ୍ତି ରାଜ୍ୟବାସୀ। ସକାଳ ୮ଟା ପରେ ଘରକୁ ବାହାରିବା କଷ୍ଟକର ହୋଇପଡ଼ୁଛି। ଆଜି ସକାଳ ୮ଟା ୩୦ ସୁଦ୍ଧା ୩୨ ଡିଗ୍ରୀ ଟପିଛି ପାରଦ। ରାଜଧାନୀ ଭୁବନେଶ୍ୱର ସବୁଠୁ ଉତ୍ତପ୍ତ ସହର ପାଲଟିଛି। ରାଜ୍ୟ ମଧ୍ୟକୁ ଉତ୍ତର ତଥା ଉତ୍ତର-ପଶ୍ଚିମ ଏବଂ ପଶ୍ଚିମ ଦିଗରୁ ଶୁଷ୍କ ପବନ ପ୍ରବାହ ଧୀରେ ଧୀରେ ବୃଦ୍ଧି ପାଉଛି। ତେଣୁ ଦିନ ତାପମାତ୍ରା ବଢ଼ିବାରେ ଲାଗିଛି। ଆଗାମୀ ଦିନରେ ଏହି ପବନର ପ୍ରଭାବ ଆହୁରି ବୃଦ୍ଧି ପାଇପାରେ। ଫଳରେ ଆସନ୍ତା ୪ରୁ ୫ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା ୪ରୁ ୬ ଡିଗ୍ରି ବଢ଼ିବା ସହ କିଛି ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହ (ହିଟ୍‌ୱେଭ୍‌) ପରିସ୍ଥିତି ଉପୁଜିବ। ତାହାକୁ ନଜରରେ ରଖି ୧୮ ତାରିଖ ପର୍ଯ୍ୟନ୍ତ ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ପକ୍ଷରୁ ହିଟ୍‌ୱେଭ୍‌ ସହ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

ରାଜଧାନୀର ତାପମାତ୍ରା ୩୨.୬ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ପାରାଦୀପ ୩୨ ଡିଗ୍ରୀ, ପୁରୀ ୩୨ଡିଗ୍ରୀ, କେନ୍ଦୁଝର ୩୨ଡିଗ୍ରୀ ବାଲେଶ୍ୱର ୩୧.୮ ଡିଗ୍ରୀ, ଚାନ୍ଦବାଲି ୩୧.୬ ଡିଗ୍ରୀ, ଝାରସୁଗୁଡା ୩୦.୮ ଡିଗ୍ରୀ, ହୀରାକୁଦ ୩୦. ୨ ଡିଗ୍ରୀ, ସମ୍ବଲପୁର ୩୦ ଡିଗ୍ରୀ, ରାଉରକେଲା ୩୦ ଡିଗ୍ରୀ ଓ ଗୋପାଳପୁରରେ ୨୯.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ଅନ୍ୟପକ୍ଷରେ ଆସନ୍ତା ୫ ଦିନ ଯାଏ ଦିନ ତାପମାତ୍ରା ଅଧିକାଂଶ ସ୍ଥାନରେ ୪ରୁ ୬ ଡିଗ୍ରୀ ବୃଦ୍ଧି ପାଇବାର ଆଶଙ୍କା ଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହ ଗ୍ରୀଷ୍ମପ୍ରବାହ ନେଇ ଆଜି ପାଇଁ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହି ଜିଲ୍ଲା ଗୁଡ଼ିକ ହେଲା କଟକ, ନୟାଗଡ଼, ଢେଙ୍କାନାଳ, ଭଦ୍ରକ ଓ ଯାଜପୁର।

Leave a Reply

Your email address will not be published. Required fields are marked *

Most Popular

Exit mobile version