ରାଜନୀତି

ବିଜେଡି ସହ ଲଢ଼ିବା ପୂର୍ବରୁ ହାତ ଟେକିଦେଲା ବିଜେପି

Posted on

ଭୁବନେଶ୍ୱର(ଓଡ଼ିଶା ୱେୟାର): ଓଡ଼ିଶାରେ ମିଶନ ‘୧୨୦+’ ହାସଲ ସହ ସରକାର ଗଢ଼ିବାର ଦମ୍ଭୋକ୍ତି ବାଢ଼ୁଥିବା ବିଜେପି ଆଗାମୀ ସାଧାରଣ ନିର୍ବାଚନ ଲଢ଼ିବା ପୂର୍ବରୁ ହାତ ଟେକି ଦେଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଜି ବାରିପଦାର ୨ଟି ସ୍ଥାନରେ ୪୦ମିନିଟର ଭାଷଣ ଏବଂ ଡିସେମ୍ବର ୨୪ତାରିଖରେ ଖୋର୍ଦ୍ଧାରେ ଦେଇଥିବା ଭାଷଣକୁ ବିଶ୍ଲେଷଣ କଲେ ରାଜ୍ୟରେ ବିଜେପି ଏବେ ଦିଶାହୀନ ଦଳ ହେବାକୁ ଯାଉଛି । ୨୦୦୫ରୁ ୨୦୧୪ ମସିହା ମଧ୍ୟରେ ୟୁପିଏ ସରକାର ଅମଳରେ ବିଜେଡି ପ୍ରତି କଂଗ୍ରେସ ହାଇକମାଣ୍ଡଙ୍କ କୋହଳ ଆଭିମୁଖ୍ୟ ପାଇଁ ଯେପରି ରାଜ୍ୟରେ କଂଗ୍ରେସ ଅସ୍ତିତ୍ୱ ହରାଇଥିଲା, ଠିକ୍ ସେହିଭଳି ସ୍ଥିତି ଏବେ ରାଜ୍ୟ ବିଜେପି ପାଇଁ ହେବାକୁ ଯାଉଛି । ରାଜ୍ୟ ବିଜେପିର ନେତାମାନେ ଯେତେ ବାହାସ୍ଫୋଟ ମାରିଲେ ମଧ୍ୟ ହିନ୍ଦି ହାର୍ଟଲ୍ୟାଣ୍ଡରେ ପରାଜୟ ପରେ ବିଜେପି କେନ୍ଦ୍ରୀୟ ନେତୃତ୍ୱ ରାଜ୍ୟରେ ବିଜେଡି ଓ ନବୀନ ପଟ୍ଟନାୟକ ସରକାର ଅପ୍ରତିଦ୍ୱନ୍ଦ୍ୱୀ ବୋଲି ପରୋକ୍ଷରେ ସ୍ୱୀକାର କରିନେଇ ସେହି ରଣନୀତିରେ କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି ।ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଜିର ବଡିଲାଙ୍ଗୁଏଜକୁ ଦେଖିଲେ ବିଜେଡି ସହ ଭବିଷ୍ୟତରେ ବିଜେପିର ଗୋପନ ବୁଝାମଣା ପାଇଁ ଏବେଠୁ ମାର୍ଗ ପ୍ରଶସ୍ତ କରାଯାଉଥିବାର ଚର୍ଚ୍ଚା ହେଉଛି ।
ଆଜି ବାରିପଦାରେ ଆୟୋଜିତ ୨ଟି ଜନସଭାକୁ ପ୍ରଧାନମନ୍ତ୍ରୀ ମୋଦି ସମ୍ବୋଧିତ କରିଥିଲେ । ଓଡ଼ିଶା ପାଇଁ ୪୫୦୦କୋଟି ଟଙ୍କାର ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ୧୧ମିନିଟ୍
ଏବଂ ବିଜେପିର ଏକ ଜନସଭାରେ ୨୯ମିନିଟର ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଷଣରେ ରାଜ୍ୟର ନବୀନ ପଟ୍ଟନାୟକ ସରକାର କିମ୍ବା ବିଜେଡି ପ୍ରତି ସାମାନ୍ୟତମ ଆକ୍ରଣାତ୍ମକ ଆଭିମୁଖ୍ୟ ଦେଖିବାକୁ ମିଳିନି ।
ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣର ସରକାରୀ ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦି ୧୧ମିନିଟ ଧରି ସେଠାରେ ଉପସ୍ଥିତ ଲୋକଙ୍କୁ ସମ୍ବୋଧିତ କରିଥିଲେ । ଦ୍ରୁତ ବିକାଶ ଓ ସାମଗ୍ରିକ ବିକାଶ ତାଙ୍କ ସରକାରର ସଂକଳ୍ପ ଓ ସଂସ୍କାର ବୋଲି ସହ ନବ୍ୟ ଭାରତ ନିର୍ମାଣ କରିବା ଦିଗରେ କାର୍ଯ୍ୟ ଚାଲିଥିବା କହିଥିଲେ । ତେବେ ମୋଟ ୧୧ମିନିଟ୍ ଭାଷଣରେ ମୋଦି ରାଜ୍ୟର ନବୀନ ପଟ୍ଟନାୟକ ସରକାର କିମ୍ବା ବିଜେଡି ଓ କଂଗ୍ରେସ ସମ୍ପର୍କରେ ପଦୁଟିଏ ମୁହଁ ଖୋଲିନଥିଲେ ।

ସେହିପରି ୨୯ମିନିଟର ଭାଷଣରେ ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରି ମୋଦି ଏଭଳି ପ୍ରସଙ୍ଗ ଉଠାଇଥିଲେ ଯାହା ନିର୍ବାଚନୀ ବର୍ଷରେ ରାଜ୍ୟର ତୃଣମୂଳସ୍ତରର ଦଳୀୟ କର୍ମୀଙ୍କ ମନୋବଳକୁ ବୃଦ୍ଧି କରିବା ଦିଗରେ ବିଶେଷ ସହାୟକ ହେବାର ସମ୍ଭାବନା କ୍ଷୀଣ । କାରଣ ମୋଦି ତାଙ୍କ ଭାଷଣରେ ମଧ୍ୟପ୍ରଦେଶ ସରକାରଙ୍କ ନିଷ୍ପତି,ହେଲିକାପ୍ଟର ଦୁର୍ନୀତିରେ ଗାନ୍ଧି ପରିବାରର ଭୂମିକା ଆଦି ପ୍ରସଙ୍ଗ ଉଠାଇ କଂଗ୍ରେସକୁ ଟାର୍ଗେଟ୍ କରିଥିଲେ । ଓଡ଼ିଶା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦି ପିପିଲି ଗଣଦୁଷ୍କର୍ମ ମାମଲାର ପୁନଃ ତଦନ୍ତ କରି ଅଭିଯୁକ୍ତଙ୍କୁ ଦଣ୍ଡିତ କରିବା, ଆୟୁଷ୍ମାନ ଯୋଜନାରେ ଗରିବଙ୍କୁ ମାଗଣା ଚିକିତ୍ସା ଦେବା ପାଇଁ ସେ ରାଜ୍ୟ ସରକାରଙ୍କୁ ଆହ୍ୱାନ ଦେଇଥିଲେ ।ଦୁଇଦଶନ୍ଧି ଧରି ରାଜ୍ୟରେ ମହିଳା ଓ ଶିଶୁଙ୍କ ଶିକ୍ଷା,ସ୍ୱାସ୍ଥ୍ୟ,ରୋଜଗାର ଆଦି କ୍ଷେତ୍ରରେ ଓଡ଼ିଶା ପଛରେ ପଡ଼ିଥିବା ମୋଦି କହିଥିଲେ । ନିଜ ସରକାରର ସାଢ଼େ ୪ବର୍ଷର ସଫଳତା ସମ୍ପର୍କରେ ମୋଦି କହିବା ସହ ଆଜି ଯେଉଁସବୁ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି ତାହା ଓଡ଼ିଶାର ସନ୍ତୁଳିତ ଓ ସାମଗ୍ରିକ ବିକାଶରେ ସହାୟକ ହେବ ବୋଲି କହିଥିଲେ ।
ମାତ୍ର ଏସବୁ ଭାଷଣ ଭିତରେ ନିର୍ବାଚନୀ ବର୍ଷରେ ଉତ୍ତର ଓଡ଼ିଶାର ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରୁ ଆସିଥିବା ଦଳୀୟ କର୍ମୀଙ୍କ ମନୋବଳ ବୃଦ୍ଧି ପାଇଁ କୌଣସି ଗୋଟିଏ ଉତ୍ସାହଜନକ ସନ୍ଦେଶ ଦେଇନଥିଲେ ।

ଏପରିକି ଡିସେମ୍ବର ୨୪ତାରିଖରେ ଖୋର୍ଦ୍ଧା ଜନସଭାରେ ମୋଦି ଯେଭଳି ନବୀନ ଓ ବିଜେଡିକୁ ସମାଲୋଚନା ନକରି ରାଜ୍ୟ ସରକାରଙ୍କୁ ୮ଟି ପ୍ରସଙ୍ଗରେ ଘେରିଥିଲେ, ତାହା ମଧ୍ୟ ଆଜି ବାରିପଦାର ଜନସଭାରେ ଦେଖିବାକୁ ମିଳିନି । ନିର୍ବାଚନୀ ବର୍ଷରେ ବିଜେପି ନେତୃତ୍ୱ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୁଣିଥରେ ବିଜେପିର ଚେହେରା ଭାବେ ଉଭା କରୁଥିବାବେଳେ ତାଙ୍କର ଏଭଳି କୋହଳ ଆଭିମୁଖ୍ୟ ଦଳୀୟ କର୍ମୀଙ୍କୁ ନିରାଶ କରିଛି । ପ୍ରଧାନମନ୍ତ୍ରୀଙ୍କ ଏଭଳି ଆଭିମୁଖ୍ୟ ବିଜେପି ପାଇଁ ୨୦୧୯ ସାଧାରଣ ନିର୍ବାଚନରେ ବୁମେରାଂ ହେବାକୁ ଯାଉଥିବାବେଳେ ତୃଣମୂଳସ୍ତରରେ ବିଜେଡିକୁ କଡ଼ା ଟକ୍କର ଦେଉଥିବା ଦଳୀୟ କର୍ମୀଙ୍କୁ ମଧ୍ୟ ନିରାଶ କରିଛି ।
ରାଜନୀତିକ ବିଶ୍ଲେଷକଙ୍କ ମତରେ ହିନ୍ଦି ହାର୍ଟଲ୍ୟାଣ୍ଡ ଭାବେ ପରିଚିତ ୩ଟି ବିଧାନସଭା ନିର୍ବାଚନରେ ବିଜେପିର ପରାଜୟ ପରେ ପ୍ରଧାନମନ୍ତ୍ରୀ ମୋଦି ଏବେ ଆତଙ୍କିତ ହୋଇପଡ଼ିଛନ୍ତି । ବିଶେଷକରି ଏନଡିଏର ସହଯୋଗୀ ଦଳଗୁଡ଼ିକ ମଧ୍ୟ ଗୋଟିଏପରେ ଗୋଟିଏ ଏବେ ବିଜେପିଠୁ ସମ୍ପର୍କ ଛିନ୍ନ କରିବାରେ ଲାଗିଛନ୍ତି । ୨୦୧୯ ସାଧାରଣ ନିର୍ବାଚନରେ ବିଜେପିକୁ ପୁଣିଥରେ କ୍ଷମତାକୁ ଫେରିବାକୁ ହେଲେ ବିଜେଡି ଭଳି କିଛି ନିର୍ବିବାଦୀୟ ସହଯୋଗୀଙ୍କ ଆବଶ୍ୟକତା ପଡ଼ିବ । ତେଣୁ ବିଜେଡି ଭଳି ନିଜର ପୁରୁଣା ସହଯୋଗୀକୁ ଏବେ ଅସନ୍ତୁଷ୍ଟ କରିବା ଚକ୍କରରେ ବିଜେପି ଜାତୀୟ ନେତୃତ୍ୱ ନଥିବା ଆକଳନ କରାଯାଉଛି । ମୋଦିଙ୍କ ଆଭିମୁଖ୍ୟରେ ହିଁ ଏହାର ହିଁ ପ୍ରତିଫଳନ ବାରିପଦା ଜନସଭାରେ ହୋଇଛି ।

Leave a Reply

Your email address will not be published. Required fields are marked *

Most Popular

Exit mobile version