ରାଜନୀତି
‘ଶଙ୍ଖା-ସିନ୍ଦୁର କିଣିବା ପାଇଁ ଆଉ ସ୍ୱାମୀ ଉପରେ ନିର୍ଭରଶୀଳ ନୁହଁନ୍ତି ମହିଳା’
ଏରସମା : ମହିଳାମାନେ ଏବେ ନିଜର ଆର୍ଥିକ ଆବଶ୍ୟକତା ପୂରଣ ପାଇଁ ଆଉ ସ୍ୱାମୀମାନଙ୍କ ଉପରେ ନିର୍ଭରଶୀଳ ନୁହଁନ୍ତି । ନିଜେ ଆର୍ଥିକ ସ୍ୱାବଲମ୍ବୀ ହେବା ସହ ଜଣେ ମହିଳା ଘରର ବିଭିନ୍ନ କାର୍ଯ୍ୟ ପାଇଁ ସ୍ୱାମୀଙ୍କୁ ମଧ୍ୟ ଆର୍ଥିକ ସହଯୋଗର ହାତ ବଢ଼ାଇପାରୁଛି । ଆଉ ଏସବୁ କେବଳ ନବୀନ ପଟ୍ଟନାୟକ ନେତୃତ୍ୱାଧୀନ ବିଜେଡି ସରକାରର ମିଶନ ଶକ୍ତି, ମା’ଙ୍କୁ ସମ୍ମାନ ଓ ମହିଳାକେନ୍ଦ୍ରିକ ଏକାଧିକ ଯୋଜନା ପାଇଁ ସମ୍ଭବପର ହୋଇପାରିଛି ବୋଲି ବାଲିକୁଦା-ଏରସମା ବିଧାୟକ ତଥା ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ପ୍ରଶାନ୍ତ କୁମାର ମୁଦୁଲି କହିଛନ୍ତି ।
ଏରସମା ବ୍ଲକ ମହିଳା ବିଜେଡି ସଭାନେତ୍ରୀ ପ୍ରଦାୟିନୀ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମହିଳା ସମାବେଶରେ ସ୍ଥାନୀୟ ସାଂସଦ ଡାକ୍ତର କୁଳମଣି ସାମଲ ଯୋଗ ଦେଇ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ । ସେହିପରି ଦଳର ପର୍ଯ୍ୟବେକ୍ଷକ ପ୍ରକାଶ ବସ୍ତିଆ କହିଥିଲେ ଯେ, ପ୍ରବାଦପୁରୁଷ ବିଜୁ ପଟ୍ଟନାୟକ ମହିଳାମାନଙ୍କ କଲ୍ୟାଣ ନିମନ୍ତେ ନେଇଥିବା ପଦକ୍ଷେପ ଓ ଆହୁରି ପାଦେ ଆଗେଇ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାର ମହିଳାଙ୍କ ପାଇଁ ଜନନୀ ସୁରକ୍ଷା ଯୋଜନାଠୁ ଆରମ୍ଭ କରି ବିଭିନ୍ନ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ । ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କ ଦ୍ୱାରା ନିର୍ବାଚନମଣ୍ଡଳୀରେ ଚାଲିଥିବା ବିକାଶ ପ୍ରକ୍ରିୟାକୁ ଆଗେଇ ନେବା ପାଇଁ ସମସ୍ତେ ସହଯୋଗ କରିବା ନିମନ୍ତେ ସେ ଆହ୍ୱାନ କରିଥିଲେ ।
ଏହି ଅବସରରେ ସ୍ଥାନୀୟ ଅଂଚଳର ମଦମୁକ୍ତି ଅଭିଯାନର ନେତୃତ୍ୱ ନେଇଥିବା ରୀନାରାଣୀ ମାଇତି ବିଧାୟକଙ୍କ ସମ୍ମୁଖରେ ଚୋରାମଦ କାରବାରକୁ ରୋକିବା ପାଇଁ ପୁଲିସ ପ୍ରଶାସନ ସହଯୋଗ କରୁନଥିବା ନେଇ ଅଭିଯୋଗ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟା ସ୍ୱର୍ଣ୍ଣଲତା ସେନାପତି ଓ ଜୟଶ୍ରୀ ଦର୍ପଦଳିନୀ, ବାଲିକୁଦା ବ୍ଲକ୍ ବିଜେଡି ମହିଳା ସଭାନେତ୍ରୀ ବିଦୁଲତା, ବାଲିକୁଦା ବ୍ଲକ୍ ଅଧ୍ୟକ୍ଷା ମଧୁସ୍ମିତା ସାହୁ ପ୍ରମୁଖ ନବୀନ ପଟ୍ଟନାୟକ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ମତ ରଖିଥିଲେ । ଜିଲ୍ଲା ପରିଷଦ ସଭ୍ୟା ଇତିଶ୍ରୀ ଭୂୟାଁ ସ୍ୱାଗତ ଭାଷଣ ଦେଇଥିଲେ ।
ଏରସମାରେ ପଦଯାତ୍ରା ଆରମ୍ଭ
ଅକ୍ଟୋବର ୨ତାରିଖରୁ ଆରମ୍ଭ ହୋଇଥିବା ଦଳର ପଦଯାତ୍ରା ଅବସରରେ ବିଧାୟକ ପ୍ରଶାନ୍ତ ମୁଦୁଲି ଶୁକ୍ରବାର ଗଡ଼ହରିଶପୁର ପଂଚାୟତର ବିଭିନ୍ନ ଗାଁରେ ପଦଯାତ୍ରା କରିଥିଲେ । ଏହି ପଦଯାତ୍ରାରେ ବହୁ ମହିଳା ଓ ସ୍ଥାନୀୟ ଲୋକ ସାମିଲ ହୋଇଥିଲେ । ପଦଯାତ୍ରା ସମୟରେ ଅନେକ ଲୋକ ବାର୍ଦ୍ଧକ୍ୟ ଭତା,ଆବାସ ଯୋଜନା ଓ ଖାଦ୍ୟ ସୁରକ୍ଷା ଯୋଜନାରେ ସେମାନଙ୍କୁ ସାମିଲ କରିବା ପାଇଁ ଆବେଦନପତ୍ର ଦେଇଥିଲେ । ଏହା ସହିତ ନିଜ ନିଜ ଅଂଚଳର ବିଭିନ୍ନ ସମସ୍ୟା ସମ୍ପର୍କରେ ବିଧାୟକଙ୍କ ସହ ଆଲୋଚନା କରିଥିଲେ । ସ୍ଥାନୀୟ ବ୍ଲକ୍ ଅଧ୍ୟକ୍ଷ ଓ ଜିଲ୍ଲା ପରିଷଦ ସଭ୍ୟଙ୍କ ଉପସ୍ଥିତିରେ ବିଧାୟକ ଶ୍ରୀ ମୁଦୁଲି ପ୍ରତ୍ୟେକଟି ଅଭିଯୋଗ ଶୁଣିବା ସହ ସେଗୁଡ଼ିକର ତୁରନ୍ତ ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।