ରାଜନୀତି

‘ଶଙ୍ଖା-ସିନ୍ଦୁର କିଣିବା ପାଇଁ ଆଉ ସ୍ୱାମୀ ଉପରେ ନିର୍ଭରଶୀଳ ନୁହଁନ୍ତି ମହିଳା’

Posted on

ଏରସମା : ମହିଳାମାନେ ଏବେ ନିଜର ଆର୍ଥିକ ଆବଶ୍ୟକତା ପୂରଣ ପାଇଁ ଆଉ ସ୍ୱାମୀମାନଙ୍କ ଉପରେ ନିର୍ଭରଶୀଳ ନୁହଁନ୍ତି । ନିଜେ ଆର୍ଥିକ ସ୍ୱାବଲମ୍ବୀ ହେବା ସହ ଜଣେ ମହିଳା ଘରର ବିଭିନ୍ନ କାର୍ଯ୍ୟ ପାଇଁ ସ୍ୱାମୀଙ୍କୁ ମଧ୍ୟ ଆର୍ଥିକ ସହଯୋଗର ହାତ ବଢ଼ାଇପାରୁଛି । ଆଉ ଏସବୁ କେବଳ ନବୀନ ପଟ୍ଟନାୟକ ନେତୃତ୍ୱାଧୀନ ବିଜେଡି ସରକାରର ମିଶନ ଶକ୍ତି, ମା’ଙ୍କୁ ସମ୍ମାନ ଓ ମହିଳାକେନ୍ଦ୍ରିକ ଏକାଧିକ  ଯୋଜନା ପାଇଁ ସମ୍ଭବପର ହୋଇପାରିଛି ବୋଲି ବାଲିକୁଦା-ଏରସମା ବିଧାୟକ ତଥା ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ପ୍ରଶାନ୍ତ କୁମାର ମୁଦୁଲି କହିଛନ୍ତି ।
ଏରସମା ବ୍ଲକର ଗଡ଼ହରିଶପୁର ପଂଚାୟତର ମନସା ମନ୍ଦିର ପଡ଼ିଆରେ ଆୟୋଜିତ ନିର୍ବାଚନମଣ୍ଡଳୀସ୍ତରୀୟ ବିଶାଳ ମହିଳା ସମାବେଶରେ ଯୋଗ ଦେଇ ଶ୍ରୀ ମୁଦୁଲି କହିଥିଲେ ଯେ, ଦିନ ଥିଲା ଗାଁ ଗହଳିର ମା’-ଭଉଣୀମାନେ ଘରର ଚାରିକାନ୍ଥ ଭିତରେ ନିଜକୁ ସୀମିତ ରଖୁଥିଲେ । ସେମାନଙ୍କ ପାଖରେ ଉପାର୍ଜନର କୌଣସି ମାଧ୍ୟମ ନଥିଲା । ସ୍ୱାମୀଙ୍କ ମଙ୍ଗଳ କାମନା କରି ପିନ୍ଧୁଥିବା ଶଙ୍ଖା ଓ ସିନ୍ଦୁରକୁ କିଣିବା ପାଇଁ ସ୍ୱାମୀ ପାଖରେ ହାତ  ପତାଇବାକୁ ପଡ଼ୁଥିଲା । କିନ୍ତୁ ଏବେ ସମୟ ବଦଳିଛି । ନିଜ ଖର୍ଚ୍ଚ ନିଜେ ତୁଲାଇବାରେ ମହିଳାମାନେ ସକ୍ଷମ ହେଲେଣି । ଏପରିକି ସ୍ୱାମୀମାନଙ୍କୁ ଏବେ ଘରର ପ୍ରମୁଖ କାର୍ଯ୍ୟ ପାଇଁ ଆର୍ଥିକ ସହଯୋଗ କରିବା ନିମନ୍ତେ ନିଜର ପତ୍ନୀମାନଙ୍କ ଉପରେ ନିର୍ଭରଶୀଳ ହେବାକୁ ପଡ଼ିଛି । ଏସଏଚଜି ଗ୍ରୁପ୍ ମାଧ୍ୟମରେ ମହିଳାମାନେ ଲକ୍ଷ ଲକ୍ଷ ଟଙ୍କା ସଂଚୟ କରିବା ସହ ନିଜର ପୁଞ୍ଜି ବଢ଼ାଇ ପାରିଛନ୍ତି । ଯେଉଁ ମହିଳା ଦିନେ ନିଜ ସ୍ୱାମୀର ମଙ୍ଗଳ ପାଇଁ ପିନ୍ଧୁଥିବା ଶଙ୍ଖା ଓ ସିନ୍ଦୁର କିଣିବାକୁ ସ୍ୱାମୀ ପାଖରେ ପଇସା ପାଇଁ ହାତ ପତାଉଥିଲେ ଏବେ ସେହି ମହିଳା ସ୍ୱାମୀକୁ ୧୦ହଜାର,୨୦ହଜାର,୫୦ହଜାର ଟଙ୍କା ଆର୍ଥିକ ସହଯୋଗ ଦେଇପାରୁଛି।ତା’ପୁଣି ସେ ସଦସ୍ୟ ଥିବା ଏସଏଚଜିରୁ ଆଣି।ତଳ ହାତରେ ଦେଉଥିବା ସ୍ୱାମୀ ଏବେ ଉପର ହାତରେ ନିଜର ପତ୍ନୀଠାରୁ ନିଜର ଅଭାବ ସମୟରେ ଅର୍ଥ ନେଉଛି। ଏଭଳି କିଛି ବାସ୍ତବ କଥାକୁ ଏଠି ଉପସ୍ଥିତ ମହିଳା ଓ ପୁରୁଷ ବନ୍ଧୁମାନେ ନିଶ୍ଚିତ ଭାବେ ସ୍ୱୀକାର କରିବେ।ସମାବେଶ ହୋଇଥିବା ପଡ଼ିଆରେ ଖୁବଶୀଘ୍ର ଏକ ଷ୍ଟାଡ଼ିୟମ ନିର୍ମାଣ କରାଯିବ ବୋଲି ବିଧାୟକ ଶ୍ରୀ ମୁଦୁଲି ପ୍ରତିଶ୍ରୁତି ଦେବା ସହ ସ୍ଥାନୀୟ ମହିଳାଙ୍କ ଦ୍ୱାରା ଚାଲିଥିବା ମଦମୁକ୍ତି ଅଭିଯାନକୁ ସେ ସମସ୍ତ ପ୍ରକାର ସମର୍ଥନ କରନ୍ତି ବୋଲି ଘୋଷଣା କରିଥିଲେ ।
ଏରସମା ବ୍ଲକ ମହିଳା ବିଜେଡି ସଭାନେତ୍ରୀ ପ୍ରଦାୟିନୀ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମହିଳା ସମାବେଶରେ ସ୍ଥାନୀୟ ସାଂସଦ ଡାକ୍ତର କୁଳମଣି ସାମଲ ଯୋଗ ଦେଇ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ । ସେହିପରି ଦଳର ପର୍ଯ୍ୟବେକ୍ଷକ ପ୍ରକାଶ ବସ୍ତିଆ କହିଥିଲେ ଯେ, ପ୍ରବାଦପୁରୁଷ ବିଜୁ ପଟ୍ଟନାୟକ ମହିଳାମାନଙ୍କ କଲ୍ୟାଣ ନିମନ୍ତେ ନେଇଥିବା ପଦକ୍ଷେପ ଓ ଆହୁରି ପାଦେ ଆଗେଇ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାର ମହିଳାଙ୍କ ପାଇଁ ଜନନୀ ସୁରକ୍ଷା ଯୋଜନାଠୁ ଆରମ୍ଭ କରି ବିଭିନ୍ନ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ । ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କ ଦ୍ୱାରା ନିର୍ବାଚନମଣ୍ଡଳୀରେ ଚାଲିଥିବା ବିକାଶ ପ୍ରକ୍ରିୟାକୁ ଆଗେଇ ନେବା ପାଇଁ ସମସ୍ତେ ସହଯୋଗ କରିବା ନିମନ୍ତେ ସେ ଆହ୍ୱାନ କରିଥିଲେ ।
ଏହି ଅବସରରେ ସ୍ଥାନୀୟ ଅଂଚଳର ମଦମୁକ୍ତି ଅଭିଯାନର ନେତୃତ୍ୱ ନେଇଥିବା ରୀନାରାଣୀ ମାଇତି ବିଧାୟକଙ୍କ ସମ୍ମୁଖରେ ଚୋରାମଦ କାରବାରକୁ ରୋକିବା ପାଇଁ ପୁଲିସ ପ୍ରଶାସନ ସହଯୋଗ କରୁନଥିବା ନେଇ ଅଭିଯୋଗ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟା ସ୍ୱର୍ଣ୍ଣଲତା ସେନାପତି ଓ ଜୟଶ୍ରୀ ଦର୍ପଦଳିନୀ, ବାଲିକୁଦା ବ୍ଲକ୍ ବିଜେଡି ମହିଳା ସଭାନେତ୍ରୀ ବିଦୁଲତା, ବାଲିକୁଦା ବ୍ଲକ୍ ଅଧ୍ୟକ୍ଷା ମଧୁସ୍ମିତା ସାହୁ ପ୍ରମୁଖ ନବୀନ ପଟ୍ଟନାୟକ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ମତ ରଖିଥିଲେ । ଜିଲ୍ଲା ପରିଷଦ ସଭ୍ୟା ଇତିଶ୍ରୀ ଭୂୟାଁ ସ୍ୱାଗତ ଭାଷଣ ଦେଇଥିଲେ ।
ଏରସମାରେ ପଦଯାତ୍ରା ଆରମ୍ଭ
ଅକ୍ଟୋବର ୨ତାରିଖରୁ ଆରମ୍ଭ ହୋଇଥିବା ଦଳର ପଦଯାତ୍ରା ଅବସରରେ ବିଧାୟକ ପ୍ରଶାନ୍ତ ମୁଦୁଲି ଶୁକ୍ରବାର ଗଡ଼ହରିଶପୁର ପଂଚାୟତର ବିଭିନ୍ନ ଗାଁରେ ପଦଯାତ୍ରା କରିଥିଲେ । ଏହି ପଦଯାତ୍ରାରେ ବହୁ ମହିଳା ଓ ସ୍ଥାନୀୟ ଲୋକ ସାମିଲ ହୋଇଥିଲେ । ପଦଯାତ୍ରା ସମୟରେ ଅନେକ ଲୋକ ବାର୍ଦ୍ଧକ୍ୟ ଭତା,ଆବାସ ଯୋଜନା ଓ ଖାଦ୍ୟ ସୁରକ୍ଷା ଯୋଜନାରେ ସେମାନଙ୍କୁ ସାମିଲ କରିବା ପାଇଁ ଆବେଦନପତ୍ର ଦେଇଥିଲେ । ଏହା ସହିତ ନିଜ ନିଜ ଅଂଚଳର ବିଭିନ୍ନ ସମସ୍ୟା ସମ୍ପର୍କରେ ବିଧାୟକଙ୍କ ସହ ଆଲୋଚନା କରିଥିଲେ । ସ୍ଥାନୀୟ ବ୍ଲକ୍ ଅଧ୍ୟକ୍ଷ ଓ ଜିଲ୍ଲା ପରିଷଦ ସଭ୍ୟଙ୍କ ଉପସ୍ଥିତିରେ ବିଧାୟକ ଶ୍ରୀ ମୁଦୁଲି ପ୍ରତ୍ୟେକଟି ଅଭିଯୋଗ ଶୁଣିବା ସହ ସେଗୁଡ଼ିକର ତୁରନ୍ତ ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

Leave a Reply

Your email address will not be published. Required fields are marked *

Most Popular

Exit mobile version