Latest

ବ୍ଲେଡ୍‌ରେ ପୁଅ ଓ ସ୍ତ୍ରୀଙ୍କ ବେକ କାଟି ନିଜେ ଝୁଲିପଡ଼ିଲା !

Posted on

ବ୍ରହ୍ମପୁର,(ଓଡ଼ିଶା ଓ୍ବେୟାର) : ଜଣେ ବାପା କଣ ଏତେ କ୍ରୁର ହୋଇପାରେ? ଜଣେ ସ୍ୱାମୀ କଣ ଏତେ ଭୟାନକ ହୋଇପାରେ? କାରଣ ସେ ନିଜର ୧୦ ମାସର ପୁଅ ଓ ସାତ ଜନମର ସାଥୀକୁ ଅତି ନିର୍ମମ ଭାବେ ହତ୍ୟା କରିଛି! ହେକ୍ସା ବ୍ଲେଡ୍‌ରେ ପୁଅ ଓ ସ୍ତ୍ରୀଙ୍କ ବେକ କାଟି ହତ୍ୟା କରିବା ପରେ ନିଜେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି! ଆଜି ଏପରି ନୃଶଂସ ଓ ହୃଦୟ ବିଦାରକ ଘଟଣା ବ୍ରହ୍ମପୁର ଚମାଖଣ୍ଡି ଥାନା ପୁଟବଗଡ଼ ଗାଁରେ ଘଟିଛି। ପ୍ରାଥମିକ ତଦନ୍ତରୁ ପାରିବାରିକ କଳହରୁ ଏପରି ହତ୍ୟାକାଣ୍ଡ ଘଟିଥିବା ପୁଲିସ ସନ୍ଦେହ କରୁଛି।
ପୂରା ଘଟଣାଟି ଏମିତି। ପୁଟବଗଡ଼ ଗାଁର ସୁଜନ ପ୍ରଧାନ ଜଣେ ଚାଷୀ। ଚାଷବାସ କରି ପରିବାର ଭରଣ ପୋଷଣ କରନ୍ତି। ୩ ବର୍ଷ ତଳେ ସୁମିତ୍ରାଙ୍କୁ ସେ ବିବାହ କରିଥିଲେ। ବିବାହ ପରେ ଠିକ୍‌ଠାକ୍‌ ଚାଲିଥିଲା ପରିବାର। ତାଙ୍କର ୧୦ ମାସର ପୁଅଟି ଅଛି। ପରେ ସେ ଭାଇମାନଙ୍କଠାରୁ ଅଲଗା ହୋଇ ରହୁଥିଲେ। ସୁଜନ ଘରର ଉପର ମହଲାରେ ରହୁଥିବା ବେଳେ ଅନ୍ୟ ଭାଇ ଓ ପରିବାର ଲୋକ ତଳ ଘରେ ରହୁଥିଲେ।
ପରିବାର ଲୋକଙ୍କ କହିବା ଅନୁସାରେ ଚଳିତବର୍ଷ ଋଣ ଓ ଧାର ଉଧାର କରି ଚାଷ କରିଥିଲେ ସୁଜନ। ହେଲେ ସ୍ୱଳ୍ପ ବର୍ଷା ସବୁକିଛି ଓଲଟ ପାଲଟ କରିଦେଲା। ଭଲ ଚାଷ ନହେବାରୁ ଋଣ ଟଙ୍କା ପରିଷୋଧକୁ ନେଇ ଚିନ୍ତାରେ ଥିଲେ। ଯାହାକୁ ନେଇ ମଝିରେ ମଝିରେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହେଉଥିଲା। ଯେଉଁଥିପାଇଁ ତାଙ୍କ ସ୍ତ୍ରୀ ବାପ ଘରକୁ ଚାଲି ଯାଇଥିଲେ। ମାତ୍ର ପରବର୍ତ୍ତୀ ସମୟରେ ପରିବାର ଲୋକେ ବୁଝାସୁଝା କରି ଶାଶୂ ଘରେ ଛାଡ଼ି ଯାଇଥିଲେ।
ସବୁଦିନ ପରି ମଙ୍ଗଳବାର ରାତିରେ ଖାଇ ପିଇ ପୂରା ପରିବାର ଘରେ ଶୋଇଥିଲେ। ହେଲେ ଆଜି ସକାଳେ କିନ୍ତୁ କବାଟ ଖୋଲିନଥିଲେ। ସୁଜନଙ୍କ ସାନ ବଜାରରୁ ଚାଉଳ ଆଣିବା ପାଇଁ ତାଙ୍କ କବାଟ ବାଡ଼େଇ ଥିଲେ। ମାତ୍ର ସେ କବାଟ ଖୋଲିନଥିଲେ। ଦୀର୍ଘ ସମୟ ଧରି ଅପେକ୍ଷା କରି ସେ ଫେରି ସାହି ପଡ଼ିଶାଙ୍କୁ ଡାକିଥିଲେ। ପରେ ପୁଲିସକୁ ଖବର ଦିଆଯାଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି କବାଟ ଭାଙ୍ଗି ମୃତଦେହ ଜବତ କରିଥିଲା।
ସୁଜନ ରଶି ଲଗାଇ ଆତ୍ମହତ୍ୟା କରିଥିବା ବେଳେ ତାଙ୍କ ପତ୍ନୀ ଓ ୧୦ ମାସ ପୁଅର ଗଳା କଟା ଯାଇଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ସୁଜନ ହେକ୍ସା ବ୍ଲେଡ୍‌ରେ ସୁମିତ୍ରା ଓ ପୁଅ ରମେଶର ଗଳା କାଟି ହତ୍ୟା କରିଛନ୍ତି। ପରେ ସେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି।

Leave a Reply

Your email address will not be published. Required fields are marked *

Most Popular

Exit mobile version