Latest

ଏବର୍ଷ ବି ରଥ ଟାଣିବେ ସେବାୟତ

Posted on

ପୁରୀ, (ଓଡ଼ିଶା ୱେୟାର):
କୋଭିଡ୍ କଟକଣା ମଧ୍ୟରେ ହେବ ମହାପ୍ରଭୁଙ୍କ ରଥଯାତ୍ରା। ଗତବର୍ଷ ଭଳି ଏବର୍ଷ କେବଳ ସେବାୟତମାନେ ହିଁ ଟାଣିବେ ରଥ। ରଥଟଣା ବେଳେ ସେବାୟତମାନଙ୍କୁ ମୋବାଇଲ ଓ କ୍ୟାମେରା ମନା। ରଥଯାତ୍ରା ବେଳେ ସେବାୟତମାନେ ଫଟୋ ଉଠାଇ ପାରିବେ ନାହିଁ ବୋଲି ଆଜି ବସିଥିବା ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ହୋଇଛି।
ବୈଠକ ସରିବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଗଣମାଧ୍ୟମକୁ କହିଛନ୍ତି, “ମହାପ୍ରଭୁଙ୍କ ରଥକୁ ମନ୍ଦିର କିମ୍ବା ଜିଲ୍ଲା ପ୍ରଶାସନର ଅଧିକାରୀମାନେ ରଥ ଟାଣିବେ ନାହିଁ। ରଥଯାତ୍ରାରେ ସଂପୃକ୍ତ ସେବାୟତ ଓ ଅଧିକାରୀଙ୍କର କୋଭିଡ୍ ଟେଷ୍ଟ ହେବ। ପ୍ରବଳ ଖରାକୁ ଦୃଷ୍ଟିରେ ରଖି ବଡ଼ଦାଣ୍ଡରେ ବିଶ୍ରାମର ବ୍ୟବସ୍ଥା ହେବ। ସେବାୟତମାନଙ୍କୁ ଯୋଗାଇ ଦିଆଯିବ ମାସ୍କ ଓ ସାନିଟାଇଜର।”
ସେପଟେ ବିନାଭକ୍ତରେ ରଥଯାତ୍ରା ପାଇଁ ତତ୍ପର ହୋଇଛି ପୁରୀ ପୁଲିସ୍। ସ୍ନାନଯାତ୍ରା ଅପେକ୍ଷା ଘୋଷଯାତ୍ରା ପାଇଁ କଟକଣା ଆହୁରି କଡ଼ା ହେବ। ରଥଯାତ୍ରା ପାଇଁ ପୁରୀ ସହରକୁ ୧୨ଟି ଜୋନ ଓ ବଡ଼ଦାଣ୍ଡକୁ ତିନିଟି ଜୋନ୍ରେ ବିଭକ୍ତ କରାଯିବ ବୋଲି ପୁରୀ ଏସ୍ପି କନଓ୍ୱର ବିଶାଳ ସିଂ ସୂଚନା ଦେଇଛନ୍ତି। ଏଥିସହ ପ୍ରାୟ ୭୦ ପ୍ଲାଟୁନ୍ ଫୋର୍ସ ଏଥର ମୁତୟନ ହେବେ। ରଥଯାତ୍ରା ପୂର୍ବ ରାତିରୁ ସହରର ସବୁ ପ୍ରବେଶ ପଥ ସିଲ୍ କରାଯିବାକୁ ସ୍ଥିର ହୋଇଛି ବୋଲି ଏସ୍ପି କହିଛନ୍ତି।
ସେପଟେ ସରି ସରି ଆସୁଛି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଅଣସର। ଜୁଲାଇ ୯ ତାରିଖରେ ନେତ୍ରୋତ୍ସବ ସହ ନବଯୌବନ ଦର୍ଶନ ହେବ। ଜୁଲାଇ ୧୦ ଓ ୧୧ ଦୁଇଦିନ ଧରି ଉଭା ଯାତ୍ରା ପରେ ୧୨ ତାରିଖରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଜ୍ୱରରୁ ଶ୍ରୀଜିଉଙ୍କୁ ସୁସ୍ଥ କରିବାକୁ ଓଷ ଲାଗି ନୀତିର ଆଜି ଶେଷ ଦିନ। ତେଣେ ତିନି ରଥର ନିର୍ମାଣ କାର‌୍ୟ୍ୟ ମଧ୍ୟ ପ୍ରାୟ ସରି ଆସିଲାଣି।

Leave a Reply

Your email address will not be published. Required fields are marked *

Most Popular

Exit mobile version