Latest

ଆଉ ୬ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ରାଜ୍ୟ ସରକାର

Posted on

ଭୁବନେଶ୍ବର(ଓଡ଼ିଶା ୱେୟାର) : ଆଉ ୬ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ସରକାର। ଏମାନଙ୍କ ମଧ୍ୟରେ ୩ ଜଣ ନିର୍ବାହୀ ଯନ୍ତ୍ରୀ, ପୋଲିସ ଇନ୍‌ସପେକ୍ଟର, ଅତିରିକ୍ତ ଯୋଗାଣ ଅଧିକାରୀ ଓ ଜିଲ୍ଲା କଲ୍ୟାଣ ଅଧିକାରୀ ରହିଛନ୍ତି। ସାଧାରଣ ଜୀବନରେ କ୍ଷେତ୍ରରେ ଉଚ୍ଚ ନୈତିକତା ଓ ସାଧୁତା ବଜାୟ ରଖିବା ଉପରେ ମୁଖ୍ୟମନ୍ତ୍ରୀ ସବୁବେଳେ ଗୁରୁତ୍ୱ ଦେଇଆସିଛନ୍ତି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଜନସ୍ୱାସ୍ଥ୍ୟ ଇଞ୍ଜିନିୟରିଂ କ୍ୟାଡରର ୩ ଜଣ ନିର୍ବାହୀ ଯନ୍ତ୍ରୀ ରହିଛନ୍ତି।

ଏମାନଙ୍କ ମଧ୍ୟରୁ ଶ୍ରୀ ସରୋଜ କୁମାର ଦାସଙ୍କ କାର‌୍ୟ୍ୟଶୈଳୀ ଆଦୌ ସନ୍ତୋଷଜନକ ନ ଥିଲା ଏବଂ କାର‌୍ୟ୍ୟ କ୍ଷେତ୍ରରେ ଅତ୍ୟନ୍ତ ଅପାରଗ ଥିଲେ। ତାଙ୍କ କାର‌୍ୟ୍ୟଶୈଳୀରେ ଅସଙ୍ଗତି, ନିଷ୍ଠାର ଅଭାବ ଏବଂ ଅପାରଗତା ଯୋଗୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ସେହିପରି ଏକ୍‌ଜିକ୍ୟୁଟିଭ ଇଞ୍ଜିନିୟର ଶ୍ରୀ ଦୟାନିଧି ସାମଲଙ୍କ କାର‌୍ୟ୍ୟକଳାପ ମଧ୍ୟ ସନ୍ତୋଷଜନକ ନୁହେଁ। ଅପାରଗତା ଓ ଅସାଧୁତା ଆଦି କାରଣରୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ନିର୍ବାହୀ ଯନ୍ତ୍ରୀ ଶ୍ରୀ କରୁଣାକର ଘଡାଇଙ୍କ ନାମରେ ଗୋଟିଏ ଦୁର୍ନୀତି ଅଭିଯୋଗ ରହିଛି। ଜଣେ ଯୋଗାଣକାରୀଙ୍କୁ ସେ ଅନୁଚିତ ଅନୁଗ୍ରହ ପ୍ରଦର୍ଶନ କରିଥିଲେ। ତାଙ୍କ କାର‌୍ୟ୍ୟକଳାପ ସନ୍ତୋଷଜନକ ନଥିବା ଓ ତାଙ୍କ ବିରୁଦ୍ଧରେ ଅସାଧୁତାର ପ୍ରମାଣ ଥିବାରୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି।

ଅନୁଗୁଳ ଜିଲ୍ଲା ପୋଲିସ ଇନ୍ସପେକ୍ଟର ଶ୍ରୀ ରତ୍ନାକର ମଲ୍ଲିକଙ୍କୁ ଅପାରଗତା କାରଣକୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ନୂଆପଡା ଜିଲ୍ଲାର ଅତିରିକ୍ତ ଯୋଗାଣ ଅଧିକାରୀ ଶ୍ରୀ ରତ୍ନାକର ସେଠୀଙ୍କ ନାମରେ ଦୁଇଟି ଦୁର୍ନୀତି ମାମଲା ରହିଛି। ତାଙ୍କ ନିକଟରୁ ସାଢେ ୬ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ ପରେ ଜେଲ ପଠାଇ ଦିଆଯାଇଛି। ଅସାଧୁତା କାରଣରୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ଅନୁଗୁଳ ଜିଲ୍ଲାର ପୂର୍ବତନ କଲ୍ୟାଣ ଅଧିକାରୀ ଚାରୁଲତା ମଲ୍ଲିକ ଲାଞ୍ଚ ନେଉଥିବା ବେଳେ ଦୁର୍ନୀତି ନିବାରଣ ବିଭାଗ ଦ୍ଵାରା ଧରା ପଡିଥିଲେ। ନିଲମ୍ବନ ପରେ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ୧୫୮ ଜଣ ଅଧିକାରୀଙ୍କୁ ଚାକିରୀରୁ ବହିଷ୍କାର ବା ବାଧ୍ୟତାମୂଳକ ଅବସର ଦିଆଯାଇଛି।

Leave a Reply

Your email address will not be published. Required fields are marked *

Most Popular

Exit mobile version