Latest

କାଲିଠୁ ଖୋଲିବ ଶ୍ରୀମନ୍ଦିର

Posted on

ପୁରୀ,(ଓଡ଼ିଶା ୱେୟାର): ଶ୍ରୀମନ୍ଦିର ଦର୍ଶନ ପାଇଁ ଆସିଲା ଏସଓପି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରି ହେଲା SOP ଜାରି ହୋଇଛି। ୧୨ ଓ ୧୩ରେ ସେବାୟତ ଓ ତାଙ୍କ ପରିବାର କରିବେ ଦର୍ଶନ । ସକାଳ ୭ଟାରୁ ସଂଧ୍ୟା ୭ଟା ଯାଏ ଚାଲିବ ଦର୍ଶନ। ୧୬ରୁ ୨୦ତାରିଖ ଯାଏ ପୁରୀ ସହରବାସୀ କରିବେ ଦର୍ଶନ। ୨୩ରୁ ସର୍ବସାଧାରଣଙ୍କୁ ଦର୍ଶନ ଅନୁମତି । ଜନ୍ମାଷ୍ଟମୀ ଓ ଗଣେଶ ଚତୁର୍ଥୀରେ ବନ୍ଦ ରହିବ ଶ୍ରୀ ମନ୍ଦିର। କୋଭିଡ୍‌ କଟକଣାକୁ କଡ଼ାକଡ଼ି ଭାବେ ପାଳନ କରାଯିବ। ଶନିବାର ଓ ରବିବାର ସାଧାରଣ ଦର୍ଶନ ବନ୍ଦ ରହିବ। ଭକ୍ତ,ଶ୍ରଦ୍ଧାଳୁ ଶ୍ରୀମନ୍ଦିର ସିଂହଦ୍ୱାର ଦେଇ ପ୍ରବେଶ କରିବେ ଓ ଉତ୍ତର ଦ୍ୱାର ଦେଇ ପ୍ରସ୍ଥାନ କରିବେ। ଶ୍ରୀମନ୍ଦିର ଭିତରେ ମହାପ୍ରସାଦ ସେବନ କରିପାରିବେ ନାହିଁ। କୋଭିଡ କଟକଣା ଓ ଏସଓପିକୁ କଡାକଡି ଭାବେ ପାଳନ କରାଯିବ। କରୋନା ମହାମାରୀ ପାଇଁ ଏପ୍ରିଲ ୨୪ରୁ ଶ୍ରୀମନ୍ଦିର ବନ୍ଦ ରହିଛି।
ଛତିଶା ନିଯୋଗ ବୈଠକ ନିଷ୍ପତ୍ତି ପରେ ଶ୍ରୀମନ୍ଦିର ଖୋଲିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆଜି ଏସଓପି ଜାରି ହୋଇଛି । ୧୨ ଓ ୧୩ ଦୁଇଦିନ ଧରି ସେବାୟତ ଓ ତାଙ୍କ ପରିବାରର ସଦସ୍ୟ ପ୍ରଥମେ ଦର୍ଶନ ସୁଯୋଗ ପାଇବେ। ସେମାନେ ଯେକୌଣସି ଦ୍ୱାର ଦେଇ ପ୍ରବେଶ କରିପାରିବେ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଯୋଗାଯାଇଥିବା ହେଲଥ କାର୍ଡ କିମ୍ବା ଅନ୍ୟ ପରିଚୟପତ୍ର ଦେଖାଇ ଯାଇପାରିବେ। ୧୬ରୁ ୨୦ ତାରିଖ ଯାଏ ପୁରୀ ସହରବାସୀ ୱାର୍ଡ ୱାରୀ ଦର୍ଶନ କରିବେ। ସେମାନଙ୍କୁ ପୁରୀ ପୌରପାଳିକା ପକ୍ଷରୁ ଚିରୁକୁଟି ଦିଆଯିବ। ଆଧାର କାର୍ଡ କିମ୍ବା ଭୋଟର ପରିଚୟପତ୍ର ଦେଖାଇ ଗୋଟିଏ ଚିରୁକୁଟିରେ ପରିବାରର ୬ ଜଣ ସଦସ୍ୟ ଦର୍ଶନ କରିପାରିବେ। ୨୩ରୁ ରାଜ୍ୟ ଭିତର ଓ ବାହାରର ଶ୍ରଦ୍ଧାଳୁ ଦର୍ଶନ କରିବେ।
ସେମାନଙ୍କ ପାଇଁ ୯୬ଘଣ୍ଟାର ଆରଟିପିସିଆର ନେଗେଟିଭ ରିପୋର୍ଟ କିମ୍ବା ଦୁଇ ପର୍ଯ୍ୟାୟ କୋଭିଡ ଟିକାକରଣ ରିପୋର୍ଟକୁ ବାଧ୍ୟତାମୂଳକ କରାଯାଇଛି। ସମସ୍ତେ ମାସ୍କ ପରିଧାନ କରିବା ସହ ସାମାଜିକ ଦୂରତ୍ୱ ରକ୍ଷା କରିବେ। ଶ୍ରୀମନ୍ଦିର ଭିତରକୁ ଫୁଲ,ତୁଳସୀ,ପ୍ରସାଦ କିମ୍ବା ଦୀପ ନେଇପାରିବେ ନାହିଁ। ଶ୍ରୀମନ୍ଦିର ଭିତରେ କୌଣସି ପାର୍ଶ୍ୱ ଦେବଦେବୀ କିମ୍ବା ବିଗ୍ରହଙ୍କୁ ସ୍ପର୍ଶ କରିପାରିବେ ନାହିଁ। ପାନ,ଗୁଟ୍‌ଖା ଖାଇବା ଉପରେ କଟକଣା ଲଗାଯାଇଛି। ଛେପ ପକାଇଲେ ୫୦୦ ଟଙ୍କା ଜରିମାନା ଓ ପଲିଥିନ ନେଲେ ୧୦୦ ଟଙ୍କା ଜରିମାନା ଦେବାକୁ ପଡିବ। ସପ୍ତାହାନ୍ତ ସଟଡାଉନ ଓ ଆଗକୁ ଆସୁଥିବା ପର୍ବପର୍ବାଣୀ ସମୟରେ ଶ୍ରୀମନ୍ଦିର ବନ୍ଦ ରହିବ ।

Leave a Reply

Your email address will not be published. Required fields are marked *

Most Popular

Exit mobile version