Latest

ବଜ୍ରପାତରେ ଚାଲିଗଲା ୨ ଚାଷୀଙ୍କ ଜୀବନ

Posted on

କେନ୍ଦୁଝର, (ଓଡ଼ିଶା ୱେୟାର): ଚାଷ କାମ କରୁଥିବା ବେଳେ ହଠାତ୍ ବଜ୍ରପାତ ହୋଇଥିଲା। ବିଲ ମଝିରେ ଟଳି ପଡ଼ିଲେ ଦୁଇ ଜଣ ଯୁବ ଚାଷୀ। ଏପରି ହୃଦୟବିଦାରକ ଘଟଣା କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ଡଳଙ୍ଗ ଗାଁରେ ଘଟିଛି।
ଈଶ୍ୱର ଚନ୍ଦ୍ର ବାରିକ ଓ ଚନ୍ଦ୍ର ଶେଖର ମହାନ୍ତ ଆଜି ବିଲରେ କାମ କରୁଥିଲେ। ଏହି ସମୟରେ ହଠାତ୍ ବଜ୍ରପାତ ହୋଇଥିଲା। ଫଳରେ ଦୁଇ ଚାଷୀଙ୍କର ଘଟଣାସ୍ଥରେ ମୃତ୍ୟୁ ଘଟିଥିଲା।
ସୂଚନାରୁ ପ୍ରକାଶ, ଆଜି ଅପରାହ୍ନରେ କେନ୍ଦୁଝର ଜିଲ୍ଲାର ଆକାଶରେ କାଳାହାଣ୍ଡିଆ ମେଘ ଘୋଟି ଆସିଥିଲା। ପରେ ଅଳ୍ପ ବର୍ଷା ହୋଇଥିଲା। ଏଥିସହ ବଜ୍ରପାତ ମଧ୍ୟ ହୋଇଥିଲା। ବଜ୍ରପାତରେ ଦୁଇ ଜଣ ଚାଷୀଙ୍କର ମୃତ୍ୟୁ ଘଟିଥିଲା।
ସେପଟେ ରାଜ୍ୟରେ ଜାରି ରହିଛି ଲଘୁଚାପ ଜନିତ ବର୍ଷା। ଗତ ୧ ଜୁନଠାରୁ ଆଜି ଯାଏଁ ଓଡ଼ିଶାରେ ୧୩୬. ୩ ମିଲିମିଟର ବର୍ଷା ହୋଇଛି। ସ୍ୱଭାବିକ ବର୍ଷା ତୁଳନାରେ ଚଳିତ ମାସରେ ବର୍ଷାର ପରିମାଣ ୮ ପ୍ରତିଶତ ଅଧିକ ହୋଇଛି। ଜୁନ ପହିଲାରୁ ଆଜିସୁଦ୍ଧା ରାୟଗଡ଼ା, ଗଂଜାମ, ଗଜପତି, ନୟାଗଡ଼, ଯାଜପୁର, ଭଦ୍ରକ ଓ କେନ୍ଦୁଝରରେ ବର୍ଷାର ପରିମାଣ ସ୍ୱାଭାବିକଠାରୁ ୨୦ରୁ ୫୯ ପ୍ରତିଶତ କମ୍ ରହିଛି।
ଏହି ସମୟ ମଧ୍ୟରେ ୩ ଜିଲ୍ଲା ସୁନ୍ଦରଗଡ଼, ଝାରସୁଗୁଡା ଏବଂ କୋରାପୁଟ ଜିଲ୍ଲାରେ ସ୍ୱାଭାବିକଠାରୁ ୬୦ ପ୍ରତିଶତ ଅଧିକ ବର୍ଷା ରେକର୍ଡ ହୋଇଛି। ୮ ଜିଲ୍ଲା କଟକ, ପୁରୀ, ଦେବଗଡ, ସମ୍ବଲପୁର, ବରଗଡ, ସୋନପୁର, ନୂଆପଡା ଓ ମାଲକାନଗିରିରେ ସ୍ୱାଭାବିକଠାରୁ ୨୦ ରୁ ୫୯ ପ୍ରତିଶତ ଯାଏଁ ଅଧିକ ବର୍ଷା ରେକର୍ଡ ହୋଇଛି। ଅବଶିଷ୍ଟ ୧୨ ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଛି।

Leave a Reply

Your email address will not be published. Required fields are marked *

Most Popular

Exit mobile version