Latest
ପ୍ରଥମ ପର୍ଯ୍ୟାୟ ଭୋଟ୍: ୭୦ ପ୍ରତିଶତ ମତଦାନ
ଭୁବନେଶ୍ୱର (ଓଡ଼ିଶା ୱେୟାର) : ଆଜି ଥିଲା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ। ରାଜ୍ୟ ବ୍ୟାପୀ ନିର୍ବାଚନ ଶାନ୍ତିଶୃଙ୍ଖଳାର ସହ ମତଦାନ ଶେଷ ହୋଇଛି। କାଁ ଭାଁ ହିଂସା ସାମ୍ନାକୁ ଆସିଛି। ଏହାକୁ ବାଦ୍ ଦେଲେ ଶାନ୍ତି ଶୃଙ୍ଖଳାରେ ସରିଛି ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ଭୋଟ୍ । ଏହି ସୂଚନା ପ୍ରଦାନ କରିଛନ୍ତି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ।
ସେ କହିଛନ୍ତି କି ପ୍ରଥମ ପର୍ଯ୍ୟାୟରେ ମୋଟ ୭୧ଟି ବ୍ଲକର ୧୬୬୯ଟି ପଞ୍ଚାୟତରେ ୨୦୦ ଜିଲ୍ଲା ପରିଷଦ ସଭ୍ୟ ପାଇଁ ମତଦାନ ହୋଇଥିଲା । ୨୨ ହଜାର ୩୭୯ ବୁଥରେ ଭୋଟ୍ ଗ୍ରହଣ ହୋଇଥିବା ବେଳେ ପ୍ରାୟ ୭୦ ପ୍ରତିଶତ ମତଦାନ ହୋଇଛି । ଜୁନାଗଡ଼ ବ୍ଲକ କୁଣ୍ଡାମେଲା ପଞ୍ଚାୟତ ୧୧ ନମ୍ବର ୱାର୍ଡରେ ବିଶେଷ କାରଣ ପାଇଁ ନିର୍ବାଚନ ହୋଇନାହିଁ ।
ଆଉ କିଛି ସ୍ଥାନରେ ଆଇନ୍ ଶୃଙ୍ଖଳା ପାଇଁ ଭୋଟ୍ ଗ୍ରହଣ ବାଧାପ୍ରାପ୍ତ ହୋଇଛି । ଢେଙ୍କାନାଳ ଜିଲ୍ଲାର ୩ଟି ବୁଥ୍, ଯାଜପୁର ଜିଲ୍ଲାର ୭ଟି ବୁଥ୍ ଓ ପୁରୀ ଜିଲ୍ଲାର ୫ଟି ବୁଥରେ ନିର୍ବାଚନ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି । ଏନେଇ ସମ୍ପୃକ୍ତ ଜିଲ୍ଲାପାଳଙ୍କ ଠାରୁ ରିପୋର୍ଟ ମିଳିବା ପରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ । ପ୍ରଥମ ପର୍ଯ୍ୟାୟ ଭଳି ଆଗାମୀ ପର୍ଯ୍ୟାୟ ମତଦାନରେ ସମସ୍ତ ଅଧିକାରୀ, ପୋଲିସ ଓ ଜନସାଧାରଣଙ୍କ ସହଯୋଗ କାମନା କରିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ ।