Latest
ଡହଡହ ଖରାରେ ସିଝୁଛି ଓଡ଼ିଶା: ସାଢ଼େ ୮ଟା ସୁଦ୍ଧା ୩୨ ଡିଗ୍ରୀ ଟପିଲା ପାରଦ
ଡହଡହ ଖରାରେ ସିଝୁଛି ଓଡ଼ିଶା । ଅସହ୍ୟ ଗରମ ଓ ଖରାରେ ଅସ୍ତବ୍ୟସ୍ତ ହୋଇପଡ଼ିଲେଣି ରାଜ୍ୟବାସୀ । ସକାଳ ୮ଟା ପରେ ଘରକୁ ବାହାରିବା କଷ୍ଟକରର ହୋଇପଡ଼ୁଛି। ଆଜି ସକାଳ ୮ଟା ୩୦ ସୁଦ୍ଧା ୩୨ ଡିଗ୍ରୀ ଟପିଛି ପାରଦ। କେନ୍ଦୁଝରରେ ତାପମାତ୍ରା ୩୨.୬ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ସେହିପରି ଚାନ୍ଦବାଲି ୩୧.୬, ଭୁବନେଶ୍ୱର ୩୧.୨, ବାଲେଶ୍ୱର ୩୦.୮, ଝାରସୁଗୁଡ଼ା ଓ ସମ୍ବଲପୁର ୩୦.୬ ଡିଗ୍ରୀ ରେକର୍ଡ କରାଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି ଏହି ସୂଚନା ଦିଆଯାଇଛି।
ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସଙ୍କ କହିବାନୁଯାୟୀ ବାୟୁମଣ୍ଡଳରେ ତାପମାନ ଓ ଜଳୀୟବାଷ୍ପ ରହୁଥିବାରୁ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହୋଇପାରେ। ନ ହେଲେ ରାଜ୍ୟର ଅଧିକାଂଶ ସ୍ଥାନରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ୬ ତାରିଖ ବେଳକୁ କାଁ ଭାଁ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ୭ ଓ ୮ ତାରିଖରେ ବର୍ଷା ପରିମାଣ ବଢ଼ିବ। ୪୦ରୁ ୫୦ କିମି ବେଗରେ ପବନ ହୋଇପାରେ।ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ଯଥେଷ୍ଟ ଅଧିକ ରହୁଥିବା ବେଳେ ଉପକୂଳରେ ତାପମାତ୍ରା କମ୍ ରହୁଛି। ଦିନତମାମ ୬୦%ରୁ ଅଧିକ ଆର୍ଦ୍ରତା ରହୁଥିବାରୁ ଗୁଳୁଗୁଳି ଅନୁଭୂତ ହେଉଛି। ଏଭଳି ସ୍ଥିତି ୬ ତାରିଖ ଯାଏଁ ଲାଗିରହିବ। ୭ ତାରିଖ ବେଳକୁ ତାତି ଓ ଗୁଳୁଗୁଳିରୁ ସାମାନ୍ୟ ନିସ୍ତାର ମିଳିବ। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ହେବାକୁ ଥିବାରୁ ଆବଶ୍ୟକ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି। ମଦ୍ୟପାନ, ଚା’, କଫି, ମୃଦୁପାନୀୟ, ଉଚ୍ଚ ପୃଷ୍ଟିସାର ଖାଦ୍ୟ, ବାସିଖାଦ୍ୟ ସେବନ ନ କରିବା, ଛୋଟ ପିଲା ଓ ପୋଷା ଜୀବଜନ୍ତୁଙ୍କୁ ପାର୍କିଂ ଗାଡ଼ି ଭିତରେ ନ ଛାଡ଼ି ଯିବାକୁ କୁହାଯାଇଛି। ପିକ୍ ଆୱାର(ପୂର୍ବାହ୍ନ ୧୧ଟାରୁ ଅପରାହ୍ଣ ୩ଟା)ରେ ନିର୍ବାଚନ ସମ୍ପର୍କିତ ଶୋଭାଯାତ୍ରା, ସଭାରେ ଯୋଗଦେବାଠାରୁ ଦୂରେଇ ରୁହନ୍ତୁ। ଗ୍ରୀଷ୍ମ ପ୍ରବାହ ସାଧାରଣ ଲୋକଙ୍କ ପାଇଁ ସହନଶୀଳ ହୋଇଥିବା ବେଳେ ଛୋଟ ପିଲା, ବରିଷ୍ଠ ନାଗରିକ, ଗର୍ଭବତୀ ମହିଳା ଓ ଅସୁସ୍ଥ ଲୋକଙ୍କ ପାଇଁ ହାନିକାରକ। ଦୀର୍ଘ ସମୟ ପର୍ଯ୍ୟନ୍ତ ବାହାରେ ନ ରହିବା, ହାଲୁକା ପୋଷାକ ପରିଧାନ କରିବା, ପିକ୍ ସମୟରେ ବାହାରକୁ ଯିବା ସମୟରେ ଓଦା କପଡ଼ା, ଟୋପି, ଛତା ମାଧ୍ୟମରେ ମୁଣ୍ଡକୁ ଘୋଡ଼ାଇବା, ପର୍ଯ୍ୟାପ୍ତ ପରିମାଣର ପାଣି ସମେତ ଓଆରଏସ୍, ଘରେ ପ୍ରସ୍ତୁତ ଲସି, ତୋରାଣି, ଆଖୁରସ, ଲେମ୍ବୁ ପାଣି ଆଦି ପିଇବାକୁ ପରାମର୍ଶ ଦିଆଯାଇଛି।