Latest
ଫଶିଗଲେ ରାଜା ଚକ୍ର: କେଉଁଠୁ ଆଣିଲେ କୋଟିକୋଟି ଟଙ୍କା, ଖୋଳତାଡ଼ କରୁଛି କ୍ରାଇମବ୍ରାଂଚ
-
ଖଣି କାରବାରେ ରାଜା ସାଜିଥିଲେ ମୋହରା
-
ମିଳିମିଶି ଖାଉଥିଲେ ବିଜେଡିର ନେତା-ଅଫିସର
-
୧୧ ପରେ ଗିରଫ ହୋଇପାରନ୍ତି ରାଜା ଚକ୍ର
ଭୁବନେଶ୍ୱର(ଓଡ଼ିଶା ୱେୟାର): ଯୁବ ବିଜେଡିର ଉପସଭାପତିରୁ ସିଧାସଳଖ ତୃତୀୟ ମହଲାର ଖାସ୍ । ବିଜେଡିର ତଥାକଥିତ ମଙ୍ଗୁଆଳଙ୍କ ପାଇଁ କେନ୍ଦୁଝରର ସୌମ୍ୟଶଙ୍କର ଚକ୍ର ଓରଫ ରାଜା ଚକ୍ର ମୁଣ୍ଡବ୍ୟଥା ପାଲଟିଲେଣି । ଜେରାରୁ ବର୍ତ୍ତିବା ପାଇଁ ଗତ ଦୁଇମାସ ଧରି ସବୁ କଳାକୌଶଳ ଆପଣାଇ ଶେଷରେ ଫେଲ୍ ମାରିଥିବା ରାଜା ଚକ୍ର ହାଇକୋର୍ଟଙ୍କ ନିର୍ଦ୍ଦେଶରେ ସୋମବାର କ୍ରାଇମବ୍ରାଂଚରେ ହାଜର ହୋଇ ମାରାଥନ୍ ଜେରାର ସମ୍ମୁଖୀନ ହୋଇଛନ୍ତି । ରାଜା ଚକ୍ରଙ୍କ ଅଚଳାଚଳ ସମ୍ପତ୍ତିକୁ ଠାବ କରିବା ପାଇଁ ମଙ୍ଗଳବାର ରାଜ୍ୟର ୧୦ଟି ସ୍ଥାନରେ କ୍ରାଇମବ୍ରାଂଚର ଅର୍ଥନୀତିକ ଅପରାଧ ଶାଖା ଦ୍ୱାରା ଚଢ଼ଉ ପରେ ବିଜେଡିର ମଙ୍ଗୁଆଳମାନଙ୍କ ଚିନ୍ତା ବଢ଼ିଯାଇଛି । ରାଜାଙ୍କ ସହ ବିନା ଦସ୍ତାବିଜରେ କୋଟିକୋଟି ଟଙ୍କାର ଦେଣନେଣ କରିଥିବା ଜଣେ ରାଜ୍ୟସଭା ସାଂସଦ, ଜଣେ ଆଇପିଏସ୍ ଅଫିସରଙ୍କ ସମେତ ୩ଜଣ ବିଜେଡି ନେତାଙ୍କ ସମ୍ପର୍କରେ କ୍ରାଇମବ୍ରାଂଚକୁ ଠୋସ୍ ପ୍ରମାଣ ମିଳିଥିବା ଜଣାପଡ଼ିଛି । କେବଳ କ୍ରାଇମବ୍ରାଂଚର ଅପରାଧ ଶାଖା ନୁହେଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଓ ଆୟକର ବିଭାଗ ମଧ୍ୟ ଏବେ ରାଜାଙ୍କ ପ୍ରାୟ ୫୦୦କୋଟି ଟଙ୍କାର ସମ୍ପତ୍ତିର ଉତ୍ସ ଜାଣିବାକୁ ଖୋଳତାଡ଼ କରୁଥିବା ସୂଚନା ମିଳିଛି ।
କେନ୍ଦୁଝର ଜିଲ୍ଲାର ଗନ୍ଧମାର୍ଦ୍ଧନ ଲୋଡ଼ିଂ ଏଜେନ୍ସୀ ଆଣ୍ଡ ଟ୍ରାନ୍ସପୋର୍ଟ କୋଅପରେଟିଭ ସୋସାଇଟିର ସଭାପତି ମାନସ ରଞ୍ଜନ ବାରିକ ଓ ଅନ୍ୟ ଜଣେ ପଦାଧିକାରୀ ଉତ୍କଳ ଦାସଙ୍କୁ ପ୍ରାୟ ୫୦କୋଟି ଟଙ୍କାର ଆର୍ଥିକ ଅନିୟମିତତା ଅଭିଯୋଗରେ ଇଓଡ୍ଲ୍ୟୁ ଗିରଫ କରିବା ପରେ ରାଜାଙ୍କ ଅଡ଼ୁଆ ବଢ଼ିଥିଲା । ଶୁଆକାଟିଠାରେ ଥିବା ଓଏମସି ଖଣିରେ ଏହି ଅନିୟମିତତାର ପ୍ରମାଣ ମିଳିଥିଲା । କର୍ମସିଆଲ ଟ୍ୟାକ୍ସ ଫାଙ୍କିବା ପରେ ମାମଲା ଇଓଡ୍ଲ୍ୟୁକୁ ହସ୍ତାନ୍ତର ହୋଇଥିଲା । ଆଉ ଇଓଡବ୍ଲ୍ୟୁ ଖୋଳତାଡ଼ କରିବା ପରେ ଜଣାପଡ଼ିଥିଲା ଯେ ରାଜାଙ୍କ ମାଧ୍ୟମରେ କେନ୍ଦୁଝର ଜିଲ୍ଲାରୁ ବର୍ଷକୁ ପ୍ରାୟ ୫ହଜାର କୋଟି ଟଙ୍କା ବିଜେଡିର ବାବୁମାନେ ସଂଗ୍ରହ ହେଉଥିଲା । ରାଜାଙ୍କୁ କେନ୍ଦୁଝର ଖଣି କାରବାରରେ ବଳଶାଳୀ କରାଇଥିବା ଗୋଷ୍ଠୀ ହିଁ ଏହି ଟଙ୍କା ନେଉଥିବା ସନ୍ଦେହ କରି ଇଓଡବ୍ଲ୍ୟୁ ପକ୍ଷରୁ ରାଜାଙ୍କୁ ହାଜର ହେବାକୁ ଫେବୃୟାରୀ ପ୍ରଥମ ସପ୍ତାହରେ ନୋଟିସ୍ କରାଗଲା । ମାତ୍ର ନୋଟିସକୁ ଏଡ଼ାଇ ରାଜା ଲୁଚିବାରେ ଲାଗିଲେ । ଆଉ କୋର୍ଟଙ୍କ ଆଶ୍ରୟ ନେଲେ । ଅବଶ୍ୟ କୋର୍ଟ ତାଙ୍କ ମାମଲାର ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଗିରଫ କରିବା ଉପରେ କଟକଣା ଜାରି କଲେ କିନ୍ତୁ ତାଙ୍କୁ ତଦନ୍ତକାରୀ ସଂସ୍ଥା ନିକଟରେ ହାଜର ହେବାକୁ ନିର୍ଦ୍ଦେଶ ଜାରି କଲେ । ମାତ୍ର ରାଜା ଚକ୍ର ଇଓଡବ୍ଲ୍ୟୁରେ ହାଜର ହେବା ପରିବର୍ତ୍ତେ ଜେରାରୁ ବର୍ତ୍ତିବା ପାଇଁ ଭୁବନେଶ୍ୱରରୁ ନୂଆଦିଲ୍ଲୀ ପର୍ଯ୍ୟନ୍ତ ଚାରିଆଡ଼େ ଦୌଡ଼ାଦୌଡ଼ି କରି ନିରାଶ ହେଲେ । ଗଡଫାଦରମାନଙ୍କ ସହଯୋଗ ନେଲେ । ସବୁଆଡ଼ୁ ନିରାଶ ହେବାପରେ ପୁଣିଥରେ କୋର୍ଟଙ୍କ ଆଶ୍ରୟ ନେଲେ । ଆଉ ସେଠାରେ ବି ତାଙ୍କୁ ନିରାଶ ହେବାକୁ ପଡ଼ିଲା । କୋର୍ଟ ତାଙ୍କୁ ମାର୍ଚ୍ଚ ୩ତାରିଖ ପୂର୍ବାହ୍ନ ୧୧ଟାରେ ଇଓଡବ୍ଲ୍ୟୁ ଅଫିସରମାନଙ୍କ ପାଖରେ ହାଜର ହୋଇ ତଦନ୍ତରେ ସହଯୋଗ କରିବାକୁ ନିର୍ଦ୍ଦେଶ ଦେଲେ । ଆଉ ପରବର୍ତ୍ତ ଶୁଣାଣି ମାର୍ଚ୍ଚ ୧୧ତାରିଖରେ ହେବାପର୍ଯ୍ୟନ୍ତ ତାଙ୍କୁ ଗିରଫ ହେବାରୁ ସୁରକ୍ଷା ଦେଇଛନ୍ତି ।
ବିଜେଡି ସରକାରର ଶେଷ ପାଳିରେ ମାତ୍ର କିଛିଦିନ ମଧ୍ୟରେ ସେ ପାଲଟିଗଲେ କେନ୍ଦୁଝର ଜିଲ୍ଲାରେ ଖଣି କାରବାରର ବାଦଶାହ । ପ୍ରଶାସନଠୁ ଆରମ୍ଭ କରି ଖଣି କମ୍ପାନୀଗୁଡ଼ିକ ତାଙ୍କର ବିନା ଅନୁମତିରେ ପଲ୍ଲୀସଭାଠୁ ଆରମ୍ଭ କରି ଖଣି ଖନନ ଓ ଖଣିଜ ପରିବହନ ମଧ୍ୟ କରିବା ସମ୍ଭବପର ହେଉନଥିଲା । ବିଜେଡିର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନ ଓ ତାଙ୍କ ଖାସ୍ ସହଯୋଗୀମାନଙ୍କ ପ୍ରତ୍ୟକ୍ଷ ପ୍ରୋତ୍ସାହନରେ ଖୁବ୍ କମ୍ ଦିନ ମଧ୍ୟରେ କେନ୍ଦୁଝର ଜିଲ୍ଲାରେ ଖଣି କାରବାରର ବାଦଶାହ ପାଲଟିଯାଇଥିଲେ ବିଜେଡି ଯୁବନେତା ରାଜା ଚକ୍ର ଓରଫ ସୌମ୍ୟଶଙ୍କର ଚକ୍ର । ବିଗତ ୨-୩ବର୍ଷ ଧରି(୨୦୨୦ରୁ ୨୦୨୪ ମସିହାରେ ବିଜେଡି ସରକାର କ୍ଷମତାଚ୍ୟୁତ ହେବାପର୍ଯ୍ୟନ୍ତ) ତାଙ୍କ ବିନା କେନ୍ଦୁଝରରେ ଖଣି ଖନନଠୁ ଆରମ୍ଭ କରି ଖଣିଜ ସାମଗ୍ରୀ ପରିବହନ କରିବା ମଧ୍ୟ ସମ୍ଭବପର ହୋଇପାରୁନଥିଲା । ଏପରିକି ଜିଲ୍ଲାପାଳଠୁ ଆରମ୍ଭ କରି ପୁଲିସ ଏସପି ଓ ଖଣି ବିଭାଗର ଅଧିକାରୀମାନେ ବି ରାଜା ଚକ୍ରଙ୍କ ଇସାରାକୁ ଅପେକ୍ଷା କରି ରହୁଥିଲେ । ପାଣ୍ଡିଆନଙ୍କ ଖାସ୍ ସହଯୋଗୀ ପ୍ରଣବପ୍ରକାଶ ଦାସ(ବବି) ଓ ଡିଏସ୍ କୁଟ୍ଟେଙ୍କ କେନ୍ଦୁଝର ଜିଲ୍ଲାରେ ଖଣି କାରବାରର ୱାନପଏଂଟ ସଲ୍ୟୁସନ୍ ଭାବେ ରାଜା ଚକ୍ର କାର୍ଯ୍ୟ କରୁଥିଲେ ବୋଲି ଜଣାପଡ଼ିଛି । ବିଜେଡିର ଏହି ପ୍ରଭାବଶାଳୀମାନଙ୍କ ପ୍ରତ୍ୟକ୍ଷ ପ୍ରୋତ୍ସାହନରେ ଜିଲ୍ଲାରେ ବିଭିନ୍ନ ସମୟରେ କୁଶ ଆପଟ, ନବ ଆପଟ, ସନାତନ ମହାକୁଡ଼ ଭଳି ବ୍ୟକ୍ତିମାନେ ଖଣି କାରବାରରେ ମୁଖ୍ୟ ସଂଯୋଜକ ପାଲଟିଥିଲେ । ତେବେ ୨୦୧୯ରୁ ୨୦୨୪ ମସିହା ମଧ୍ୟରେ ରାଜା ଚକ୍ର ହିଁ କେନ୍ଦୁଝର ଜିଲ୍ଲାରେ ଖଣି କାରବାରୁ ପାଣ୍ଠି ସଂଗ୍ରହରେ ବିଜେଡିର ମୁଖ୍ୟ କାର୍ପଟଦାର ସାଜିଥିଲେ । ରାଜା ମଧ୍ୟ ଏହି ସୁଯୋଗରେ ୨୦୧୭ ଜୁଲାଇ ମାସରେ ନିଜ ମାଲିକାନାରେ ‘ଶଙ୍କର ମିନେରାଲସ’ ଖୋଲି ଖଣି କାରବାରରେ ସିଧାସଳଖ ଝାମ୍ପ ଦେଇଥିଲେ । ଓଡ଼ିଶା ଖଣି ନିଗମର କେନ୍ଦୁଝର ଜିଲ୍ଲାରେ ଥିବା ବିଭିନ୍ନ ଖଣିଗୁଡ଼ିକର ଖନନ ପାଇଁ ପଲ୍ଲୀସଭାଠୁ ଆରମ୍ଭ କରି ସବୁକିଛି ରାଜା ଚକ୍ର ବିଗତ ୩-୪ବର୍ଷ ଧରି ନିୟନ୍ତ୍ରିତ କରୁଥିଲେ । ଅନ୍ୟ ଘରୋଇ ଖଣି କମ୍ପାନୀଗୁଡ଼ିକ ମଧ୍ୟ ପୁଲିସ ସହାୟତାରେ ପଲ୍ଲୀସଭା କରୁଥିଲେ ମଧ୍ୟ ରାଜା ଚକ୍ରଙ୍କ ପାଖରେ ସେମାନଙ୍କୁ ହାଜିରା ପକାଇବାକୁ ପଡ଼ୁଥିଲା ବୋଲି ଜଣାପଡ଼ିଛି ।
ସୂଚନାଯୋଗ୍ୟ, ବିଜେଡି ନେତା ରାଜା ଚକ୍ରଙ୍କ ବିରୁଦ୍ଧରେ କର୍ମସିଆଲ ଟ୍ୟାକ୍ସ କେସ୍ ସହ ଇଓଡବ୍ଲ୍ୟୁରେ ମଧ୍ୟ ମାମଲା ରୁଜୁ ହୋଇଛି । ତାଙ୍କ ବିରୁଦ୍ଧରେ ଆଇପିସିର ଧାରା-୪୦୬,୪୦୯,୪୨୦,୪୬୭,୪୬୮,୪୭୧,୧୨୦-ଖରେ ମାମଲା ରୁଜୁ ହୋଇଛି ।