Latest

ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡି ଦେବା ସମର୍ଥନ ପଛରେ ?

Posted on

ଭୁବନେଶ୍ୱର(ଓଡ଼ିଶା ୱେୟାର): ବିଜେପିର ରାଜ୍ୟସଭା ପ୍ରାର୍ଥୀ ତଥା ୧୯୯୪ ବ୍ୟାଚ୍ ଓଡ଼ିଶା କ୍ୟାଡ଼ରର ପୂର୍ବତନ ଆଇଏଏସ ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡି ସମର୍ଥନ ଦେବାକୁ ଘୋଷଣା କରିବା ପରେ ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି ହୋଇଛି। ବିଜେଡିର ଏଭଳି ଆଭିମୁଖ୍ୟକୁ ନେଇ ଦଳ ଭିତରେ ଓ ବାହାରେ ଚର୍ଚ୍ଚା ଲାଗି ରହିଥିବାବେଳେ କେଉଁ ଆଧାରରେ ବିଜେଡି ଏଭଳି ସମର୍ଥନ ଅଜାଡ଼ି ଦେଲା ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ତେବେ ଏସବୁ ଘଟଣା ମଧ୍ୟରେ ଶ୍ରୀ ବୈଷ୍ଣବଙ୍କ ଆଳରେ ନବୀନ ପୁଣିଥରେ ବିଜେପି ପାଖରେ ନିଜକୁ ଆତ୍ମସର୍ମପଣ କରିଥିବା ସ୍ପଷ୍ଟ ପ୍ରମାଣିତ ହୋଇଛି।
କେନ୍ଦ୍ରରେ ନରେନ୍ଦ୍ର ମୋଦି ନେତୃତ୍ୱରେ ଏନଡିଏ ପୁଣିଥରେ ସ୍ପଷ୍ଟ ଜନାଦେଶ ସହ ସରକାର ଗଠନ କରିବା ପରଠୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେପି ନେତୃତ୍ୱଙ୍କ ନିକଟତର ହେବାକୁ ସୁଯୋଗ ଖୋଜୁଥିବା ଚର୍ଚ୍ଚା ହେଉଥିଲା। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାକ୍ଷାତ, ବିଜେପି ଅଧ୍ୟକ୍ଷ ଅମିତ୍ ଶାହଙ୍କ ଘନିଷ୍ଠ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସାକ୍ଷାତ ଓ ସପ୍ତାହକ ମଧ୍ୟରେ ୩ଥର ବିଭିନ୍ନ କାର୍ଯ୍ୟକ୍ରମ ଆଳରେ ମୋଦିଙ୍କୁ ନବୀନ ଭେଟିବା ପରେ ବିଜେଡି ଉପରେ ପଡ଼ି ବିଜେପିର ନିକଟତର ହେବାକୁ ଉଦ୍ୟମ କରୁଥିବା ସ୍ପଷ୍ଟ ହୋଇଥିଲା। ତେବେ ଶ୍ରୀ ବୈଷ୍ଣବଙ୍କୁ ବିଜେପି ନିଜର ପ୍ରାର୍ଥୀ ବୋଲି ଘୋଷଣା କରିବା ପରେ ନବୀନ ତାଙ୍କୁ ସମର୍ଥନ କରିବା ପରୋକ୍ଷରେ ନବୀନଙ୍କ ଅସହାୟତାକୁ ପଦାରେ ପକାଇଛି। ଜଣେ ବି ରାଜ୍ୟସଭା ପ୍ରାର୍ଥୀଙ୍କୁ ବିଜୟୀ କରିବା ଭଳି ସାମର୍ଥ୍ୟ ରାଜ୍ୟ ବିଜେପିର ନଥିବାବେଳେ ଦଳ କିଭଳି ଶ୍ରୀ ବୈଷ୍ଣବଙ୍କୁ ନିଜର ପ୍ରାର୍ଥୀ ଘୋଷଣା କଲା ତାକୁ ନେଇ ଚର୍ଚ୍ଚା ଆରମ୍ଭ ଲାଗି ରହିଥିଲା । କିନ୍ତୁ ଶ୍ରୀ ବୈଷ୍ଣବଙ୍କୁ ବିଜେଡି ସମଥିତ ପ୍ରାର୍ଥୀ ବୋଲି ନବୀନ କହିବାପରେ ଖୋଲାଖୋଲି ଭାବେ ବିଜେପି ଓ ବିଜେଡି ମଧ୍ୟରେ ରୋମାନ୍ସର ଆଉ ଏକ ଯୁଗ ଆରମ୍ଭ ହୋଇସାରିଥିବା ସ୍ପଷ୍ଟ ହୋଇଛି । ସଂଖ୍ୟା ଦୃଷ୍ଟିରୁ ବିଧାନସଭାରେ ବିଜେପିର ମାତ୍ର ୨୩ଜଣ ବିଧାୟକ ଥିବାବେଳେ ରାଜ୍ୟସଭା ଉପନିର୍ବାଚନରେ ସମସ୍ତ ୩ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଆବଶ୍ୟକ ସଂଖ୍ୟା କେବଳ ବିଜେଡି ପାଖରେ ରହିଛି। ବିଜେଡି ସହଜ ସ୍ଥିତିରେ ଥିବାବେଳେ ବିଜେପିକୁ ନିଜର ଗୋଟିଏ ରାଜ୍ୟସଭା ଆସନ ଟେକି ଦେବା ପଛରେ ଯେ ଏକ ବିରାଟ ରାଜନୀତିକ ଡିଲ୍ ହୋଇଛି ତାହା ଧୀରେଧୀରେ ସ୍ପଷ୍ଟ ହେବାରେ ଲାଗିଛି।
ଚିଟଫଣ୍ଡ, ଖଣି, କୋଇଲା ଆଦି ଦୁର୍ନୀତିରେ ସିବିଆଇ ତଦନ୍ତକୁ ନେଇ ଆଶଙ୍କାରେ ଥିବା ବିଜେଡି ଓ ନବୀନ ପଟ୍ଟନାୟକ ନିଜର ସ୍ଥିତି ରକ୍ଷା ପାଇଁ ବିଜେପି ଆଗରେ ହାତଟେକି ଦେଇଥିବା ରାଜନୀତିକ ମହଲରେ ଚର୍ଚ୍ଚା ହେଉଛି। ରାଜନୀତିକ ବିଶ୍ଲେଷକଙ୍କ ମତରେ, ୨୦୧୪ ମସିହାରେ ମୋଦି ସରକାର କେନ୍ଦ୍ରରେ କ୍ଷମତାସୀନ ହେବାପରେ ଅଶ୍ୱିନୀ ବୈଷ୍ଣବଙ୍କ ନାଁ ମଧ୍ୟ ପୂର୍ବରୁ ଓଡ଼ିଶାରୁ ରାଜ୍ୟସଭା ପାଇଁ ଚର୍ଚ୍ଚାରେ ରହିଥିଲା। ମାତ୍ର ସେତେବେଳେ ମୋଦି ଓ ଶାହଙ୍କ ଯୋଡ଼ିକୁ ବିଜେଡି ବିଶେଷ ଗୁରୁତ୍ୱ ଦେଇନଥିଲା। କିନ୍ତୁ ୨୦୧୯ ସାଧାରଣ ନିର୍ବାଚନରେ ଏହି ଯୋଡ଼ି ବିଜେପିକୁ ପୁଣିଥରେ କେନ୍ଦ୍ରରେ କ୍ଷମତାସୀନ କରିବା ପରେ ନବୀନଙ୍କ ପାଇଁ ବାଧ୍ୟବାଧକତା ବଢ଼ିଯାଇଥିଲା । ବିଜେପି ସହ ସାଲିସ ରାଜନୀତି କରିବା ପାଇଁ ନବୀନ ଆଗଭର ହୋଇ ବିଜେପିର ଦଳୀୟ ପ୍ରାର୍ଥୀଙ୍କୁ ସମର୍ଥନ ଦେବାକୁ ବାଧ୍ୟ ହୋଇଛନ୍ତି । ଶ୍ରୀ ବୈଷ୍ଣବ ୨୦୦୦ରୁ ୨୦୦୪ ମସିହା ମଧ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବ୍ୟକ୍ତିଗତ ସଚିବ ଭାବେ କାର୍ଯ୍ୟ କରିଥିଲେ । ଉଭୟ ବିଜେପି ଓ ଆରଏସଏସ ସହ ଶ୍ରୀ ବୈଷ୍ଣବଙ୍କର ଭଲ ସମ୍ପର୍କ ଥିବାରୁ ତାଙ୍କୁ ନିଜର ସୁରକ୍ଷାକବଚ ଭାବେ ଉପଯୋଗ କରିବାକୁ ବିଜେଡି ଚିନ୍ତା କରିଛି। ଯେଉଁଥିପାଇଁ ନିଜର ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ସୁବିଧାଜନକ ସ୍ଥିତି ଥିବା ସତ୍ତେ୍ୱ କଟ୍ଟରବିରୋଧୀ ବିଜେପିର ପ୍ରାର୍ଥୀଙ୍କୁ ସମର୍ଥନ ଦେବ ବୋଲି ନବୀନ ଘୋଷଣା କରିବାକୁ ପଛାଇ ନାହାନ୍ତି। ସମ୍ଭବତଃ ବିଜେଡି ଓ ବିଜେପି ମଧ୍ୟରେ ପୁଣିଥରେ ମେଣ୍ଟ ରାଜନୀତି ଆରମ୍ଭ ହୋଇପାରେ ବୋଲି ରାଜନୀତିକ ବିଶ୍ଲେଷକମାନେ ମତବ୍ୟକ୍ତ କରିଛନ୍ତି।

Leave a Reply

Your email address will not be published. Required fields are marked *

Most Popular

Exit mobile version