Latest
ଉତ୍ତରପ୍ରଦେଶରେ ବନ୍ୟା ବିତ୍ପାତ, ୩୫୭ ଗାଁ ପ୍ରଭାବିତ
ଲକ୍ଷ୍ନୌ: ଲଗାଣ ବର୍ଷା କାରଣରୁ ଉତ୍ତରପ୍ରଦେଶରେ ଏବେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଚି । ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଓ ରାଜସ୍ଥାନ ପରେ ଉତ୍ତର ପ୍ରଦେଶେ ବର୍ଷାର ତାଣ୍ଡବ ଦେଖିବାକୁ ମିଳିଛି । ରାଜ୍ୟର ୨୧ଟି ଜିଲ୍ଲାର ପ୍ରାୟ ୩୫୭ଟି ଗାଁ ବନ୍ୟା ଘେରରେ ରହିଛଠି। ଏଥିମଧ୍ୟରେ ହାମିରପୁର, ଜାଲୌନ ଓ ବୁନ୍ଦେଲଖଣ୍ଡ ସର୍ବାଧିକ ପ୍ରଭାବିତ ହୋଇଥିବା ଜଣାପଡ଼ିଛି । ସେହିପରି ବଦାୟୁଁ, ଗାଜୀପୁର ଓ ବଲିଆରେ ବିପଦ ସଂକେତ ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି ।
ଗଙ୍ଗା ନଦୀରେ ବନ୍ୟା ଜଳ ଆସିବାରୁ ବାରଣାସୀର ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ମଣିକର୍ଣ୍ଣିକା ଘାଟ ଓ ହରିଶ୍ଚନ୍ଦ୍ର ଘାଟରେ ବନ୍ୟା ପାଣି ପଶିଯିବାରୁ ଘରର ଛାତ ଉପରେ ଶବ ଦାହ ହେଉଥିବା ଦେଖିବାକୁ ମିଳିଛି । ସେହିପରି ମିର୍ଜାପୁରରେ ବନ୍ୟା ପରିସ୍ଥିତି ଲୋକମାନଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଚାଷୀଙ୍କ ଜମିରେ ବନ୍ୟା ଜଳ ମାଡ଼ିଯାଇଛି । ଲୋକମାନେ ନିଜର ପାଳିତ ପଶୁଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଥିବା ଦେଖିବାକୁ ମିଳିଛି । ସହରର ପ୍ରମୁଖ ଘାଟରେ ବନ୍ୟାସ୍ଥିତି ନିୟନ୍ତ୍ରଣ ବାହାରେ ରହିଛି ।
ବାରଣାସୀରେ ଗଙ୍ଗା ବିପଦସଂକେତର ମାତ୍ର ୮ ସେଣ୍ଟିମିଟର ତଳେ ପ୍ରବାହିତ ହେୁଛି । ରବିବାର ଗଙ୍ଗା ବନ୍ୟା ସ୍ଥିତି ୨୨ ସେଣ୍ଟିମିଟର ବୃଦ୍ଧି ପାଇଛି।ଫଳରେ ଗଙ୍ଗା ନଦୀ ଉପକୂଳରେ ବସବାସ କରୁଥିବା ଅଞ୍ଚଳରେ ବନ୍ୟା ପାଣି ପ୍ରବେଶ କରିଥିବା ଦେଖିବାକୁ ମିଳିଛି । ଗଳିକନ୍ଦିରେ ବନ୍ୟା ପାଣି ମାଡ଼ିଯିବାରୁ ଲୋକମାନେ ଯିବାଆସିବାରେ ନାହିଁ ନଥିବା ସମସ୍ୟାର ସମ୍ମୁଖିନ ହୋଇଛନ୍ତି । ଶବଦାହରେ ସମସ୍ୟା ସୃଷ୍ଟି ହେବାରୁ ଘରର ଉପରେ ଅନ୍ତିମ ସଂସ୍କାର କରାଯାଉଥିବା ଦେଖିବାକୁ ମିଳିଛି ।
ଗାଜୀପୁରରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି । ବନ୍ୟା ସ୍ଥିତି ଗମ୍ଭୀର ହେବାରୁ ଗାଁରେ ପାଣି ପଶିଯାଇଛି । ଏଠାରେ ଗଙ୍ଗାରେ ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ଗଙ୍ଗା ଉପକୂଳବର୍ତ୍ତୀ ଅଞ୍ଚଳରେ ଲୋକମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି । ଗଙ୍ଗା ନଦୀରେ ଜଳସ୍ତର ଘଣ୍ଟାକୁ ଦୁଇ ସେଣ୍ଟିମିଟର ବୃଦ୍ଧି ପାଇବାରେ ଲାଗିଛି । ତେବେ ରବିବାର ଦ୍ୱିପ୍ରହର ସୁଦ୍ଧା ଗଙ୍ଗାର ଜଳସ୍ତର ୬୩.୮୨୦ ମିଟର ରେକର୍ଡ କରାଯାଇଥିଲା । ଗଙ୍ଗା ସହିତ ତାର ଶାଖା ନଦୀରେ ମଧ୍ୟ ଜଳସ୍ତର ବୃଦ୍ଧି ପାଇଥିବା ଜଣାପଡ଼ିଛି । ରାଜ୍ୟରେ ବନ୍ୟା ସ୍ଥିତି ଗମ୍ଭୀର ରହିଥିବାରୁ ଏନଡିଆରଏଫ ଓ ପ୍ରଶାସନ ଉଦ୍ଧାର କାର୍ୟ୍ୟ ପାଇଁ ପ୍ରସ୍ତୁତ ଥିବା ଜଣାପଡ଼ିଛି ।