Latest
କଂଗ୍ରେସର ବିଶାଳ ‘କମ୍ପନ’ ସମାବେଶ: କେନ୍ଦ୍ର ଓ ରାଜ୍ୟ ସରକାର ଉପରେ ବର୍ଷିଲେ
ଭୁବନେଶ୍ୱର(ଓଡ଼ିଶା ୱେୟାର): କେନ୍ଦ୍ର ଓ ରାଜ୍ୟର କ୍ଷମତାସୀନ ସରକାର ବିରୁଦ୍ଧରେ କଂଗ୍ରେସ ନିଜର ସ୍ୱରକୁ ଶାଣିତ କରିବା ସହ ନବନିଯୁକ୍ତ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜଙ୍କ ନେତୃତ୍ୱରେ ଏକ ‘କମ୍ପନ ସମାବେଶ’ ଆୟୋଜନ କରିଛି ।
ଛାତ୍ର ସଭାପତି ନୱାଜଙ୍କ ନେତୃତ୍ୱରେ ଏକ ବିଶାଳ ର୍ୟାଲି ଏୟାରପୋର୍ଟ ଛକରୁ ଶିଶୁଭବନ ଓ ରାଜମହଲ ଛକ ଦେଇ ମାଷ୍ଟରକ୍ୟାଂଟିନ ସ୍ଥିତ କଂଗ୍ରେସ ଭବନକୁ ଆସିବାପରେ ସେଠାରେ ‘କମ୍ପନ ସମାବେଶ’ ଅନୁଷ୍ଠିତ ହୋଇଥିଲା । ଏଥିରେ ପିସିସି ପ୍ରଭାରୀ ଏ.ଚେଲାକୁମାର ଯୋଗ ଦେଇ ଛାତ୍ର କଂଗ୍ରେସ ହିଁ ପରିସ୍ଥିତିର ପରିବର୍ତ୍ତନ କରିପାରିବ ବୋଲି କହିଥିଲେ । ରାଜ୍ୟର ନବୀନ ପଟ୍ଟନାୟକ ସରକାର ଓ କେନ୍ଦ୍ରର ମୋଦି ସରକାରର ଭ୍ରଷ୍ଟାଚାର, ଦୁର୍ନୀତି ଓ କୁଶାସନ ବିରୁଦ୍ଧରେ ଶାଣିତ ସ୍ୱର ଉତ୍ତୋଳନ କରିବା ପାଇଁ ସେ ଛାତ୍ର କଂଗ୍ରେସକୁ ଉପଦେଶ ଦେଇଥିଲେ । ସେ ନିଜର ଛାତ୍ର କଂଗ୍ରେସ ରାଜନୀତି ସମୟର ସଂଗ୍ରାମର ଅଭିଜ୍ଞତାକୁ ପ୍ରକାଶ କରି କହିଥିଲେ ଯେ ଆଜି କଂଗ୍ରେସରେ ଦେଶ ଓ ରାଜ୍ୟରେ ପ୍ରତିଷ୍ଠିତ ଏବଂ ନାମୀନେତାମାନେ ଛାତ୍ର କଂଗ୍ରେସ ରାଜନୀତିରୁ ସୃଷ୍ଟି ହୋଇଛନ୍ତି । ସେ କହିଥିଲେ ଯେ ନବୀନ ବାବୁଙ୍କର ବର୍ଷକୁ ୨ଲକ୍ଷ ଏବଂ ମୋଦିଙ୍କର ବର୍ଷକୁ ୨ କୋଟି ନିଯୁକ୍ତି ପ୍ରତିଶ୍ରୁତି ଆଜି ପ୍ରତାରଣାରେ ପରିଣତ ହୋଇଛି । ଓଡିଶାରେ କଂଗ୍ରେସ ହୀରାକୁଦ ଡ୍ୟାମ, ପାରାଦ୍ୱୀପ ବନ୍ଦର, ରାଉରକେଲା ଷ୍ଟିଲ୍ ପ୍ଲାଂଟ, ନାଲ୍କୋ ପ୍ରଭୃତି ଅନେକ ଆଖିଦୃଶିଆ ପ୍ରତିଷ୍ଠାନ କରିଥିବା ବେଳେ ବିଜେଡି ୨୦ ବର୍ଷ ଧରି ଲୋକଙ୍କୁ ଲୁଣ୍ଠନ ଓ ଶୋଷଣ କରୁଛି । ଅନ୍ୟ ପକ୍ଷରେ ମୋଦି ସରକାର ଏକ କୃଷକବିରୋଧ କୃଷି ନୀତି ପ୍ରଣୟନ କରିଛନ୍ତି ।
ସେହିପରି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଥିଲେ ଯେ ଛାତ୍ର କଂଗ୍ରେସକୁ ରାଜ୍ୟରେ ସୁସଂଗଠିତ ଓ ଏକ ପ୍ରଭାବୀ ସଂଗଠନରେ ପରିଣତ କରାଯିବ । ଉଭୟ ବିଜୁବାବୁ ଓ ନବୀନବାବୁ ଓଡ଼ିଶା ପାଇଁ କିଛି କରିନାହାନ୍ତି । ପାରାଦ୍ୱୀପ ଏବଂ ହାଇୱେ ଏକ୍ସପ୍ରେସ୍ ବିଜୁ ବାବୁ କଂଗ୍ରେସ ମୁଖ୍ୟମନ୍ତ୍ରୀ ଥିଲା ବେଳେ ହୋଇଥିଲା । ପରବର୍ତ୍ତୀ ସମୟରେ ବିଜୁବାବୁ କ୍ଷମତାସୀନ ହୋଇଥିଲେ ମଧ୍ୟ ଓଡିଶାର ବିକାଶ ପାଇଁ ଦୃଷ୍ଟାନ୍ତମୂଳକ କାର୍ଯ୍ୟ କରିବା ପାଇଁ ସକ୍ଷମ ହୋଇପାରିନାହାନ୍ତି । ୨୦ ବର୍ଷର ନବୀନ ପଟ୍ଟନାୟକ ସରକାର ଓଡିଶାକୁ ରସାତଳଗାମୀ କରିଛି । କରୋନା ମୁକାବିଲାରେ ଏ ସରକାର ବିଫଳ ହୋଇଛନ୍ତି । ୨୦ ବର୍ଷ ଶାସନରେ ମୁଖ୍ୟମନ୍ତ୍ରୀ କାରଖାନା ବା ଶିଳ୍ପ ପ୍ରତିଷ୍ଠା କରିବେ କ’ଣ କଂଗ୍ରେସ ସମୟରେ ପ୍ରତିଷ୍ଠା କରାଯାଇଥିବା ସମସ୍ତ ବୃହତ୍ ଓ ମଧ୍ୟମ ଶିଳ୍ପକୁ ବନ୍ଦ କରିଦେଲେ ।
ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ କହିଥିଲେ ଯେ କମ୍ପନ ସମାବେଶର ବାର୍ତ୍ତା ଓଡ଼ିଶାର ପୁରପଲ୍ଲୀରେ ପ୍ରତିଧ୍ୱନିତ ହେବ । ଉଭୟ ନବୀନ ସରକାର ଓ ମୋଦି ସରକାର ବିରୁଦ୍ଧରେ ଦୁର୍ବାର ଆନ୍ଦୋଳନ ଗଢି ତୋଳିବାକୁ ଛାତ୍ର କଂଗ୍ରେସ ସଂକଳ୍ପବଦ୍ଧ ।
ଏହି କାର୍ଯ୍ୟକ୍ରମରେ ଶରତ ପଟ୍ଟନାୟକ, ନରସିଂହ ମିଶ୍ର, ତାରା ପ୍ରସାଦ ବାହିନୀପତି, ସୁରେଶ କୁମାର ରାଉତରାୟ, ସଂଗ୍ରାମ କେଶରୀ ଜେନା, ଡ. ଦେବାଶିଷ ପଟ୍ଟନାୟକ, ରମେଶ ଜେନା, ସନ୍ତୋଷ ସିଂ ସାଲୁଜା, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ,ପ୍ରଦୀପ ମାଝୀ, ଅନନ୍ତ ସେଠୀ, ରାମଚନ୍ଦ୍ର ଖୁଂଟିଆ, ଜଗନ୍ନାଥ ପଟ୍ଟନାୟକ, ଶିବାନନ୍ଦ ରାୟ, ନବଜ୍ୟୋତି ପଟ୍ଟନାୟକ, ମାନସ ଚୌଧୁରୀ, ଶୁଭେନ୍ଦୁ ମହାନ୍ତି, ଅରିନ୍ଦମ ସର୍କେଲ, ଡାକ୍ତର ଲଲାଟେନ୍ଦୁ ମହାପାତ୍ର, ବିଶ୍ୱଜିତ ଦାସ, ସତ୍ୟପ୍ରକାଶ
ନାୟକ, ଜାନକୀ ବଲ୍ଲଭ ପଟ୍ଟନାୟକ, ମନୋଜ ରାଉତ, ମନୋରଞ୍ଜନ ଦାଶ, କିରଣ ସାହୁ, ରଂଜିତ ଦାସ, ଜୟନ୍ତ ଭୋଇ, ପଦ୍ମାକର ଗୁରୁ, ରଂଜିତ ପାତ୍ର, ଅଜୟ ସାହୁ, ସ୍ୱାଗତ କର, ବଟକୃଷ୍ଣ ରାଉତରାୟ ପ୍ରମୁଖ ସାମିଲ ହୋଇଥିଲେ ।