ରାଜନୀତି

ବିଶୃଙ୍ଖଳିତ କର୍ମୀଙ୍କୁ ଦଳ ଛାଡ଼ିବାକୁ ତାଗିଦ୍ କଲେ ଅପରାଜିତା

Posted on

ଭୁବନେଶ୍ୱର(ଓଡ଼ିଶା ୱେୟାର): ଆଇଏଏସ ଚାକିରି ଛାଡ଼ି ବିଜେପିରେ ସାମିଲ ହେବାର ମାସେ ନପୁରୁଣୁ ଅପରାଜିତା ଷଡ଼ଙ୍ଗୀ ଦଳର ବିଶୃଙ୍ଖଳିତ କର୍ମୀଙ୍କୁ ଅନୁଶାସନର ପାଠ ପଢ଼ାଇଛନ୍ତି।ଏହାସହିତ ଗୋଷ୍ଠୀବାଦରେ ଲିପ୍ତ ଥିବା କର୍ମୀମାନଙ୍କୁ ବିଜେପି ଛାଡ଼ି ଚାଲିଯିବା ପାଇଁ ଚେତାବନୀ ଦେଇଛନ୍ତି।

ସୂଚନା ଅନୁସାରେ ଖୋର୍ଦ୍ଧା ଜିଲ୍ଲାର ୩ ନମ୍ବର ଜୋନ ଅନ୍ତର୍ଗତ ହାଡ଼ପଡ଼ାସ୍ଥିତ ମା’ ଦକ୍ଷିଣଚଣ୍ଡୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ବିଜେପି କର୍ମୀ ସମ୍ମିଳନୀରେ ଅପରାଜିତା ଯୋଗ ଦେଇଥିଲେ।ମାତ୍ର ସେଠାରେ ଦଳୀୟ ସଂଗଠନ ପ୍ରସଙ୍ଗରେ ପୂର୍ବତନ ବିଧାୟକ ଜିତୁ ମିତ୍ର ଓ କାଳୁଚରଣ ଖଣ୍ଡେଇତରାୟଙ୍କ ସମର୍ଥକଙ୍କ ମଧ୍ୟରେ ଯୁକ୍ତିତର୍କ ଓ କଥା କଟାକଟି ହୋଇଥିଲା।ଉଭୟ ଗୋଷ୍ଠୀ ମୁହାଁମୁହିଁ ହେବାପରେ ଅପରାଜିତା ଅଧାରୁ ଉଠି ପଳାଇ ଆସିଥିଲେ।ତେବେ ପରେ ଉଭୟ ଗୋଷ୍ଠୀର ଛାମୁଆ କର୍ମୀମାନେ ତାଙ୍କୁ ଅନୁରୋଧ କରି ବୈଠକ ସ୍ଥଳକୁ ନେଇଥିଲେ।


କଡ଼ା ଭାଷାରେ ଦଳୀୟ କର୍ମୀମାନଙ୍କୁ ତାଗିଦ୍ କରି ଅପରାଜିତା କହିଥିଲେ ଯେ “ଆମେ ବାରମ୍ବାର ହାରି ଯାଉଛୁ ଏଇଟା କ’ଣ ସମସ୍ତଙ୍କୁ ଲଜ୍ୟା ଲାଗୁନି।ଆମେ କେମିତି ପ୍ରାର୍ଥୀଙ୍କୁ ଜିତାଇବା ଏହା ଚିନ୍ତା କରିବାର ଅଛି । କିନ୍ତୁ ଇଏ ତା’ ଲୋକ ସିଏ ତା’ ଲୋକ କାହିଁକି କୁହାଯାଉଛି।ଆପଣମାନେ କୁହନ୍ତୁ ଆମେ ସମସ୍ତେ ବିଜେପିର ଲୋକ।ଯିଏବି ଏମଏଲଏ ପ୍ରାର୍ଥୀ ହେବ ତାଙ୍କୁ ଜିତାଇବା ହେଉଛି ଆମ ସମସ୍ତଙ୍କର ଧର୍ମ ଓ କର୍ତବ୍ୟ।ମୁଁ ବି ସେମାନଙ୍କୁ ଅନୁରୋଧ କରିବି ଯେଉଁମାନେ ୟା’ଙ୍କ ପାଖରେ ବା ତାଙ୍କ ପାଖରେ ଅଛନ୍ତି ସେମାନେ ପାର୍ଟି ଛାଡ଼ିଦିଅନ୍ତୁ।ସମସ୍ତେ ବିଜେପି ସାଙ୍ଗରେ ରହିବାର ଅଛି। କୌଣସି ଗୋଷ୍ଠୀ ନୁହେଁ ସମସ୍ତେ ବିଜେପି ସାଙ୍ଗରେ ରହିବା ଉଚିତ୍।ମୋର ବିପେିରେ କେହି ଲୋକ ନୁହଁନ୍ତି।ମୁଁ ଆଜି ସତକଥା କହୁଛି।ମୁଁ କୌଣସି ଗ୍ରୁପ୍ କିମ୍ବା ଗୋଷ୍ଠୀର ନୁହେଁ।ମୁଁ ବିକାଶ ଆଭିମୁଖ୍ୟକୁ ଦେଖି ବିଜେପିରେ ସାମିଲ ହୋଇଛି । ଆଦରଣୀୟ ପ୍ରଧାନମନ୍ତ୍ରୀ ମୋଦିଙ୍କଠୁ ପ୍ରେରଣା ପାଇ ମୁଁ ବିଜେପିକୁ ଆସିଛି।ମୁଁ ମିଡିଆରେ କହିଛି ଓ ସମସ୍ତଙ୍କ ସାମ୍ନାରେ କହିଛି।ଆଗାମୀ ୨୫ବର୍ଷ କି ୩୦ବର୍ଷ ଦେଖିବେ ମୁଁ କୌଣସି ଗୋଷ୍ଠୀ କିମ୍ବା କୌଣସି ବ୍ୟକ୍ତିଙ୍କ ସହ ନଥିବି ।”
ଅପରାଜିତା କହିବା ସମୟରେ କେହି ଜୋରରେ ପାଟିତୁଣ୍ଡ କରୁଥିବାରୁ ସେ ମଧ୍ୟ ସେମାନଙ୍କୁ ଚୁପ୍ ରହିବା ପାଇଁ ତାଗିଦ୍ କରିବାକୁ ପଛାଇ ନଥିଲେ।ସାଂଗଠନିକ କାର୍ଯ୍ୟରେ ଅପରାଜିତାଙ୍କ ଏଭଳି କାର୍ଯ୍ୟଶୈଳୀ ଏବେ ଦଳୀୟ ନେତା ଓ କର୍ମୀଙ୍କ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । ଅପରାଜିତାଙ୍କ ଏହି ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Leave a Reply

Your email address will not be published. Required fields are marked *

Most Popular

Exit mobile version