ଭୁବନେଶ୍ୱର: ସିଆର୍ପି. ଛକଠାରୁ ଜୟଦେବ ବିହାର ଦେଇ ବାଣୀବିହାର ପର୍ଯ୍ୟନ୍ତ ଜାତୀୟ ରାଜପଥ ତଳେ ‘ଅଣ୍ଡର୍ଗ୍ରାଉଣ୍ଡ ଡ୍ରେନ୍ ନିର୍ମାଣ ହେବ । ଭୁବନେଶ୍ୱର ଇସ୍କନ ମନ୍ଦିର ସାମ୍ନା ଜାତୀୟ ରାଜପଥରେ ଜମୁଥିବା ବର୍ଷାଜଳର ନିଷ୍କାସନ ନିମନ୍ତେ ସିଆରପି ଛକଠାରୁ ଜୟଦେବ ବିହାର ଏବଂ ସେଠାରୁ ବାଣୀବିହାର ପର୍ଯ୍ୟନ୍ତ ରାସ୍ତା ତଳେ ଡ୍ରେନ୍ ନିର୍ମାଣ କରାଯିବ । ଆଜି ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ହୋଇଛି ।
ରାଜ୍ୟ ସଚିବାଳୟଠାରେ ଅନୁଷ୍ଠିତ ଏହି ବୈଠକରେ ଭୁବନେଶ୍ୱର ପୌର ପରିଷଦ କମିଶନର କ୍ରିଷନ କୁମାର ଭୁବନେଶ୍ୱର ସହରରୁ ବର୍ଷା ଜଳ ନିଷ୍କାସନ ସମ୍ବନ୍ଧିତ ବିଷୟବସ୍ତୁ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ । ସମସ୍ୟାର ବୈଷୟିକ, ପ୍ରଶାସନିକ, ଆର୍ଥିକ ଏବଂ ବିକଳ୍ପ ସମାଧାନ ପନ୍ଥା ବିଷୟରେ ସବିଶେଷ ଆଲୋଚନା ହୋଇଥିଲା । ସବୁ ଦିଗର ଆଲୋଚନା କରି ସିଆର୍ପି. ଛକଠାରୁ ଜୟଦେବ ବିହାର ଦେଇ ବାଣୀବିହାର ପର୍ଯ୍ୟନ୍ତ ଜାତୀୟ ରାଜପଥ ତଳେ ‘ଅଣ୍ଡର୍ଗ୍ରାଉଣ୍ଡ ଡ୍ରେନ୍ ନିର୍ମାଣ କରିବା ନିମନ୍ତେ ମୁଖ୍ୟ ସଚିବ ଶ୍ରୀ ପାଢ଼ୀ ନିର୍ଦ୍ଦେଶ ଦେଇଥିଲେ । ରାଜ୍ୟ ପୁର୍ତ୍ତ ବିଭାଗ ଏହି କାର୍ଯ୍ୟ କରିବେ । ଏଥିରେ ସଂପୂଣ୍ଣ ସହଯୋଗ କରିବା ପାଇଁ ବୈଠକରେ ଉପସ୍ଥିତ ଜାତୀୟ ରାଜପଥ କର୍ତ୍ତୁପକ୍ଷ ସିଜିଏମ୍. ଧର୍ମାନନ୍ଦ ଷଢ଼ଙ୍ଗୀ ସ୍ୱୀକୃତି ଦେଇଥିଲେ । ନଳା ନିର୍ମାଣ ନିମନ୍ତେ ରାଜ୍ୟ ସରକାର ପାଣ୍ଠି ଯୋଗାଇ ଦେବେ । ଏଥି ପାଇଁ ତୁରନ୍ତ ସ୍ୱତନ୍ତ୍ର ପ୍ରକଳ୍ପ ପ୍ରସ୍ତୁତ କରି କାର୍ଯ୍ୟାରମ୍ଭ କରିବାକୁ ପୁର୍ତ୍ତ ବିଭାଗ ସଚିବ ନଳିନୀକାନ୍ତ ପ୍ରଧାନଙ୍କୁ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଥିଲେ । ଚନ୍ଦକା ଇଣ୍ଡଷ୍ଟ୍ରିଆଲ୍ ଇଷ୍ଟେଟ୍, ଗୌରୀ ନଗର, ଅହଲ୍ୟା ନଗର, ସୌଭାଗ୍ୟ ନଗର ଆଦି ବିଭିନ୍ନ ସ୍ଥାନରେ ବର୍ଷା ପାଣି ଜମୁଥିବା ସମସ୍ୟାର ସମାଧାନ ବିଷୟରେ ମଧ୍ୟ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା । ସ୍ୱଳ୍ପସୁତ୍ରୀ ସମାଧାନ ଭାବେ ଫାୟାର ସର୍ଭିସ୍ ସଂସ୍ଥାଙ୍କୁ ଭୁବନେଶ୍ୱର ସହର ପାଇଁ ୨୦ଟି ଉଚ୍ଚ କ୍ଷମତା ସଂପନ୍ନ ଜଳ ନିଷ୍କାସନ ପମ୍ପ୍ସେଟ୍ ଯୋଗାଇ ଦେବା ନିମନ୍ତେ ନିଷ୍ପତ୍ତି ହୋଇଥିଲା । ସୂଚନାଯୋଗ୍ୟ, ବର୍ତ୍ତମାନ ୮ଟି ପମ୍ପ୍ସେଟ୍ ଭୁବନେଶ୍ୱର ସହର ପାଇଁ କାର୍ଯ୍ୟକ୍ଷମ ରହିଛି । କଟକ ସହର ପାଇଁ ମଧ୍ୟ ଆବଶ୍ୟକୀୟ ପମ୍ପ୍ସେଟ୍ ଯୋଗାଇ ଦିଆଯାଇଛି । ଦୀର୍ଘସୁତ୍ରୀ ସମାଧାନ ଭାବେ ଭୁବନେଶ୍ୱରରେ ଥିବା ପ୍ରାକୃତିକ ନାଳ ଗୁଡିକର ପୁନରୁଦ୍ଧାର ନିମନ୍ତେ ପ୍ରକ୍ରିୟା ଆରମ୍ଭ କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ ନିର୍ଦ୍ଦେଶ ଦେଇଥିଲେ । ଅନୁଧ୍ୟାନରୁ ଜଣାପଡିଥିଲା, ଭୁବନେଶ୍ୱରରେ ୯ଟି ବଡ ବଡ ପ୍ରାକୃତିକ ନାଳ ଏବଂ ୩ଟି ଶାଖାନାଳ ଏହିପରି ସମୁଦାୟ ୧୨ଟି ପ୍ରାକୃତିକ ନାଳ ଅଛି । ଏହି ନାଳ ଗୁଡିକର କିଛି ଅଂଶ ବର୍ତ୍ତମାନ ଘରୋଇ ଜମି ମଧ୍ୟ ଦେଇଯାଇଛି । ଘରୋଇ ଜମିରେ ଜଳପଥ ଅବରୋଧ ହେତୁ ପାଣି ନିଷ୍କାସନ ହୋଇ ପାରୁ ନାହିଁ । କେତେକ ଯାଗାରେ ମଧ୍ୟ ବେଆଇନ୍ ଜବର ଦଖଲ ଅଛି । ଜବର ଦଖଲ ଉଚ୍ଛେଦକୁ କଡାକଡି କରିବା ସହ ଘରୋଇ ଜମି ବଦଳ ବା ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଳା ।
ରାଜଧାନୀରେ ସଂକ୍ରମଣ ସଂଖ୍ୟା ୧୦୦ ଟପିଲା
ଭୁବନେଶ୍ୱର (ଓଡ଼ିଶା ୱେୟାର): ଆଜି ରାଜଧାନୀ ଭୁବନେଶ୍ୱରରୁ ୧୦୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିରୁ ୨୧ କ୍ୱାରେଣ୍ଟିନରେ ଥିବା ବେଳେ ଲୋକାଲ କେସ୍ ୮୦ ରହିଛି।...