ଭୁବନେଶ୍ୱର(ଓଡବ୍ଲ୍ୟୁ): ଆସନ୍ତାକାଲିଠୁ ବିଧାନସଭା ଶୀତ ଅଧିବେଶନ ବସିବ । ଆଜି ବିଜେଡି ଓ କଂଗ୍ରେସ ବିଧାୟକ ଦଳ ବୈଠକ ବସି ପରସ୍ପରକୁ ବିଧାନସଭା ଭିତରେ ଘେରିବା ପାଇଁ ରଣନୀତି ପ୍ରସ୍ତୁତ ହୋଇଛି । ବିଜେଡି ବିଧାୟକ ଦଳ ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଦଳୀୟ ରଣନୀତିକୁ ଚୂଡ଼ାନ୍ତ କରାଯାଇଥିବା ଜଣାପଡ଼ିଛି ।
ବୈଠକ ପରେ ସାମ୍ବାଦିକଙ୍କୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ଶୀତ ଅଧିବେଶନରେ କେନ୍ଦ୍ରୀୟ ଅବହେଳା, ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା, ତୈଳ ଦର ବୃଦ୍ଧି ଆଦି ପ୍ରସଙ୍ଗ ଉଠାଯିବା ସହ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଓ ଅନ୍ୟାନ୍ୟ ସଫଳତା ବିଷୟରେ ଦଳୀୟ ବିଧାୟକମାନେ ମତ ରଖିବେ । ବିରୋଧୀ ଦଳ ଗୃହରେ ଯେଉଁ ପ୍ରସଙ୍ଗ ଉଠାଇବ ସେହି ପ୍ରସଙ୍ଗରେ ଆଲୋଚନା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି । ସେହିପରି ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ୍ କହିଛନ୍ତି ଯେ ଏହି ଅବଧିବେଶନରେ ୨୩ଟି କାର୍ଯ୍ୟଦିବସ ରହିଛି । ଏଥିରୁ ୧୯ଟି ସରକାରୀ କାର୍ଯ୍ୟଦିବସ ଓ ୪ଟି ବେସରକାରୀ କାର୍ଯ୍ୟଦିବସ ରହିଛି। ତେବେ ଚଳିତ ଅଧିବେଶନ ପାଇଁ କୌଣସି ନୂଆ ବିଲ୍ ଏପର୍ଯ୍ୟନ୍ତ ସୁଦ୍ଧା ଆସିନାହିଁ । ସ୍ୱତନ୍ତ୍ର ରାଜ୍ୟ ପାହ୍ୟା, ମହାନଦୀ-ପୋଲାଭରମ, ଏମଏସପି ଓ କେନ୍ଦ୍ରର କ୍ରମାଗତ ଅବହେଳା ପ୍ରସଙ୍ଗକୁ ଶାସକ ଦଳ ଉଠାଇବ ।
ତେବେ ବିଜେଡି ସୂତ୍ର ଅନୁସାରେ ବୈଠକରେ ମୋଟ ୮୪ଜଣ ବିଧାୟକ ଉପସ୍ଥିତ ଥିଲେ । ବିଧାୟକ ଅନୁଭବ ପଟ୍ଟନାୟକ ମେକ୍ ଇନ୍ ଓଡ଼ିଶା କନକ୍ଲେଭର ସଫଳ ଆୟୋଜନ ପାଇଁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଥିବାବେଳେ ବିଧାୟକ ଯୋଗେନ୍ଦ୍ର ବେହେରା ବଲାଙ୍ଗିର ଜିଲ୍ଲାରେ ମରୁଡ଼ି ପ୍ରସଙ୍ଗ ଉଠାଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।
ସେହିପରି ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଥିଲା । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ ଦଳର ବିଧାୟକମାନେ ଏହି ବୈଠକରେ ଯୋଗ ଦେଇ ବ୍ରହ୍ମ ବିଭ୍ରାଟ, ମରୁଡ଼ି ପରିସ୍ଥିତି, ଏମଏସପି ପ୍ରସଙ୍ଗ, ଆଇନଶୃଙ୍ଖଳା ପରିସ୍ଥିତି ଓ ନିଯୁକ୍ତି ଆଦିକୁ ବିଧାନସଭାରେ ମୁଖ୍ୟ ପ୍ରସଙ୍ଗ କରିବେ ବୋଲି କହିଛନ୍ତି ।
ନବୀନଙ୍କ ହସ୍ତକ୍ଷେପ ସତ୍ତ୍ୱେ ଥମିଲାନି ଗଞ୍ଜାମ ବିଜେଡି ବିବାଦ
ଭୁବନେଶ୍ୱର(ଓଡ଼ିଶା ୱେୟାର): ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିଜ ଜିଲ୍ଲା ଗଞ୍ଜାମରେ ବିଜେଡି ବିପର୍ଯ୍ୟସ୍ତ ହେବାରେ ଲାଗିଛି । ଦଳର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଛକାପଞ୍ଝା ଓ...