ଭୁବନେଶ୍ୱର(ଓଡବ୍ଲ୍ୟୁ): ଗୋପାଳପୁର ଠାରୁ ଦୀଘା ପର୍ଯ୍ୟନ୍ତ ପ୍ରସ୍ତାବିତ କୋଷ୍ଟାଲ୍ ହାଇୱେ ପ୍ରକଳ୍ପ ନିର୍ମାଣକୁ ନେଇ କେନ୍ଦ୍ର ସରକାର ଅଧିକ ରାଜନୀତି ଓ କମ୍ ଆନ୍ତରିକତା ଦେଖାଉଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି ।
ଆଜି ଦଳର ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ୨୦୧୫ ଜୁଲାଇ ୯ତାରିଖରେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଏହି ପ୍ରସ୍ତାବିତ କୋଷ୍ଟାଲ୍ ହାଇୱେ ଏବଂ ଚନ୍ଦନପୁର-ରାମେଶ୍ୱର ଜାତୀୟ ରାଜପଥ ଖୁବ୍ଶୀଘ୍ର ଆରମ୍ଭ ହେବ ବୋଲି କହିଥିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଗତ ଜୁନ୍ ମାସରେ ଏହି କୋଷ୍ଟାଲ ହାଇୱେ ପ୍ରକଳ୍ପ ପାଇଁ ଖୁବଶୀଘ୍ର ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେବ ବୋଲି ଗଣମାଧ୍ୟମରେ ସୂଚନା ଦେଇଥିଲେ । ବାରମ୍ବାର ରାଜ୍ୟରେ ବିଭିନ୍ନ ସ୍ତରରେ ଦାବି ଉପସ୍ଥାପିତ ହେଲା ପରେ ଚଳିତ ନଭେମ୍ବର ୮ରେ ଏନଏଏଚଆଇ ପ୍ରକଳ୍ପ ନିର୍ଦ୍ଦେଶକ ଶିଶୁମୋହନ ରାଜ୍ୟର ସଦସ୍ୟ ସଚିବ (ଓଡ଼ିଶା କୋଷ୍ଟାଲ୍ ଜୋନ୍ ମ୍ୟାନେଜ୍ମେଣ୍ଟ ଅଥରିଟି)ଙ୍କୁ ସିଆର୍ଜେଡ୍ (କୋଷ୍ଟାଲ୍ ରେଗୁଲେସନ୍ ଜୋନ୍) ଅନୁମୋଦନ ପାଇଁ ପତ୍ର ପଠାଇଛନ୍ତି । ଆଉ ଏହାର ଦୁଇଦିନ ପରେ ବିଜେପି ଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାର ଅସହଯୋଗ କରୁଛନ୍ତି ବୋଲି ଅଭିଯୋଗ ବାଢ଼ିଛି ।ଏନଏଚଆଇ ପ୍ରକଳ୍ପ ନିର୍ଦ୍ଦେଶକ ଏହି କୋଷ୍ଟାଲ ହାଇୱେ ପାଇଁ ପ୍ରକଳ୍ପ ସହ ଜଡ଼ିତ ଅଫିସରଙ୍କୁ ଚିଠି ଲେଖି ସହଯୋଗ ଲୋଡ଼ିଥିବାବେଳେ ଏନଏଏଚଆଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଅଫିସ ସହ ଭିନ୍ନ କଥା କହୁଛନ୍ତି । ଏହି କୋଷ୍ଟାଲ୍ ହାଇୱେ ପ୍ରକଳ୍ପ ପାଇଁ ଡିପିଆର ପ୍ରସ୍ତୁତ ମେସର୍ସ ଚୈତନ୍ୟ ପ୍ରୋଜେକ୍ଟ କନ୍ସଲାଟନ୍ସିକୁ ଦିଆଯାଇଛି । ଏହି ପ୍ରକଳ୍ପର ଆଲଏନ୍ମେଣ୍ଟ ସ୍ଥିର ହୋଇନଥିବାରୁ ଏଥିପାଇଁ ଆବଶ୍ୟକୀୟ କେଉଁ ଜମି ଅଧିଗ୍ରହଣ କରାଯିବ ତା’ର ନିଷ୍ପତ୍ତି ହୋଇନାହିଁ । ପ୍ରସ୍ତାବିତ କୋଷ୍ଟାଲ୍ ହାଇୱେ ଅତିକ୍ରମ କରୁଥିବା ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଜିଲ୍ଲାର କେଉଁ ଜମି ଅଧିଗ୍ରହଣ କରାଯିବ ସେ ସଂପର୍କରେ ରାଜ୍ୟ ସରକାରଙ୍କୁ ବି ଏନଏଏଚଆଇ ଜଣାଇ ନାହାନ୍ତି ।
ତେଣୁ କେନ୍ଦ୍ରମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବିଜେପିର ରାଜ୍ୟ ନେତାମାନେ ବାସ୍ତବ ତଥ୍ୟକୁ ଅନୁଧ୍ୟାନ ନକରି ରାଜ୍ୟବାସୀଙ୍କୁ ଙ୍କୁ ଭୁଲ ତଥ୍ୟ ଓ ମିଥ୍ୟା ପ୍ରତିଶ୍ରୁତି ଦେଇ ଚାଲିଛନ୍ତି । ଗୋପାଳପୁରରୁ ଦୀଘା କୋଷ୍ଟାଲ୍ ହାଇୱେ ଖୁବ୍ଶୀଘ୍ର ଆରମ୍ଭ ହେବ ବୋଲି ୨୦୧୫ ମସିହାରୁ ଆଜି ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ କେବଳ ବଡ଼ ବଡ଼ ହୋର୍ଡିଂରେ ପ୍ରଚାର ଓ ପ୍ରସାର କରାଯାଉଛି । ହୋର୍ଡିଂ ଓ ସାମ୍ବାଦିକ ସମ୍ମିଳନୀ ଭିତରେ ଏହିସବୁ ପ୍ରକଳ୍ପର ଭାଗ୍ୟ ଚିଲିକାରେ ସି-ପ୍ଲେନ୍ ପ୍ରକଳ୍ପ ଭଳି ନହେଉ ବୋଲି ବିଜେଡି ଆକ୍ଷେପ କରିଛି ।ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସମ୍ପାଦକ ବିଜୟ ନାୟକ ଓ ମୁଖପାତ୍ର ସସ୍ମିତ ପାତ୍ର ଉପସ୍ଥିତ ଥିଲେ ।
ସି-ପ୍ଲେନ୍ ଭଳି କୋଷ୍ଟାଲ ହାଇୱେକୁ ବିରୋଧ ନକରୁ ବିଜେଡି : ବିଜେପି
ଅନ୍ୟପକ୍ଷରେ ବିଜେପି ନେତା ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଏ ସମ୍ପର୍କରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଏନଏଏଚଆଇ ୨୦୧୬ ନଭେମ୍ବର ମାସରେ ମାତ୍ର ୩ମାସ ମଧ୍ୟରେ ପ୍ରକଳ୍ପର ଆଲଏନ୍ମେଣ୍ଟ ସ୍ଥିର କରି ରାଜ୍ୟ ସରକାରଙ୍କୁ ଦେବାପରେ ଏହାକୁ ତାଙ୍କର ମନ୍ତ୍ରୀମାନେ ବାରମ୍ବାର ବଦଳାଇଥିଲେ । ଯେଉଁଥିପାଇଁ ପ୍ରକଳ୍ପ କାର୍ଯ୍ୟ ବିଳମ୍ବ ହେବାରେ ଲାଗିଛି । ଏବେ ଏନଏଏଚଆଇ ମାଗିଥିବା ବିଭିନ୍ନ ଅନୁମତି ରାଜ୍ୟ ସରକାର ତୁରନ୍ତ ଦେଇ ପ୍ରକଳ୍ପ ନିର୍ମାଣ କାର୍ଯ୍ୟରେ ସହଯୋଗ କରନ୍ତୁ । ଚିଲିକାରେ ସି-ପ୍ଲେନ୍କୁ ବିରୋଧ କରିବା ଭଳି ରାଜ୍ୟର ବିକାଶ କ୍ଷେତ୍ରରେ ପ୍ରମୁଖ ଭାଗିଦାରୀ ହେବାକୁ ଥିବା କୋଷ୍ଟାଲ ହାଇୱେକୁ ବିରୋଧ ନକରନ୍ତୁ ବୋଲି ବିଜେପି ଦାବି କରିଛି ।


