ଭୁବନେଶ୍ୱର : ମହାନଦୀ ଟ୍ରିବ୍ୟୁନାଲ କାର୍ଯ୍ୟ ଆରମ୍ଭରେ ବିଳମ୍ବ ଓ ଛତିିଶଗଡ଼ ସରକାରଙ୍କୁ ସୁହାଇଲା ଭଳି ନିଷ୍ପତ୍ତି ପ୍ରତିବାଦରେ କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ଏନ୍ଡିଏ ସରକାରକୁ ବିଜେଡି ଆଜି ତୀବ୍ର ସମାଲୋଚନା କରିଛି । କେନ୍ଦ୍ର ସରକାରଙ୍କ ଏଭଳି ପକ୍ଷପାତପୂର୍ଣ୍ଣ ନୀତି ଯୋଗୁ ଓଡ଼ିଶାରେ ଉକ୍ରଟ ଜଳସଙ୍କଟ ସୃଷ୍ଟି ହେବାକୁ ଯାଉଛି । ତେଣୁ ମହାନଦୀ ପ୍ରସଙ୍ଗରେ ଦ୍ୱିତୀୟ ପର୍ଯ୍ୟାୟ ରଣନୀତି ନିର୍ଦ୍ଧାରଣ ପାଇଁ ଚଳିତ ମାସ ୧୫ତାରିଖରେ ବିଜେଡି ପକ୍ଷରୁ ମହାନଦୀ ପ୍ରବାହିତ ହେଉଥିବା ୧୫ଟି ଜିଲ୍ଲାର ସମସ୍ତ ଦଳୀୟ ଜନ ପ୍ରତିନିଧିଙ୍କୁ ନେଇ ଏକ ସମ୍ମିଳନୀ କରାଯିବାକୁ ନିଷ୍ପତ୍ତି ହୋଇଛି । ଏହା ସହିତ ଇବ୍ ଉପନଦୀ ମୈନୀ ଉପରେ ଛତିଶଗଡ଼ର ବନ୍ଧ ନିର୍ମାଣ ଯୋଜନାକୁ ମଧ୍ୟ ବିଜେଡି ବିରୋଧ କରିଛି । ଦଳର ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ ଓ ଦେବୀପ୍ରସାଦ ମିଶ୍ର ଏବଂ ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା ଓ ଅତନୁ ସବ୍ୟସାଚୀ ନାୟକ ଆଜି ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ।
ବିଜେଡି ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ସାଧାରଣ ସଂପାଦକ ତଥା ବିଧାୟକ ଶ୍ରୀ ଦାସବର୍ମା କହିଛନ୍ତି ଯେ, ବିଭିନ୍ନ ଆଳ ଦେଖାଇ ସମୟ ଗଡ଼ାଇବା ପରେ ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶରେ କେନ୍ଦ୍ର ସରକାର ୨୦୧୮ ମାର୍ଚ୍ଚ ୧୨ତାରିଖରେ ଟ୍ରିବ୍ୟୁନାଲ୍ ଗଠନ ପ୍ରକ୍ରିୟା ଆରମ୍ଭ କଲେ । କିନ୍ତୁ ଟ୍ରିବ୍ୟୁନାଲ ଗଠନର ସ୍ଥିତି କ’ଣ ରହିଛି ତାହା ଜାଣିବା ପାଇଁ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ କରିଥିବା ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ରାଜ୍ୟସଭାରେ କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ ଜଣାଇଲେ ଯେ, ମାର୍ଚ୍ଚ ୨୩ ତାରିଖରେ ଟର୍ମସ୍ ଅଫ୍ ରେଫରେନ୍ସ ସଂପର୍କରେ ପଦକ୍ଷେପ ନିଆଯାଇଛି । କିନ୍ତୁ ଦୁଃଖର କଥା, ଯେଉଁ ଟର୍ମସ୍ ଅଫ୍ ରେଫରେନ୍ସ କଥା କେନ୍ଦ୍ରମନ୍ତ୍ରୀ କହୁଥିଲେ, ଏପର୍ଯ୍ୟନ୍ତ ସେ ନେଇ ରାଜ୍ୟ ସରକାରଙ୍କୁ ଅନ୍ଧକାରରେ ରଖାଯାଇଛି । ଏହି ଟର୍ମସ୍ ଅଫ୍ ରେଫରେନ୍ସ ଆସିଲା ପରେ ହିଁ ଓଡ଼ିଶା ସରକାର ମହାନଦୀ ଉପରମୁଣ୍ଡରେ ଛତିଶଗଡ଼ ସରକାରଙ୍କ ମନମୁଖୀ କାର୍ଯ୍ୟ ସମ୍ପର୍କରେ ଟ୍ରିବ୍ୟୁନାଲଙ୍କ ପାଖରେ ଅପିଲ୍ କରିପାରିବେ । କିନ୍ତୁ ଉଦ୍ଦେଶ୍ୟମୂଳକ ଭାବେ କେନ୍ଦ୍ର ସରକାର ଏହି ଟର୍ମସ୍ ଅଫ ରେଫରେନ୍ସକୁ ଏପର୍ଯ୍ୟନ୍ତ ନଦେଇ ପକାଇ ରଖିଛନ୍ତି । ସେହିପରି ଏପ୍ରିଲ ୧୨ ତାରିଖରେ ନୂଆଦିଲ୍ଲୀରେ ସିଡବ୍ଲ୍ୟୁସି ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର ଜଳ ସଂପଦ ବିଭାଗ ଆନ୍ତରାଜ୍ୟ ମିଟିଂ ପାଇଁ ଡାକିଛନ୍ତି । ମହାନଦୀ ଅବବାହିକାରେ ଓଡ଼ିଶା ଓ ଛତିଶଗଡ଼ର ବିଭିନ୍ନ ଆନ୍ତଃରାଜ୍ୟ ସମସ୍ୟାକୁ ନେଇ ସେଥିରେ ଆଲୋଚନା ହେବ ବୋଲି ରାଜ୍ୟ ସରକାରଙ୍କୁ ଚିଠି ଆସିଛି । ସେହିପରି ଆଉ ଗୋଟିଏ ଚିଠି ମଧ୍ୟ ୨୦୧୮ ଏପ୍ରିଲ ୩ରେ ଆସିଛି, ଯେଉଁଥିରେ କେନ୍ଦ୍ର ଜଳ ସଂପଦ ମନ୍ତ୍ରୀ ମହାନଦୀ ପ୍ରବାହିତ ହେଉଥିବା ୫ଟି ରାଜ୍ୟକୁ ଏହି ଜଳ ସମସ୍ୟା ବିଷୟରେ ଆଲୋଚନା କରିବାକୁ ଚିଠି କରିଛନ୍ତି । ଟ୍ରିବ୍ୟୁନାଲ ଗଠନ ସରିଥିବାବେଳେ ଏଭଳି ବୈଠକ କେନ୍ଦ୍ର ସରକାର ଡାକିବାର ଯଥାର୍ଥତା କ’ଣ ବୋଲି ଶ୍ରୀ ଦାସବର୍ମା ପ୍ରଶ୍ନ କରିଛନ୍ତି । ସେହିପରି ଦଳର ସାଧାରଣ ସଂପାଦକ ତଥା ବିଧାୟକ ଶ୍ରୀ ନାୟକ କେନ୍ଦ୍ରର ଟାଳଟୁଳ ନୀତିକୁ ତୀବ୍ର ସମାଲୋଚନା କରିବା ସହିତ ଏହା ବିରୋଧରେ ସ୍ୱର ଉତ୍ତୋଳନ କରାଯିବ ବୋଲି କହିଛନ୍ତି । ଏ ସମସ୍ତ ପ୍ରସଙ୍ଗକୁ ନେଇ ବିଜେଡି ଚଳିିତ ମାସ ୧୫ ତାରିଖ ଦିନ ଦଳୀୟ ମୁଖ୍ୟାଳୟରେ ଏକ ସମ୍ମିଳନୀ ଆୟୋଜନ କରିବ । ସେଥିରେ ମହାନଦୀ ଅବବାହିକାରେ ଥିବା ୧୫ଟି ଜିଲ୍ଲାର ସମସ୍ତ ଦଳୀୟ ନିର୍ବାଚିତ ପ୍ରତିନିଧି ଓ ସାଂଗଠନିକ ମୁଖ୍ୟମାନେ ଯୋଗ ଦେବେ । ମନ୍ତ୍ରୀ, ସାଂସଦ, ବିଧାୟକ, ଜିଲ୍ଲା ସଭାପତି, ଜିଲ୍ଲା ପରିଷଦ ଅଧ୍ୟକ୍ଷ, ବ୍ଲକ ଓ ନଗର ସଭାପତି ଏବଂ ବ୍ଲକ ଓ ପୌରାଞ୍ଚଳ ଅଧ୍ୟକ୍ଷ, ଯୁବ-ଛାତ୍ର-ମହିଳା ରାଜ୍ୟ ସଭାପତି ଏବଂ ବିଜେଡି ରାଜ୍ୟ କର୍ମକର୍ତ୍ତା ପ୍ରମୁଖଙ୍କ ଉପସ୍ଥିତିରେ ମହାନଦୀକୁ ନେଇ ପରବର୍ତ୍ତୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯିବ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଂପାଦକ ବିଜୟ ନାୟକ ଉପସ୍ଥିତ ଥିଲେ ।


