ରାଜାଙ୍କ ଗଡ଼ଫାଦର ତଥା ବିଜେଡିର ବଡ଼ପଣ୍ଡାମାନଙ୍କ ଅଡ଼ୁଆ ବଢ଼ିଲା
ଶହ ଶହ କୋଟିର ଦୁର୍ନୀତି ଚିଠା ରଖିଲେ କ୍ରାଇମବ୍ରାଂଚ ଡିଜି
ଭୁବନେଶ୍ୱର(ଓଡ଼ିଶା ୱେୟାର): ବିଜେଡି ନେତା ସୌମ୍ୟଶଙ୍କର ଚକ୍ର ଓରଫ ରାଜା ଚକ୍ରଙ୍କୁ କ୍ରାଇମବ୍ରାଂଚର ଅର୍ଥନୀତିକ ଅପରାଧ ଶାଖା ଗିରଫ କରିଛି । ହାଇକୋର୍ଟ ଗତକାଲି ତାଙ୍କର ଗିରଫଦାରୀ ଉପରୁ ଅନ୍ତରୀଣ ସୁରକ୍ଷା ହଟାଇ ଦେବା ପରେ ସେ ଗିରଫ ହେବା ସ୍ପଷ୍ଟ ହୋଇଯାଇଥିଲା । ରାଜା ଚକ୍ରଙ୍କୁ ଗିରଫ ପରେ ତାଙ୍କର ଗଡ଼ଫାଦର ତଥା ବିଜେଡିର ବଡ଼ପଣ୍ଡାମାନଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି । କ୍ରାଇମବ୍ରାଂଚ ପକ୍ଷରୁ ମଧ୍ୟ ଏକ ସାମ୍ବାଦିକ ସମ୍ମିଳନୀରେ ରାଜା ଚକ୍ରଙ୍କ କଳା ସାମ୍ରାଜ୍ୟର ଲମ୍ବା ତାଲିକା ଦିଆଯାଇଛି ।
ସୂଚନା ଅନୁସାରେ ବିଜେଡି ନେତା ରାଜା ଚକ୍ରଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିବା ପୂର୍ବରୁ ଅର୍ଥନୀତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) ତାଙ୍କୁ ନିଜ କାର୍ଯ୍ୟାଳୟକୁ ନେଇଥିଲା । ସେଠାରୁ କୋର୍ଟକୁ ଚାଲାଣ ପାଇଁ ନେଇଛି । ଗିରଫ ପରେ ରାଜା ଗଣମାଧ୍ୟମକୁ ପ୍ରତିକ୍ରିୟାରେ କହିଛନ୍ତି ଯେ ନ୍ୟାୟପାଳିକା ଉପରେ ତାଙ୍କର ଭରସା ଅଛି । ଇଓଡବ୍ଲ୍ୟୁ ଏବେ ତାଙ୍କୁ ଜାମିନରେ ଆଣି ଅଧିକ ଜେରା କରିବା ସହ ତାଙ୍କର ବ୍ୟବସାୟିକ ସାମ୍ରାଜ୍ୟର ଗୁମର ଖୋଲିବାକୁ ପ୍ରୟାସ କରିବ ବୋଲି ଜଣାପଡ଼ିଛି ।
ଏପଟେ ରାଜାଙ୍କ କଳା ସାମ୍ରାଜ୍ୟର ତାଲିକା ଦେଇ କ୍ରାଇମବ୍ରାଂଚ ଡିଜି ବିନୟତୋଷ ମିଶ୍ର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ୨୦୧୭-୧୮ରୁ ୨୦୨୪ ମାର୍ଚ୍ଚ ମସିହା ମଧ୍ୟରେ ରାଜାଙ୍କ ହାକିମାତିରେ ଚାଲୁଥିବା ଶୁଆକାଟିସ୍ଥିତ ଗନ୍ଧମାର୍ଦ୍ଧନ ଲୋଡ଼ିଂ ଏଜେନ୍ସୀ ଆଣ୍ଡ ଟ୍ରାନ୍ସପୋର୍ଟିଂ କେଅପରେଟିଭ ସୋସାଇଟି ମୋଟ ୧୮୫ କୋଟି ଟଙ୍କା ଆୟ କରିଛି । ରାଜା ନିଜର ରାଜନୀତିକ ଦବଦବା ଦେଖାଇ ଏହି ସୋସାଇଟିକୁ ନିଜର ଉପାର୍ଜନର ମାଧ୍ୟମ କରିଥିଲେ । ଏହି ସୋସାଇଟିର ଅଡିଟ୍ ୨୦୧୨-୧୩ରୁ ହୋଇନାହିଁ । ରାଜା ଚକ୍ର ନିଜେ କାଗଜକଲମରେ ଏହି ସୋସାଇଟିର ସଦସ୍ୟ ନଥିଲେ ମଧ୍ୟ ସେ ନିଜର ଖାସ୍ ଅନୁଗତ ସଦାଶିବ ସାମଲ,ସୁଧାଂଶୁ ଶେଖର ନାଏକ ଓ ସମୀର ଜେନାଙ୍କ ମାଧ୍ୟମରେ ଏହାର ସବୁକିଛି ନିୟନ୍ତ୍ରଣ କରୁଥିଲେ । ରାଜା ଶଙ୍କର ମିନେରାଲ, ଶଙ୍କର ଟ୍ରାନ୍ସପୋର୍ଟ, ଶଙ୍କର ରୋଡୱେଜ୍ ଓ ଶଙ୍କର ପ୍ରୋଜେକ୍ଟ ଭଳି କମ୍ପାନୀ ଗଢ଼ି ନିଜର ବ୍ୟବସାୟିକ ସାମ୍ରାଜ୍ୟର ବିସ୍ତାର କରିଥିଲା । ରାଜାଙ୍କର ବିଭିନ୍ନ ଆକାଉଣ୍ଟକୁ ସିଜ୍ କରାଯିବା ସହ ପ୍ରାୟ ୨୫ଲକ୍ଷ ଟଙ୍କା ବ୍ୟାଙ୍କ ବାଲାନ୍ସକୁ ଫ୍ରିଜ୍ କରିଦିଆଯାଇଛି ।
କ୍ରାଇମବ୍ରାଂଚ ଡିଜି ଶ୍ରୀ ମିଶ୍ର ଆଉ କ’ଣ କହିଲେ
-ପ୍ରେସମିଟ୍ରେ ଶହ ଶହ କୋଟିର ଦୁର୍ନୀତି ଚିଠା ରଖିଲେ
-୨୦୧୭ରୁ ମାର୍ଚ୍ଚ ୨୦୨୪ ମଧ୍ୟରେ ୧୮୫ କୋଟି ଆୟ କରିଥିଲା ଏଜେନ୍ସୀ
-ଆୟ ଏହାଠାରୁ ଅଧିକ ବି ହୋଇପାରେ, ଅଡିଟ୍ ହେଲେ ଜଣାପଡ଼ିବ
-ପାରିପାର୍ଶ୍ବିକ ବିକାଶ ପାଇଁ ୩୪ କୋଟି ଖର୍ଚ୍ଚ ହୋଇଥିବା ଦେଖାଇଛନ୍ତି
-କିନ୍ତୁ କୌଣସି ପାରିପାର୍ଶ୍ବିକ ବିକାଶ ହୋଇନଥିବା ୨ ଜଣ ବିଡିଓ କହିଛନ୍ତି
-ମା କାଳୀ ନାମକ ଏକ ପେଟ୍ରୋଲ ପମ୍ପକୁ ୯.୧ କୋଟି ଟଙ୍କା ପେମେଣ୍ଟ ହୋଇଛି
-ପଚାରିବାରୁ ଜାଣିଲୁଗନ୍ଧମାର୍ଦ୍ଧନ ଲୋଡ଼ିଂ ଏଜେନ୍ସୀ ଆଣ୍ଡ ଟ୍ରାନ୍ସପୋର୍ଟିଂକୁ କୌଣସି ତେଲ ଦିଆଯାଇନି
-ରାଜା ଚକ୍ରଙ୍କ ଗାଡ଼ିକୁ ଏସବୁ ତେଲ ଦିଆଯାଇଥିବା ତଦନ୍ତରୁ ଜଣାପଡ଼ିଛି
-ସହାୟତା ନାଁରେ ୪ ବର୍ଷରେ ଗାଁ ଲୋକଙ୍କୁ ବଣ୍ଟା ହୋଇଛି ୩୩ କୋଟି ଟଙ୍କା
-ଗାଁ ଲୋକଙ୍କ ସମର୍ଥନ ପାଇଁ ଏସବୁ ଟଙ୍କା ବଣ୍ଟାଯାଇଛି
-ଅନ୍ୟ କୌଣସି ଲୋଡିଂ ଏଜେନ୍ସୀକୁ କାମ ନ କରାଇ ଦେବାକୁ ଟଙ୍କା ବାଣ୍ଟୁଥିଲେ
-ଶ୍ରମିକଙ୍କ ପାଉଣା ନାଁରେ ୭୪ କୋଟି ଟଙ୍କା ହଡ଼ପ
ରାଜାଙ୍କୁ ଗିରଫ ପରେ ଗଡ଼ଫାଦରମାନଙ୍କ ସମସ୍ୟା ବଢ଼ିବାରେ ଲାଗିଛି ।ରାଜା ଚକ୍ରଙ୍କୁ ଜେରା ପରେ କେନ୍ଦୁଝର ଜିଲ୍ଲାରେ ଖଣି କାରବାରରେ ହୋଇଥିବା ବ୍ୟାପକ ଅନିୟମିତତାର ପର୍ଦ୍ଦାଫାସ ହେବାର ସମ୍ଭାବନା ରହିଛି । କେନ୍ଦୁଝରର ବିଜେଡି ନେତା ତଥା ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର ମଧ୍ୟ ଆଜି ରାଜାଙ୍କ ଗିରଫ ପରେ ତାଙ୍କ ଇସାରାରେ କାର୍ଯ୍ୟ କରୁଥିବା ତତକାଳୀନ ଜିଲ୍ଲାପାଳ ଓ ପୁଲିସ ଏସପିଙ୍କୁ ତଦନ୍ତ ପରିସରକୁ ନେବାକୁ ଦାବି କରିଛନ୍ତି । ବିଜେଡି ନେତା ରାଜା ଚକ୍ରଙ୍କ ବିରୁଦ୍ଧରେ ଇଓଡବ୍ଲ୍ୟୁରେ ଆଇପିସିର ଧାରା-୪୦୬,୪୦୯,୪୨୦,୪୬୭,୪୬୮,୪୭୧,୧୨୦-ଖରେ ମାମଲା ରୁଜୁ ହୋଇଛି । ଏହାସହିତ କେନ୍ଦୁଝର ଜିଲ୍ଲାର ବିଭିନ୍ନ ଥାନାରେ ମୋଟ ୧୩ଟି କେସ୍ ମଧ୍ୟ ରହିଛି ।

