ଭୁବନେଶ୍ୱର(ଓଡ଼ିଶା ୱେୟାର): ବିଜେପିର ଚାଣକ୍ୟ ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ଆସନ୍ତା ୨୧ତାରିଖରେ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି । ଏହି ୩ ଦିନିଆ ଗସ୍ତ ଅବସରରେ ଶ୍ରୀ ଶାହ ସମ୍ବଲପୁର, ପୁରୀ ଓ ଭୁବନେଶ୍ୱରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ଜଣାପଡ଼ିଛି । ବିଶେଷକରି ଶ୍ରୀ ଶାହ ଦଳୀୟ ସଂଗଠନ ଓ ରାଜ୍ୟରେ ବିଜେପି ସରକାରଙ୍କ କାର୍ଯ୍ୟର ସମୀକ୍ଷା କରିବାର ସମ୍ଭାବନା ରହିଛି ।
ସୂଚନା ଅନୁସାରେ, କେନ୍ଦ୍ରମନ୍ତ୍ରୀ ଶ୍ରୀ ଶାହ ୨୨ରେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ଝାରସୁଗୁଡ଼ା ବିମାନବନ୍ଦରରେ ପହଂଚି ସିଧାସଳଖ ସମ୍ବଲପୁର ଯିବେ । ସେଠାରେ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇ ଶ୍ରୀ ଶାହ ଭୁବନେଶ୍ୱର ଆସିବେ । ଶ୍ରୀ ଶାହଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସାଂଗଠନିକସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହି ଗସ୍ତବେଳେ ଶ୍ରୀ ଶାହ ଦଳର ବରିଷ୍ଠ ନେତାମାନଙ୍କ ସମେତ ମୁଖ୍ୟମନ୍ତ୍ରୀ ଓ ବିଭିନ୍ନ ମନ୍ତ୍ରୀମାନଙ୍କ କାର୍ଯ୍ୟର ସମୀକ୍ଷା କରିବେ । ସେ ମଧ୍ୟ ପୁରୀ ଗସ୍ତରେ ଯାଇ ସେଠାରେ ଦଳୀୟ ବିଧାୟକ-ମନ୍ତ୍ରୀମାନଙ୍କ ସହ ବୈଠକରେ ଯୋଗ ଦେବେ ଏବଂ ସେମାନଙ୍କୁ ଗୁରୁମନ୍ତ୍ର ଦେବେ ବୋଲି ସୂଚନା ମିଳିଛି ।
ଶାହାଙ୍କ ଏହି ଗସ୍ତବେଳେ ରାଜ୍ୟରେ ବିଜେପି ସଭାପତି ନିଯୁକ୍ତିକୁ ନେଇ ଲାଗି ରହିଥିବା ଅନିଶ୍ଚିତତା, ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ, ସରକାରଙ୍କ ବିଭିନ୍ନ ନିଗମ ଓ ବୋର୍ଡ ଅଧ୍ୟକ୍ଷ ପଦବୀରେ ନିଯୁକ୍ତି ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଚର୍ଚ୍ଚା ହେଉଛି ।
ସୂଚନାଯୋଗ୍ୟ, ଶ୍ରୀ ଶାହ ଗତବର୍ଷ ଡିସେମ୍ବରରେ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଥିଲା । କିନ୍ତୁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ମୃତ୍ୟୁ ପାଇଁ ୭ଦିନିଆ ଜାତୀୟ ଶୋକ ଦୃଷ୍ଟିରୁ ଏହି କାର୍ଯ୍ୟକ୍ରମ ବାତିଲ ହୋଇଥିଲା ।


