ସୁଶ୍ରୀସଙ୍ଗୀତା ସାହୁଙ୍କୁ ପ୍ରଦୀପ, ଜାଗ୍ରତି ଶୁକ୍ଳାଙ୍କୁ ଅନୁଭବ
ଭୁବନେଶ୍ୱର(ଓଡ଼ିଶା ୱେୟାର): ରାଜ୍ୟର ଦୁଇଜଣ ପୂର୍ବତନ ସାଂସଦ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ଉଭୟ ରାଜ୍ୟ ବାହାରେ ବିବାହ କରିଛନ୍ତି । ନବରଙ୍ଗପୁରର ପୂର୍ବତନ ସାଂସଦ ତଥା ବିଜେଡି ନେତା ପ୍ରଦୀପ ମାଝୀ ତାଙ୍କର ବାନ୍ଧବୀ କେନ୍ଦ୍ରାପଡ଼ା ଜିଲ୍ଲାର ସୁଶ୍ରୀସଙ୍ଗୀତା ସାହୁଙ୍କୁ ଗୋଆର ପାଣାଜୀଠାରେ ମାର୍ଚ୍ଚ ୧୨ରେ ବିବାହ କରିଥିବାବେଳେ କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ତାଙ୍କର ବାନ୍ଧବୀ ଜାଗ୍ରତି ଶୁକ୍ଳାଙ୍କୁ ମାର୍ଚ୍ଚ ୧୧ ତାରିଖରେ ଦ୍ୱିତୀୟ ବିବାହ କରିଛନ୍ତି ।
ସୂଚନା ଅନୁସାରେ, ବିଜେଡି ନେତା ପ୍ରଦୀପ ମାଝୀ ପାଣାଜୀଠାରେ ପରିବାର ସଦସ୍ୟ ଓ ଘନିଷ୍ଠ ବନ୍ଧୁମାନଙ୍କ ଗହଣରେ ବାନ୍ଧବୀ ସଙ୍ଗୀତାଙ୍କ ହାତ ଧରିଛନ୍ତି । ସେହିପରି ବିଜେପି ନେତା ତଥା ତାରକା ଅନୁଭବ ମହାନ୍ତି ମଧ୍ୟ ତାଙ୍କର ବାନ୍ଧବୀ ଜାଗ୍ରତି ଶୁକ୍ଳାଙ୍କୁ ବିବାହ କରିଛନ୍ତି । ଦିଲ୍ଲୀରେ ଜଗନ୍ନାଥ ମନ୍ଦିରରେ ଏହି ବିବାହ ସମ୍ପନ୍ନ ହୋଇଛି । ମଧ୍ୟପ୍ରଦେଶର ଝିଅ ଜାଗ୍ରତିଙ୍କ ସହ ପ୍ରାୟ ୩ବର୍ଷ ଧରି ସମ୍ପର୍କରେ ରହିବା ପରେ ସେ ତାଙ୍କୁ ବିବାହ କରିଥିବା ଜଣାପଡ଼ିଛି । ୨୦୧୪ରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ବିବାହ କରିଥିବା ଅନୁଭବ ଗତ ୨୦୨୩ ମସିହାରେ ତାଙ୍କୁ ଛାଡ଼ପତ୍ର ଦେଇଥିଲେ ।
ଉଲ୍ଲେଖଯୋଗ୍ୟ, ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଅନୁଭବ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିବାବେଳେ ପ୍ରଦୀପ କଂଗ୍ରେସ ଛାଡ଼ି ବିଜେଡିରେ ସାମିଲ ହୋଇଛନ୍ତି । ଚଳିତଥର ପ୍ରଦୀପ ନିର୍ବାଚନ ଲଢ଼ି ପରାଜିିତ ହୋଇଥିଲେ ଓ ଅନୁଭବଙ୍କୁ ଟିକେଟ୍ ମିଳିନଥିଲା ।


