ଭୁବନେଶ୍ୱର(ଓଡ଼ିଶା ୱେୟାର): ଓଡ଼ିଆ ଅଭିନେତା ତଥା ପୂର୍ବତନ ସାଂସଦ ଅନୁଭବ ମହାନ୍ତି ଦ୍ୱିତୀୟଥର ପାଇଁ ବିବାହ କରିବାକୁ ଯାଉଛନ୍ତି । ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କଠୁ ଛାଡ଼ପତ୍ର ପରେ ସେ ତାଙ୍କର ଦୀର୍ଘଦିନର ଅଣଓଡ଼ିଆ ବାନ୍ଧବୀ ଜାଗୃତି ଶୁକ୍ଳାଙ୍କୁ ବିବାହ କରିବେ ବୋଲି ଜଣାପଡ଼ିଛି । ଜାଗୃତି ଓ ତାଙ୍କର ନିର୍ବନ୍ଧ ଶେଷ ହୋଇଥିବାବେଳେ ଆସନ୍ତା ୧୧ତାରିଖରେ ଉଭୟ ପରିବାର ସଦସ୍ୟ ଓ ସମ୍ପର୍କୀୟଙ୍କ ଗହଣରେ ରାଜ୍ୟ ବାହାରେ ବିବାହ ହେବ ବୋଲି ସୂଚନା ମିଳିଛି । ଅନୁଭବଙ୍କ ସହ ନିର୍ବନ୍ଧ ସମ୍ପର୍କରେ ଜାଗୃତି ମଧ୍ୟ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ସୂଚନା ଦେଇଛନ୍ତି ।
ଅନୁଭବଙ୍କ ବାନ୍ଧବୀ ଜାଗୃତି ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏହି ନିର୍ବନ୍ଧ ସମ୍ପର୍କରେ ସୂଚନା ଦେଇ ଲେଖିଛନ୍ତି ଯେ, “ମୁଁ ମୋ’ ପ୍ରିୟ ବନ୍ଧୁଙ୍କୁ ହଁ କହିଲି, ଆମ ପରିବାରର ଆଶୀର୍ବାଦ ଓ ଆମ ବନ୍ଧୁମାନଙ୍କ କ୍ରମାଗତ ସହଯୋଗରେ ହୃଦୟରୁ ଅସରନ୍ତି କୃତଜ୍ଞତା ଜଣାଉଛି । ଏହି ବନ୍ଧତ୍ୱ ସମ୍ପର୍କ ଆଉ କିଛି ସୁନ୍ଦର ଭାବେ ପ୍ରସ୍ଫୁଟିତ ହୋଇଛି ଓ ମୁଁ ଆମର ମିଳିତ ପ୍ରେମ କାହାଣୀ ସମ୍ପର୍କରେ ନଲେଖି ରହିପାରିଲି ନାହିଁ ।” ଏଭଳି ଲେଖା ମାଧ୍ୟମରେ ଜାଗୃତି ନିଜର ସମ୍ପର୍କକୁ ଉଜାଗର କରିଥିବାବେଳେ ଉଭୟଙ୍କୁ ଏଥିପାଇଁ ପ୍ରଂଶସକମାନେ ଶୁଭେଚ୍ଛା ଜଣାଇବାରେ ଲାଗିଛନ୍ତି ।
ଯଦି ସୋସିଆଲ ମିଡିଆରେ ହେଉଥିବା ଚର୍ଚ୍ଚାକୁ ବିଶ୍ୱାସ କରାଯାଏ ତା’ହେଲେ ଉଭୟ ଆସନ୍ତା ମାର୍ଚ୍ଚ ୧୧ତାରିଖରେ ବିବାହ ବନ୍ଧନରେ ଆବଦ୍ଧ ହେବେ ।
ସୂଚନାଯୋଗ୍ୟ, ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ୨୦୧୪ ମସିହାରେ ଅନୁଭବ ପ୍ରେମବିବାହ କରିଥିଲେ । ମାତ୍ର ଗତବର୍ଷ ୨୦୨୪ ମସିହାରେ ଉଭୟଙ୍କ ଛାଡ଼ପତ୍ର ହୋଇଯାଇଛି । ପେଷାରେ ସାମ୍ବାଦିକତା କରୁଥିବା ଜାଗୃତିଙ୍କ ସହ ଅନୁଭବଙ୍କର ୩-୪ବର୍ଷ ଧରି ପ୍ରେମ ସମ୍ପର୍କ ଗଢ଼ି ଉଠିଥିବା ଚର୍ଚ୍ଚା ହେଉଛି ।

