ଭୁବନେଶ୍ୱର(ଓଡ଼ିଶା ୱେୟାର): ବରିଷ୍ଠ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କୁ ଗୃହ କାର୍ଯ୍ୟରୁ ୭ଦିନ ପାଇଁ ନିଲମ୍ବନ ଘଟଣାକୁ କଂଗ୍ରେସ ସହଜରେ ଗ୍ରହଣ କରିପାରିନି । ଏହାସହିତ ରାଜ୍ୟରେ ବୃଦ୍ଧି ପାଉଥିବା ମହିଳା ହିଂସା ଓ ନିର୍ଯାତନା ଘଟଣାରେ ବାରମ୍ବାର ଦାବି ସତ୍ତ୍ୱେ ସରକାର ସେହି ପ୍ରସଙ୍ଗରେ ବିଧାନସଭାରେ ଆଲୋଚନା ପାଇଁ ଅନୁମତି ଦେଉନଥିବାରୁ କଂଗ୍ରେସ ଏକ ବିଶାଳ ଜନସମାବେଶ ନିମନ୍ତେ ନିଷ୍ପତ୍ତି ନେଇଛି ।ଆସନ୍ତା ୨୭ତାରିଖରେ ପିସିସି ସଭାପତି ଭକ୍ତଚରଣ ଦାସଙ୍କ ନେତୃତ୍ୱରେ ଏକ ବିଶାଳ ସମାବେଶ କରି ବିଧାନସଭା ଘେରାଉ ସହ କଂଗ୍ରେସ ନିଜର ଶକ୍ତି ପ୍ରଦର୍ଶନ କରିବ ବୋଲି ଜଣାପଡ଼ିଛି ।
ସୂଚନା ଅନୁସାରେ, ଆଜି ଏଆଇସିସି ପ୍ରଭାରୀ ଅଜୟ କୁମାର ଲଲୁଙ୍କ ଉପସ୍ଥିତିରେ କଂଗ୍ରେସ ଭବନରେ ପିସିସି ସଭାପତି ଶ୍ରୀ ଦାସଙ୍କ ଅଧ୍ୟକ୍ଷତାରେ ଦଳର ବିଧାୟକ, ବରିଷ୍ଠ ନେତା, ଜିଲ୍ଲା ଓ ବ୍ଲକସ୍ତରର ନେତାମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । କଂଗ୍ରେସ ଆସନ୍ତା ୨୭ତାରିଖରେ ବିଧାନସଭା ଘେରାଉ କରି ନିଜର ଶକ୍ତି ପ୍ରଦର୍ଶନ କରିବା ସହ ରାଜ୍ୟର ବିଜେପି ସରକାରରେ ବୃଦ୍ଧି ପାଉଥିବା ମହିଳା ହିଂସାକୁ ରୋକିବା ନିମନ୍ତେ ଆବଶ୍ୟକ ପଦକ୍ଷେପ ନିଆନଯିବା ପର୍ଯ୍ୟନ୍ତ ଲଢ଼େଇ ଜାରି ରଖିବ ବୋଲି ଜଣାପଡ଼ିଛି ।
ଆଜିର ବୈଠକରେ ବିଧାୟକ ଶ୍ରୀ ବାହିନୀପତିଙ୍କ ଉପରେ ବାଚସ୍ପତିଙ୍କ କାର୍ଯ୍ୟାନୁଷ୍ଠାନକୁ ନେଇ ଦଳର ନେତାମାନେ ଉଦବେଗ ବ୍ୟକ୍ତ କରିବା ସହ ସମସ୍ତେ ବିଧାୟକମାନଙ୍କ ଆଭିମୁଖ୍ୟକୁ ସମର୍ଥନ କରିଥିଲେ ।
ଆଜି ଗୃହ କାର୍ଯ୍ୟକୁ କଂଗ୍ରେସ ବିଧାୟକମାନେ ବର୍ଜନ କରିବା ସହ ବିଧାନସଭା ପରିସରରେ ଥିବା ଗାନ୍ଧି ମୂର୍ତ୍ତିି ତଳେ ଧାରଣା ଦେଇଥିଲେ । କଂଗ୍ରେସ ପ୍ରଭାରୀ ଶ୍ରୀ ଲଲୁ ଆଜି ସକାଳେ କଂଗ୍ରେସ ବିଧାୟକ ଶ୍ରୀ ବାହିନୀପତିଙ୍କ ଘରକୁ ଯାଇ ତାଙ୍କୁ ସମର୍ଥନ ଜଣାଇଥିଲେ ।


