ଭୁବନେଶ୍ୱର(ଓଡ଼ିଶା ୱେୟାର):ରାଜ୍ୟରେ ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ହେବ। ରାଜ୍ୟର ସମସ୍ତ ଅଣ୍ଡର ଗ୍ରାଜୁଏଟଙ୍କ ପାଇଁ ଚଳିତ ଶିକ୍ଷାବର୍ଷରୁ ଏକକ ସିଲାବସ ଲାଗୁ କରାଯିବ ବୋଲି ଆଜି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି। ଆଜି ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ବିଶ୍ୱ ବିଦ୍ୟାଳୟର ଭିସିଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ସମସ୍ତ ବିଶ୍ୱବିଦ୍ୟାଳୟରେ ଚଳିତ ଶିକ୍ଷାବର୍ଷରୁ ଏକକ ସିଲାବସ୍ ଲାଗୁ କରିବା ପାଇଁ ନିଷ୍ପତି ହୋଇଛି। ଏହାସହ ଉଚ୍ଚ ଶିକ୍ଷାର ଗୁଣାତ୍ମକମାନ ବୃଦ୍ଧି ପାଇଁ ବୈଠକରେ ଚର୍ଚ୍ଚା ହୋଇଥିଲା। ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟରେ ଖାଲି ପଡିଥିବା ଅଧ୍ୟାପକ ପଦବୀ ଅତିଶୀଘ୍ର ପୂରଣ ହେବ ବୋଲି ବିଶ୍ୱବିଦ୍ୟାଳୟ ଭିସିଙ୍କ ସହ ବୈଠକ ପରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି। ରାଜ୍ୟର ସମସ୍ତ କଲେଜରେ ଖାଲି ପଡିଥିବା ଅଧ୍ୟାପକ ପଦବୀ ପୂରଣ କରିବାକୁ ଚେଷ୍ଟା କରାଯିବ ବୋଲି ଆଲୋଚନା ମଧ୍ୟ ହୋଇଛି। ସେହିଭଳି ୧୦୦ଜଣ ଛାତ୍ରଙ୍କୁ ସିଭିଲ ସର୍ଭିସ ପାଇଁ ତାଲିମ ଏବଂ କୋଚିଂ ଦିଆଯିବ। ତେବେ ଏଥିପାଇଁ ଅଦ୍ୟବଧି ୮୬ଜଣ ଛାତ୍ର ଏଥିପାଇଁ ଆବେଦନ କରିଥିବା ମଧ୍ୟ ଶ୍ରୀ ସାହୁ ସୂଚନା ଦେଇଛନ୍ତି।


