ଭୁବନେଶ୍ୱର: ଅନ୍ନପୂର୍ଣ୍ଣା ଯୋଜନାରେ ଗତ ଦୁଇବର୍ଷ ଧରି ବାକି ଥିବା ଖାଦ୍ୟଶସ୍ୟ ଓ ପାଣ୍ଠିକୁ ତୁରନ୍ତ ପ୍ରଦାନ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଦାବି କରିଛନ୍ତି ।ଭୁବନେଶ୍ୱର: ଅନ୍ନପୂର୍ଣ୍ଣା ଯୋଜନାରେ ଗତ ଦୁଇବର୍ଷ ଧରି ବାକି ଥିବା ଖାଦ୍ୟଶସ୍ୟ ଓ ପାଣ୍ଠିକୁ ତୁରନ୍ତ ପ୍ରଦାନ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଦାବି କରିଛନ୍ତି । ଶ୍ରୀ ପଟ୍ଟନାୟକ ତାଙ୍କ ଚିଠିରେ ଲେଖିଛନ୍ତି ଯେ, ୨୦୧୬-୧୭ ଓ ୨୦୧୭-୧୮ ଆର୍ଥିକ ବର୍ଷରେ ଅନ୍ନପୂର୍ଣ୍ଣା ଯୋଜନାରେ କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ ପକ୍ଷରୁ କୌଣସି ଖାଦ୍ୟଶସ୍ୟ ଆବଣ୍ଟନ ହୋଇନି । ସେହିପରି ୨୦୧୭-୧୮ରେ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟରୁ ମଧ୍ୟ କୌଣସି ପାଣ୍ଠି ମିଳିନି । ଏବେ ଓଡ଼ିଶାରେ ୬୪,୮୦୦ ବୃଦ୍ଧବୃଦ୍ଧାଙ୍କୁ ଏହି ଯୋଜନାରେ ସାମିଲ କରାଯାଇଛି । ଅନ୍ନପୂର୍ଣ୍ଣା ଯୋଜନାରେ ଯୋଗ୍ୟ ବରିଷ୍ଠ ନାଗରିକଙ୍କୁ ମାସିକ ୧୦କିଲୋ ଚାଉଳ ମାଗଣା ଯୋଗାଇ ଦିଆଯାଏ । ଏହି ବୃଦ୍ଧବୃଦ୍ଧାମାନେ ଜାତୀୟ ବାର୍ଦ୍ଧକ୍ୟ ପେନ୍ସନ୍ ଯୋଜନାରେ ସାମିଲ ନାହାନ୍ତି । ତେବେ ଏହି ବୃଦ୍ଧ ଲୋକମାନଙ୍କର ପେନ୍ସନ୍ ଓ ଖାଦ୍ୟ ସୁରକ୍ଷା ଦିଗରେ ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ଖର୍ଚ୍ଚ ତୁଲାଉଛି । ତେଣୁ ଏହି ପାଣ୍ଠି ଓ ଖାଦ୍ୟଶସ୍ୟ ତୁରନ୍ତ ରାଜ୍ୟକୁ ପ୍ରଦାନ ଦିଗରେ ଉଭୟ ମନ୍ତ୍ରଣାଳୟକୁ ଆବଶ୍ୟକ ନିର୍ଦ୍ଦେଶ ଦେବା ପାଇଁ ଶ୍ରୀ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।


