ଭୁବନେଶ୍ୱର (ଓଡ଼ିଶା ୱେୟାର): ଦୀର୍ଘ ଦିନର ନିରବତା ପରେ ନିର୍ବାଚନ ସମୟରେ ସକ୍ରିୟ ହୋଇ ଉଠିଛି ସିବିଆଇ। ବହୁଚର୍ଚ୍ଚିତ ଚିଟଫଣ୍ଡ ସ୍କାମ୍ ନେଇ ବିଜେଡିର ୨ ବରିଷ୍ଠ ନେତାଙ୍କୁ ନୋଟିସ୍ କରିଛି ସିବିଆଇ।
ବିଜେଡି ବିଧାୟକ ଅତନୁ ସବ୍ୟସାଚୀ ନାୟକ ଓ ଅରୁଣ ସାହୁଙ୍କୁ ସିବିଆଇ ନୋଟିସ୍ କରିଥିବା ଜଣାପଡ଼ିଛି। ସି-ସୋର ଚିଟଫଣ୍ଡ ଲିଙ୍କ୍ ନେଇ ଉଭୟଙ୍କୁ ସିବିଆଇ ନୋଟିସ୍ କରିଥିବା ସମ୍ବାଦ ସରବରାହ ସଂସ୍ଥା ଇଘଓ ସୂତ୍ରରୁ ସୂଚନା ମିଳିଛି। ଗଣମାଧ୍ୟମରେ ପ୍ରକାଶିତ ସିବିଆଇ ନୋଟିସ୍ ବିଷୟରେ ଦଳର ମୁଖପାତ୍ର ଡ. ସସ୍ମିତ ପାତ୍ର ମତ ରଖି କହିଛନ୍ତି ଯେ ଏହି ସୂଚନା ଆମେ ଗଣମାଧ୍ୟମ ଜରିଆରେ ପାଇଲୁ । ଯେଉଁ ବ୍ୟକ୍ତି ବିଶେଷଙ୍କୁ ସିବିଆଇ ନୋଟିସ୍ ହୋଇଛି ବୋଲି ଗଣମାଧ୍ୟମରେ ପ୍ରକାଶ ପାଇଛି, ସେମାନଙ୍କ ପାଖରେ ବର୍ତ୍ତମାନ ପର୍ଯ୍ୟନ୍ତ ସିବିଆଇ ନୋଟିସ୍ ପହଞ୍ôଚନାହିଁ । ଏହି ବିଷୟରେ ଗଣମାଧ୍ୟମକୁ ବୋଧେ ନୋଟିସ୍ ସଂକ୍ରାନ୍ତୀୟ ସୂଚନା ଦିଆଗଲା ଏବଂ ଏବେବି ସେହି ନୋଟିସ୍ ଡାକରେ ତା’ର ଗନ୍ତବ୍ୟ ସ୍ଥଳକୁ ଯାଉଥିବ । ଯେହେତୁ ଆସନ୍ତା ୩/୪ ସପ୍ତାହ ମଧ୍ୟରେ ସାଧାରଣ ନିର୍ବାଚନ ପାଇଁ ଆଚରଣ ବିଧି ଲାଗୁ ହେବାକୁ ଯାଉଛି, ସେଥିପାଇଁ ବୋଧେ ଏ ପ୍ରକାର ବିଷୟ ସବୁ କରାଯାଉଛି । ସିବିଆଇର ବିଶ୍ୱସନୀୟତା ଆଜି ଭାରତବର୍ଷ ସାରା ସୁପରିଚିତ ଏବଂ ସିବିଆଇ ଆଉଥରେ ଦର୍ଶାଇଲା ଯେ ସେମାନେ କେବଳ ଗୋଟିଏ ରାଜନୈତିକ ଅସ୍ତ୍ର ଛଡ଼ା ଆଉ କିଛି ନୁହେଁ ।


