ଭୁବନେଶ୍ୱର : ବିଜେପି ଜାତୀୟ ଅଧ୍ୟକ୍ଷ ଅମିତ୍ ଶାହ ଏପ୍ରିଲ ଦ୍ୱିତୀୟ ସପ୍ତାହରେ ଓଡ଼ିଶା ଗସ୍ତରେ ଆସିବେ । ତାଙ୍କ ଗସ୍ତର ନିର୍ଦ୍ଦିଷ୍ଟ ତାରିଖ କିମ୍ବା ସେ କେଉଁ ସ୍ଥାନକୁ ଯିବେ ତାହା ଏପର୍ଯ୍ୟନ୍ତ ଚୂଡ଼ାନ୍ତ ହୋଇନାହିଁ । ତେବେ ଏପ୍ରିଲ ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହରେ ସେ ଓଡ଼ିଶା ଆସିବେ ବୋଲି ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ସୂଚନା ଦେଇଛନ୍ତି । ବିଜେପି ସୂତ୍ରରୁ ଜଣାପଡ଼ୁଛି ଜାତୀୟ ଅଧ୍ୟକ୍ଷ ପଶ୍ଚିମ ଓଡ଼ିଶାର କେତେକ ଅଞ୍ଚଳକୁ ଗସ୍ତ କରିବେ । ବିଜେପି ସୂତ୍ର ଅନୁସାରେ ଶ୍ରୀ ଶାହ ସମ୍ବଲପୁର, କଳାହାଣ୍ଡି, ସୁନ୍ଦରଗଡ଼, ବଲାଙ୍ଗିର ଓ ସୋନପୁର ଜିଲ୍ଲା ଗସ୍ତରେ ଯିବେ । ସୂଚନାଯୋଗ୍ୟ, ଗତବର୍ଷ ସେପ୍ଟେମ୍ବର ୭ ତାରିଖରେ ଓଡ଼ିଶା ଗସ୍ତରେ ଆସିଥିବାବେଳେ ରାଜ୍ୟରେ ୧୨୦ଟି ବିଧାନସଭା ଆସନ ବିଜେପି ଜିତିବ ବୋଲି ସେ ଦମ୍ଭୋକ୍ତି ପ୍ରକାଶ କରିଥିଲେ ।


