ଭୁବନେଶ୍ୱର: କଳିଙ୍ଗ ଷ୍ଟୁଡ଼ିଓ ଅବ୍ୟବହୃତ ଜମିକୁ କାହାକୁ ଦିଆଯିବାର ପ୍ରଶ୍ନ ଉଠୁନି । ଏହା ଓଡ଼ିଶାର ସାଂସ୍କୃତିକ ଐତିହ୍ୟ । ଏହାର ପୁନରୁଦ୍ଧାର ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି ବୋଲି ଏମ୍ଏସ୍ଏମ୍ଇ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ କହିଛନ୍ତି ।
କଳିଙ୍ଗ ଷ୍ଟୁଡିଓ ଅବ୍ୟବହୃତ ଜମିରେ ସ୍ପୋର୍ଟସ୍ କମ୍ପେ୍ଲକ୍ସ ନିର୍ମାଣ କରିବାକୁ ପାଇଁ କ୍ରୀଡ଼ା ସଚିବ ପ୍ରସ୍ତାବ ଦେବାକୁ ନେଇ ବିବାଦ ଲାଗି ରହିଥିବାବେଳେ ଆଜି ମନ୍ତ୍ରୀ ଶ୍ରୀ ସାମଲ ସାମ୍ବାଦିକମାନଙ୍କୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ କଳିଙ୍ଗ ଷ୍ଟୁଡ଼ିଓର ବିକାଶ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ । ଏହାର ଜମି କାହାରିକୁ ଦିଆଯିବାର ପ୍ରଶ୍ନ ଉଠୁନି । କଳିଙ୍ଗ ଷ୍ଟୁଡ଼ିଓ ହେଉଛି ଓଡ଼ିଶା ଫିଲ୍ମ ଡେଭଲପମେଣ୍ଟ କର୍ପୋରେସନ୍ର ମୁଖ୍ୟ କାର୍ଯ୍ୟସ୍ଥଳୀ । ରାଜ୍ୟ ସରକାର ଏହି ଷ୍ଟୁଡ଼ିଓର ପୁନରୁଦ୍ଧାର ପାଇଁ ୨ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ସେଠାରେ ଗୋଟିଏ ଭିଲେଜ୍ ମଡେଲ୍ ବିକଶିତ କରାଯାଉଛି । ଇଡ୍କୋକୁ ଏହାର ପୁନରୁଦ୍ଧାର ଦାୟିତ୍ୱ ଦିଆଯାଇଛି । ତେଣୁ କାହାରି କାନକୁହା କଥାରେ ବିଶ୍ୱାସ କରିବା ଅନୁଚିତ୍ । ମୁଖ୍ୟମନ୍ତ୍ରୀ କ’ଣ ଏହି ଜମି ହସ୍ତାନ୍ତର ପ୍ରସଙ୍ଗରେ କିଛି କହିଛନ୍ତି କି ତାହା ଦେଖିବା କଥା । ବିଭିନ୍ନ ବିଭାଗ କ’ଣ ଚିଠି ଲେଖୁଛନ୍ତି ତା’ଉପରେ ଗୁରୁତ୍ୱ ଦେବା ଅନାବଶ୍ୟକ । ବରଂ ଏହି ଐତିହ୍ୟସମ୍ପନ୍ନ କଳିଙ୍ଗ ଷ୍ଟୁଡ଼ିଓର ପୁନରୁଦ୍ଧାର କରାଯାଇ ତାକୁ ଆରକେ ଷ୍ଟୁଡ଼ିଓ, ଜେମିନି ଷ୍ଟୁଡ଼ିଓ ଆଦି ଭଳି କରାଯିବ । ଯାହାଫଳରେ ରାଜ୍ୟ ବାହାରୁ ଫିଲ୍ମ ନିର୍ମାତାମାନେ ଏଠାକୁ ଫିଲ୍ମ ସୁଟିଂ ପାଇଁ ଆସିପାରିବେ ବୋଲି ଶ୍ରୀ ସାମଲ କହିଛନ୍ତି । ରାଜ୍ୟରେ କ୍ରୀଡ଼ା ଓ ଖେଳର ବିକାଶ ହେବା ଉଚିତ୍ କିନ୍ତୁ ତା’ ଅର୍ଥ ନୁହେଁ ଯେ ଅନ୍ୟ ସଂସ୍ଥାକୁ ବନ୍ଦ କରିଦିଆଯିବ । କ୍ରୀଡ଼ାର ବିକାଶ ପାଇଁ ଅନେକ ଷ୍ଟାଡ଼ିୟମ ରହିଛି । ଅନେକ ଷ୍ଟାଡ଼ିୟମ ମଧ୍ୟ ନିର୍ମାଣ କରାଯାଇପାରିବ । କିନ୍ତୁ ରାଜ୍ୟ ସରକାର କଳିଙ୍ଗ ଷ୍ଟୁଡ଼ିଓର ଜମିକୁ ଏଥିପାଇଁ ହସ୍ତାନ୍ତର କରିବାକୁ କଦାପି ଚିନ୍ତା କରିନାହାନ୍ତି ବୋଲି ମନ୍ତ୍ରୀ ଶ୍ରୀ ସାମଲ ସ୍ପଷ୍ଟ କରିଛନ୍ତି । ସୂଚନାଯୋଗ୍ୟ, କଳିଙ୍ଗ ଷ୍ଟାଡ଼ିୟମ ଅବ୍ୟବହୃତ ଜମିକୁ ସ୍ପୋର୍ଟସ କମ୍ପେ୍ଲକ୍ସ ନିର୍ମାଣ କରିବା ପାଇଁ ଦେବା ନିମନ୍ତେ କ୍ରୀଡ଼ା ସଚିବଙ୍କ ଦ୍ୱାରା ସାଧାରଣ ପ୍ରଶାସନ ବିଭାଗକୁ ଅନୁରୋଧ କରାଯାଇଥିଲା । ଯାହାକୁ ନେଇ ସବୁସ୍ତରରୁ ବିରୋଧ ହେବାପରେ କ୍ରୀଡ଼ା ସଚିବ ବିଶାଳ ଦେବ ଗତକାଲି ସ୍ପଷ୍ଟୀକରଣ ଦେଇ ଏହା ପ୍ରାଥମିକସ୍ତରରେ ରହିଛି ବୋଲି କହିଥିଲେ । କିନ୍ତୁ ଏହା ସତ୍ତେ୍ୱ ବିବାଦ ନଥମିବାରୁ ଆଜି ମନ୍ତ୍ରୀ ଶ୍ରୀ ସାମଲ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇଛନ୍ତି ।


