ପୁରୀ: ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଦୀର୍ଘ ଦୁଇ ବର୍ଷ ଦୁଇ ମାସ ପରେ ଆଜିଠୁ ଜଗମୋହନ ଖୋଲିଛି। ତେବେ ଏହା ପୂର୍ବରୁ ଗର୍ଭଗୃହ ପ୍ରବେଶ ଉପରେ ସେବାୟତଙ୍କ କଟକଣାକଣାକୁ ନେଇ ଅସନ୍ତୋଷ ସୃଷ୍ଟି ହୋଇଥିଲା। ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ବିଶ୍ୱ ପ୍ରସିଦ୍ଧ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଭିତରେ ଥିବା ଜଗମୋହନ ଖୋଲିଥିବା ବେଳେ ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦ ବାହାରିପାରି ନାହିଁ। ଶ୍ରୀମନ୍ଦିର ନୀତିରେ ବିଳମ୍ବ ହୋଇଥିବାରୁ ମହାପ୍ରସାଦ ବାହାରି ପାରୁ ନାହିଁ। ଏହାରି ବିରୋଧରେ ସୁଆର ମହାସୁଆର ନିଯୋଗ ସିଂହଦ୍ୱାର ସମ୍ମୁଖରେ ଧାରଣା ଦେଇଛନ୍ତି। ରାତି ୧୧ଟ। ହୋଇଥିଲେ ମଧ୍ୟ ମହାପ୍ରସାଦ ବାହାରି ନଥିବାରୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମନରେ ଅଶାନ୍ତି ବଢ଼ିଚି।
ଜଗମୋହନ ଖୋଲିବା ପରେ ଭିତର କାଠରୁ ସୋମବାର ଭକ୍ତ ଓ ଶ୍ରଦ୍ଧାଳୁମାନେ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଛନ୍ତି। ପୂର୍ବରୁ ନିର୍ଦ୍ଧାରିତ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଜଗମୋହନ ଖୋଲିଛି। ଭିତର କାଠ ଖୋଲିବା ସମୟରେ ହାଇକୋର୍ଟଙ୍କ ୩ ଜଣିଆ ଟିମ୍ ଓ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଖୋଲାଯାଇଛି।
ଜଗମୋହନ ଖୋଲିବା ଓ ଦର୍ଶନକୁ ନେଇ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟବସ୍ଥାବଳୀ ପସ୍ତୁତ କରାଯାଇଥିଲା। କେଉଁ କେଉଁ ସମୟରେ ଜଗମୋହନରୁ ଦର୍ଶନ ବନ୍ଦ ରହିବ ସେ ନେଇ ବ୍ୟବସ୍ଥା କରାଯାଇଥିଲା। ଜଗମୋହନ ଖୋଲିବା ସମୟରେ ପୁରୀ ଏସ୍ପିଙ୍କ ସମେତ ପୁଲିସ ବିଭାଗର ଉଚ୍ଚପଦାଧିକାରୀ, ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଉପସ୍ଥିତ ଥିଲେ।
ଜଣେ ପାଳିଆ ସେବାୟତ ଅଶୌଚ ଥିବାରୁ ତାଙ୍କ ସ୍ଥାନରେ କିଏ ନୀତି ସଂପାଦନ କରିବେ ସେନେଇ ବିବାଦ ଉପୁଜିଥିଲା। ଫଳରେ ଶ୍ରୀଜିଉଙ୍କ ବିଭିନ୍ନ ନୀତିରେ ବିଳମ୍ବ ହୋଇଥିଲା । ପରେ ଜିଲ୍ଲାପାଳ ଓ ଏସ୍ପିଙ୍କ ହସ୍ତକ୍ଷେପ ପରେ ଦିନ ୧୧ଟା ଭିତରେ ସଂପନ୍ନ ହେବାକୁ ଥିବା ସକାଳ ଭୋଗ ଅପରାହ୍ନ ପ୍ରାୟ ସାଢ଼େ ୪ଟାରେ ସରିଥିଲା । ଏହା ପରେ ଭକ୍ତଙ୍କୁ ଭିତରକାଠରୁ ଦର୍ଶନର ସୁଯୋଗ ମିଳିଥିଲା । ହେଲେ ଏହା ପରେ ମଧ୍ୟ ଅନ୍ୟ ନୀତିକାନ୍ତି ବିଳମ୍ବ ହୋଇଚାଲିବାରୁ ଏପର୍ଯ୍ୟନ୍ତ ଭୋଗମଣ୍ଡପ ନୀତି ହୋଇ ପାରି ନାହିଁ। ଫଳରେ ରୋଷ ଘରେ ଲକ୍ଷ ଲକ୍ଷ ଟଙ୍କାର ଅମୁଣିଆଁ ମହାପ୍ରସାଦ ହୋଇ ନପାରି ନଷ୍ଟ ହୋଇଯାଇଥିବା କୁହାଯାଉଛି।
ଦର୍ଶନାର୍ଥୀମାନେ ଜୟ ବିଜୟ ଦ୍ୱାର ଦେଇ ଜଗମୋହନ ଭିତର କାଠ ନିକଟରୁ ଦର୍ଶନ କରି ବେହେରଣ ଦ୍ୱାର ଦେଇ ପ୍ରସ୍ଥାନ କରୁଛନ୍ତି। ସରକାରୀ ପୁଲିସ ଓ ଜେଟିପି ଜଗମୋହନରେ ଉପସ୍ଥିତ ରହି ଦର୍ଶନରେ ଶୃଙ୍ଖଳା ରକ୍ଷା କରିବେ। ସେବକ ଓ କର୍ମଚାରୀଙ୍କ ବ୍ୟତୀତ କୌଣସି ବ୍ୟକ୍ତି ବେହେରଣ ଦ୍ୱାର ଦେଇ ଭିତରକୁ ଆସିପାରିବେ ନାହିଁ। ଭକ୍ତ ସୁରକ୍ଷାକୁ ଦୃଷ୍ଟିରେ ରଖି ଜଗମୋହନରେ ଏଥର ନଡ଼ିଆବାଡ଼ିଆକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି।


