ଭୁବନେଶ୍ୱର(ଓଡ଼ିଶା ୱେୟାର): କାଁ ଭାଁ ଗଣ୍ଡଗୋଳ ମଧ୍ୟରେ ଆଜି ତୃତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । ରାଜ୍ୟର ୬ଟି ଲୋକସଭା ଓ ୪୨ ବିଧାନସଭା ଆସନରେ ଆଜି ହୋଇଥିବା ଭୋଟଗ୍ରହଣରେ ମତଦାନ ହାର ସନ୍ଧ୍ୟା ୬ଟା ସୁଦ୍ଧା ପ୍ରାୟ ୬୧% ରହିଛି । ଏହି ମତଦାନ ହାର ଅଧିକ ବୃଦ୍ଧି ପାଇବାର ସମ୍ଭାବନା ରହିଛି ।
ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, ସନ୍ଧ୍ୟା ସାଢ଼େ ୫ଟା ସୁଦ୍ଧା ଢେଙ୍କାନାଳ ଲୋକସଭା ଆସନରେ ମତଦାନ ହାର ସର୍ବାଧିକ ୬୨.୮୦% ହୋଇଥିବାବେଳେ କେନ୍ଦୁଝରରେ ୬୧.୪୭%, କଟକରେ ୫୩.୧୮%, ପୁରୀରେ ୫୮.୧୧ ପ୍ରତିଶତ, ସମ୍ବଲପୁରରେ ୫୨.୯୪% ଓ ଭୁବନେଶ୍ୱରରେ ୫୦.୪୬% ରେକର୍ଡ କରାଯାଇଛି । ସେହିପରି ଭୁବନେଶ୍ୱରର ୩ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ଭୋଟ ହାର ୪୧ % ମଧ୍ୟରେ ସୀମିତ ଥିବାବେଳେ ୨୦୧୪ ସାଧାରଣ ନିର୍ବାଚନରେ ଏହି ହାର ୪୩.୧୩ ପ୍ରତିଶତ ରେକର୍ଡ କରାଯାଇଥିଲା । ତେବେ ଆସନ୍ତାକାଲି ଚୂଡ଼ାନ୍ତ ମତଦାନ ହାରରେ ବୃଦ୍ଧି ଘଟିବାର ସମ୍ଭାବନା ରହିଛି ।
ସୂଚନା ଅନୁସାରେ ଆଜି ପୁରୀ ଲୋକସଭା ଆସନରେ କେତେକ ସ୍ଥାନରେ ଇଭିଏମ୍ ଭାଙ୍ଗି ଦିଆଯାଇଥିବାର ଅଭିଯୋଗ ମିଳିଥିବାବେଳେ ଭୁବନେଶ୍ୱରର ଆଇଗଣିଆ ଅଞ୍ଚଳରେ ଇଭିଏମରେ ତ୍ରୁଟି ଯୋଗୁ ଲୋକଙ୍କୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡ଼ିଥିଲା ।
ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ଆଜି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଭିଭିପ୍ୟାଟରେ ତ୍ରୁଟି ଯୋଗୁ ବଡ଼ମ୍ବା ବିଧାନସଭା ନିର୍ବାଚନମଣ୍ଡଳୀର ୧୯୬ ନମ୍ବର ବୁଥ୍ ଏବଂ ଦେବଗଡ଼ର ୧୮୩ ନମ୍ବର ବୁଥରେ ମତଦାନ ସ୍ଥଗିତ ରଖାଯାଇଛି । ଘସିପୁରାର କେତେକ ବୁଥରେ ରିଗିଂ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି ସିଇଓ ଶ୍ରୀ କୁମାର କହିଛନ୍ତି ଯେ ଏ ସମ୍ପର୍କରେ ଜାତୀୟ ନିର୍ବାଚନ କମିଶନଙ୍କ ଦ୍ୱାରା ନିଯୁକ୍ତ ପର୍ଯ୍ୟବେକ୍ଷକ ଆବଶ୍ୟକ ନିଷ୍ପତ୍ତି ନେବେ । ସନ୍ଧ୍ୟା ସାଢ଼େ ୫ଟା ସୁଦ୍ଧା ରାଜ୍ୟରେ ତୃତୀୟ ପର୍ଯ୍ୟାୟରେ ମତଦାନ ହାର ୬୧ ପ୍ରତିଶତ ରହିଛି । ରାଜ୍ୟର ସମସ୍ତ ୩ଟି ପର୍ଯ୍ୟାୟରେ ମତଦାନ ହାରକୁ ମିଶାଇଲେ ଏହା ପ୍ରାୟ ୬୮-୬୯ ପ୍ରତିଶତ ହେବ ।
ତେବେ ଆସନ୍ତାକାଲି ସୁଦ୍ଧା ତୃତୀୟ ପର୍ଯ୍ୟାୟର ଚୂଡ଼ାନ୍ତ ମତଦାନ ହାର ସ୍ପଷ୍ଟ ହେବ ।


