ନୂଆଦିଲ୍ଲୀ : ସିବିଏସଇ ପରିଚାଳିତ ଦଶମ ଶ୍ରେଣୀର ଗଣିତ ଓ ଦ୍ୱାଦଶ ଶ୍ରେଣୀର ଅର୍ଥନୀତି ବିଷୟରେ ପୁଣି ପରୀକ୍ଷା ହେବ । ଏନେଇ ଆଜି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ପରୀକ୍ଷା କେବେ ହେବ ସେ ସଂକ୍ରାନ୍ତରେ ବୋର୍ଡ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ । କିନ୍ତୁ ଗୋଟିଏ ସପ୍ତାହ ମଧ୍ୟରେ ପରୀକ୍ଷା ସମ୍ପର୍କରେ ବିସ୍ତୃତ ସୂଚନା ଦିଆଯିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି । ଚଳିତ ବର୍ଷ ଦଶମ ଶ୍ରେଣୀର ଗଣିତ ବିଷୟ ଓ ଦ୍ୱାଦଶ ଶ୍ରେଣୀର ଅର୍ଥନୀତି ବିଷୟର ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହୋଇଥିବା ଅଭିଯୋଗ ହୋଇଥିଲା । ପରୀକ୍ଷାର ୩୦ ମିନିଟ୍ ପୂର୍ବରୁ ହ୍ୱାଟ୍ସଆପ୍ରେ ପ୍ରଶ୍ନପତ୍ର ଲିକ୍ ହୋଇଥିଲା । ଏହାକୁ ଦୃଷ୍ଟିରେ ରଖି ସିବିଏସ୍ଇ ନିଜ ପକ୍ଷରୁ ମାମଲାକୁ ଗୁରୁତ୍ୱର ସହ ନେଇ ପୁନଃ ପରୀକ୍ଷା କରାଇବାକୁ ନିଷ୍ପତ୍ତି ନେଇଛି । ଏହି ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ସେ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କ ସହ ଘଟଣା ସମ୍ପର୍କରେ ଆଲୋଚନା କରିବା ସହ ପ୍ରଶ୍ନପତ୍ର ଲିକ୍ କରିଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭଡେକର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଆମେ ଖୁବଶୀଘ୍ର ଅଭିଯୁକ୍ତଙ୍କୁ ଚିହ୍ନଟ କରି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ । ଏଥିସହ ଭବିଷ୍ୟତରେ ପ୍ରଶ୍ନପତ୍ର ବିଭ୍ରାଟ୍କୁ ରୋକିବା ପାଇଁ ବିହିତ ପଦକ୍ଷେପ ନିଆଯିବ । ଏବେ ପୁନଃ ପରୀକ୍ଷା ସମଗ୍ର ଦେଶରେ ହେବ ।


