ଭୁବନେଶ୍ୱର : “ଦେଶର ମାନବ ସମ୍ବଳ ଓ ପ୍ରାକୃତିକ ସମ୍ପଦ ଏବେ ବିପଦରେ ତଥା ବିପର୍ଯ୍ୟସ୍ତ ମଧ୍ୟ ଦେଇ ଗତି କରୁଛି । ଦେଶରେ ସଂଖ୍ୟାଲଘୁ ଓ ଦଳିତଙ୍କ ଉପରେ ଅତ୍ୟାଚାର ବଢ଼ିଚାଲିଛି । ଗତ ୪ବର୍ଷ ଧରି କେନ୍ଦ୍ରରେ କ୍ଷମତାସୀନ ସରକାରର ସୁବିଧାବାଦୀ ରାଜନୀତି କରୁଛି । ଦେଶବାସୀଙ୍କୁ ପ୍ରତାରଣା ଦେଇ ନାଗରିକଙ୍କୁ ଜନ୍ମଗତ ଅଧିକାରରୁ ବଞ୍ôଚତ କରୁଛି ।” ଆଜି ଏଭଳି କିଛି କଡ଼ା ଭାଷାରେ ବରିଷ୍ଠ ସିପିଏମ୍ ନେତା ତଥା ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ମାନିକ୍ ସର୍କାର କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ସରକାର ଉପରେ ବର୍ଷିଛନ୍ତି ।
ଜୟଦେବ ଭବନରେ ଆଜି ରାଜକିଶୋର ନାୟକ ଜାତୀୟ ଫାଉଣ୍ଡେସନ୍ ପକ୍ଷରୁ ଆୟୋଜିତ ପାଟକୁରା ଗାନ୍ଧି ରାଜକିଶୋର ନାୟକଙ୍କ ପତ୍ନୀ ନିର୍ମଳପ୍ରଭା ନାୟକଙ୍କ ଦ୍ୱାରା ରଚିତ ପୁସ୍ତକ ‘ସାୟାହ୍ନର ସ୍ମୃତି’ ପୁସ୍ତକକୁ ଉନ୍ମୋଚନ କରିବା ଅବସରରେ ବକ୍ତୃତାମାଳା ‘ରାଜନୀତିରେ ମୂଲ୍ୟବୋଧ’ ଶୀର୍ଷକ ପ୍ରସଙ୍ଗରେ ମତ ରଖି ଶ୍ରୀ ସର୍କାର ଏଭଳି ମତ ପୋଷଣ କରିଛନ୍ତି । ଶ୍ରୀ ସର୍କାର କହିଛନ୍ତି ଯେ, ମନୁଷ୍ୟର ଦେଶର ସାମାଜିକ, ଅର୍ଥନୀତିକ ଓ ପାରିବାରିକ ଜୀବନ ଏବେ ଅସ୍ୱାଭାବିକ ପରିସ୍ଥିତି ଦେଇ ଗତି କରୁଛି । ଦେଶରେ ପ୍ରାକୃତିକ ସମ୍ପଦର ଅଭାବ ନାହିଁ । ଦେଶରେ ୨୨ରୁ ୨୫କୋଟି ମାନବସମ୍ବଳ ହେଉଛି ଯୁବ ବର୍ଗ । ଦେଶର ୫୫ ପ୍ରତିଶତ ଯୁବଶକ୍ତି ସମୃଦ୍ଧ । ସେମାନଙ୍କୁ କର୍ମସଂସ୍ଥାନ ମିଳୁନି । ବର୍ଷକୁ ୨କୋଟି ନିଯୁକ୍ତି ଦେବାକୁ କହିଥିବା କେନ୍ଦ୍ର ସରକାର ୪ବର୍ଷ ମଧ୍ୟରେ ୨ଲକ୍ଷ ନିଯୁକ୍ତି ଯୋଗାଇପାରିନାହିଁ । ସ୍ୱାଧୀନତାର ୭୧ବର୍ଷ ପରେ ବି ଦେଶର ୭୦ ପ୍ରତିଶତ ଲୋକ ଦିନକୁ ୨୫ଟଙ୍କା ଖର୍ଚ୍ଚ କରିବାକୁ ସକ୍ଷମ ହୋଇପାରିନାହାନ୍ତି । ୭୦ରୁ ୭୨ଭାଗ ଲୋକ ଗ୍ରାମାଞ୍ଚଳରେ ବାସ କରୁଛନ୍ତି । ସେମାନଙ୍କ ପାଖରେ ଭଲ ରାସ୍ତା, ପାନୀୟ ଜଳ, ବିଦ୍ୟୁତ୍, ବିଦ୍ୟାଳୟ, ସ୍ୱାସ୍ଥ୍ୟସେବା, ବଜାର, ଫସଲ ଉତ୍ପାଦନ କରିବାର ସାଧନ ପହଞ୍ôଚ ପାରୁନି । ପ୍ରାକୃତିକ ବିପର୍ଯ୍ୟୟରେ ଚାଷୀର ଫସଲ ପ୍ରତିବର୍ଷ ନଷ୍ଟ ହେଉଛି । ତାକୁ ସୁରକ୍ଷିତ ରଖିବା ଦିଗରେ ସରକାର ପଦକ୍ଷେପ ନେଇପାରୁନି । ଏବେ ବି ଦେଶରେ ୩୫ରୁ ୪୦କୋଟି ଲୋକ ନିରକ୍ଷର ହୋଇ ରହିଛନ୍ତି । ୫୦ ପ୍ରତିଶତରୁ ଅଧିକ ଶିଶୁ କମ୍ ଓଜନିଆ ଓ ଅପପୁଷ୍ଟିର ଶିକାର । ୫୫ ପ୍ରତିଶତ ମା’ ଓ ଭଉଣୀ ରକ୍ତହୀନତାରେ ପୀଡ଼ିତ । ଯାହାକି ପୃଥିବୀରେ ଭାରତ ପାଇଁ ଲଜ୍ୟା । ଅନାହାର, ଦୁର୍ନୀତି, ଆତ୍ମହତ୍ୟା, ଧର୍ମ ନାଁରେ ଅସହିଷ୍ଣୁତା ଦେଶରେ ବଢ଼ିଚାଲିଛି । କେନ୍ଦ୍ରରେ କ୍ଷମତାସୀନ ହେବା ପୂର୍ବରୁ ରାଜନୀତିକ ଦଳ ଯେଉଁ ପ୍ରତିଶ୍ରୁତି ଦେଇଥିଲା ତାକୁ ଏବେ ଭୁଲି ଗଲାଣି । କ୍ଷମତାକୁ ଆସିବା ପୂର୍ବରୁ ଗୋଟିଏ କଥା, କ୍ଷମତାକୁ ଆସିବା ପରେ ଗୋଟିଏ କଥା । ଏହା କ’ଣ ରାଜନୀତିରେ ନୀତିଆଦର୍ଶ । ଲୋକଙ୍କୁ ଠକିବା, ପ୍ରତାରଣା କରିବା ଓ ପ୍ରବଞ୍ଚକ ସାଜି ସେମାନଙ୍କୁ ଲୁଟ୍ କରିବା କେଉଁ ନୀତି ଆଦର୍ଶ ବୋଲି ସେ ପ୍ରଶ୍ନ କରିଛନ୍ତି । ସଂସଦୀୟ ଗଣତନ୍ତ୍ର ବ୍ୟବସ୍ଥା ଏବେ ଦୋହଲି ଗଲାଣି । କ୍ଷମତାକୁ ଆସିବା ପାଇଁ ବିଜେପି ଏବେ ଅସାଧୁ ଶକ୍ତି ସହ ହାତ ମିଳାଇବାକୁ ପଛାଉନାହିଁ । ବିପୁଳ ପରିମାଣର ଅର୍ଥ ବ୍ୟୟ କରୁଛି । ତ୍ରିପୁରାରେ ତାଙ୍କ ଦଳର ପରାଜୟ ପଛରେ ବିଜେପି ପକ୍ଷରୁ ଦେଶବିରୋଧୀ ଶକ୍ତି ସହ ହାତମିଳାଇବା ଓ ବିପୁଳ ଅର୍ଥ ବ୍ୟୟ ହିଁ ପ୍ରକୃତ କାରଣ ବୋଲି ସେ କହିଛନ୍ତି । ନିର୍ବାଚନ ଇସ୍ତାହାରରେ ଯାହା କହି କ୍ଷମତାକୁ ଆସିଥିଲା ତାକୁ ଏବେ ବିଜେପି ଭୁଲିଗଲାଣି । ରାଜନୀତିକ ଉତ୍ତରଦାୟିତ୍ୱର ଅଭାବ ଓ ସଂକୀର୍ଣ୍ଣ ମୂଲ୍ୟବୋଧ ଏବେ ଦେଶକୁ ତଳିତଳାନ୍ତ କରିବାରେ ଲାଗିଛି । ସ୍ୱାଧୀନତାର ୭୧ବର୍ଷ ପରେ ମଧ୍ୟ ରାଜନୀତିକ ଦଳଗୁଡ଼ିକ ନୀତିଆଦର୍ଶହରା ହୋଇ ନିଜର ପ୍ରତିଶ୍ରୁତି ପାଳନ କରୁନଥିବାରୁ ଦେଶର ବିକାଶ ସମ୍ଭବପର ହୋଇପାରୁନି । କେନ୍ଦ୍ର ସରକାର ୧୦୦ଟଙ୍କା ଟିକସରୁ ୪୨ଟଙ୍କାକୁ ରାଜ୍ୟକୁ ଦେଇ ବାକି ଟଙ୍କାକୁ ନିଜର ରାଜନୀତିକ ଉଦ୍ଦେଶ୍ୟ ରଖି ବ୍ୟୟ କରୁଛି । ରାଜ୍ୟଗୁଡ଼ିକ ମଧ୍ୟରେ କେନ୍ଦ୍ରୀୟ ଯୋଜନାର ଅର୍ଥର ସୁବିନିଯୋଗ ହୋଇପାରୁନି । ଯାହାଫଳରେ ସ୍ୱାଧୀନତା ପରେ ଦେଶକୁ ବିକାଶ ପଥରେ ଆଗେଇ ନେବା ପାଇଁ ଯେଉଁ ସ୍ୱପ୍ନ ବା ଲକ୍ଷ୍ୟ ରହିଥିଲା ତାହା ପୂରଣ ହୋଇପାରିନି । ଶାସନ ଦାୟିତ୍ୱରେ ଥିବା କେନ୍ଦ୍ର ସରକାର ଏବେ ସୀମାବଦ୍ଧ,ସଂକୀର୍ଣ୍ଣ ଓ ମହାଜନଙ୍କ କବ୍ଜାରେ ରହିଛି । ବିଜେପି ସରକାର କ୍ଷମତାକୁ ଆସିବା ପରେ ମୁଦ୍ରାର ମୂଲ୍ୟ ସବୁଠୁ କମ୍ ରହିଛି । ମୁଦ୍ରାସ୍ପୀତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି । ଦରଦାମ ଦୈନିକ ବଢ଼ୁଛି । ସାଧାରଣ ଲୋକ ଅସ୍ତବ୍ୟସ୍ତ ହୋଇଛି । ବିମୁଦ୍ରାକରଣର ପ୍ରଭାବ ସାଧାରଣ ଲୋକଙ୍କ ଉପରେ ପଡ଼ିଛି । ଦେଶର ପ୍ରତ୍ୟେକ ପରିବାରକୁ ୧୫ଲକ୍ଷ ଟଙ୍କାର କଳାଟଙ୍କା ଫେରସ୍ତ ପାଇଁ ପ୍ରତିଶ୍ରୁତି ଦେଇଥିବା ବିଜେପିର ପ୍ରୋତ୍ସାହନରେ କିଛି ଖଳପ୍ରକୃତି ଲୋକ ଏବେ ଦେଶକୁ ଲୁଟି ବିଦେଶକୁ ଫେରାର ହେଉଛନ୍ତି । କଳାଟଙ୍କାର ତାଲିକା ମଧ୍ୟ ସାର୍ବଜନୀନ କରିବାରେ ଏ ସରକାର ସକ୍ଷମ ହୋଇନି ବୋଲି ଶ୍ରୀ ସର୍କାର କହିଛନ୍ତି ।
ପଦ୍ମଶ୍ରୀ ଭବାନୀ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପୁସ୍ତକ ସମାରୋହ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ପଦ୍ମବିଭୂଷଣ ସୀତାକାନ୍ତ ମହାପାତ୍ର, ଡଃ ଗୌରହରି ଦାସ ପ୍ରମୁଖ ଯୋଗ ଦେଇ ନିଜର ମତ ରଖିଥିଲେ । ଡଃ ଦାସ ପୁସ୍ତକ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିବାବେଳେ ବିଧାୟକ ଅତନୁ ସବ୍ୟସାଚୀ ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।


