ପାରାଦୀପ : ବିଜେଡିର ମହାନଦୀ ସୁରକ୍ଷା ଯାତ୍ରାକୁ ସମାଲୋଚନା କରୁଥିବା ବରିଷ୍ଠ ବିଜେଡି ନେତା ତଥା ପାରାଦୀପ ବିଧାୟକ ଡାକ୍ତର ଦାମୋଦର ରାଉତଙ୍କ ଦମ୍ଭ ଭାଙ୍ଗିଛି । ଏବେ ସେ ଦଳ ପକ୍ଷରୁ ୧୬ତାରିଖରୁ ଆରମ୍ଭ ହୋଇଥିବା ମହାନଦୀ ଜନଜାଗରଣ ଯାତ୍ରାର 25ତାରିଖରେ ସମାପନ ଉତ୍ସବକୁ ଭବ୍ୟ ଓ ଆଖିଦୃଶିଆ କରିବା ପାଇଁ ଲାଗିପଡ଼ିଛନ୍ତି । ଦାମଙ୍କ ଏଭଳି ଅଚାନକ ୟୁ-ଟର୍ଣ୍ଣକୁ ନେଇ ଏବେ ଚର୍ଚ୍ଚା ।
ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ମହାନଦୀ ଜନଜାଗରଣ ଯାତ୍ରାର ସମାପନ ଉତ୍ସବ ପାଇଁ ଡାକ୍ତର ରାଉତ ଇତିମଧ୍ୟରେ ପାରାଦୀପରେ ଏକ ପ୍ରସ୍ତୁତି ବୈଠକ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସମାପନ ଉତ୍ସବରେ ସାମିଲ ହେଉଥିବାରୁ ଏହାକୁ ସଫଳ କରିବା ନିମନ୍ତେ ସେ ଦଳର ସବୁବର୍ଗର କର୍ମୀ ଓ ନେତାଙ୍କ ସହଯୋଗ ଲୋଡ଼ିଛନ୍ତି । ତେବେ ପ୍ରଶ୍ନ ଉଠୁଛି ବିଜେଡିର ଏହି ମହାନଦୀ ଆନ୍ଦୋଳନକୁ କିଛିଦିନ ପୂର୍ବରୁ ତାତ୍ସଲ୍ୟ କରିଥିବା ଡାକ୍ତର ରାଉତ ଅଚାନକ କିଭଳି ବଦଳିଗଲେ । ମହାନଦୀ ପ୍ରସଙ୍ଗରେ ତାଙ୍କୁ ବିଧାନସଭାରେ କହିବାର ସୁଯୋଗ ମିଳିଲା ନାହିଁ କି ମହାନଦୀ ପାଇଁ ଦଳର ବୈଠକକୁ ଡକାଗଲାନି ବୋଲି କ୍ଷୁବ୍ଧ ଥିବା ଡାକ୍ତର ରାଉତ କାହା ଚାପରେ ଏଭଳି ୟୁ-ଟର୍ଣ୍ଣ ନେଲେ । ଡାକ୍ତର ରାଉତଙ୍କ ନିକଟତମ ସୂତ୍ର ଅନୁସାରେ ତୃତୀୟ ମହଲାରୁ ଫୋନ୍ ପାଇବା ପରେ ସେ ଏହି ଉଦ୍ୟାପନ ଉତ୍ସବକୁ ସଫଳ କରାଇ ପୁଣିଥରେ ମୁଖ୍ୟମନ୍ତ୍ରୀଙ୍କ ସୁନଜରକୁ ଆସିବାକୁ ଉଦ୍ୟମ କରିଛନ୍ତି । ଏପଟେ ଦାମଙ୍କ ଅନୁପସ୍ଥିତିରେ ମୁଖ୍ୟମନ୍ତ୍ରୀ ପାରାଦୀପରେ ମହାନଦୀ ସଭା କଲେ ଭୁଲ୍ ସନ୍ଦେଶ ଯିବ । ସେଥିପାଇଁ ଦାମଙ୍କ ପୁଅ ସମ୍ଭିତଙ୍କ କାନ୍ଧରେ ବନ୍ଧୁକ ରଖି ଦଳର କିଛି ଯୁବନେତା ଏବେ କୁଆଡ଼େ ଦାମଙ୍କୁ ମହାନଦୀ ଲଢ଼େଇରେ ସାମିଲ କରାଇବାରେ ସକ୍ଷମ ହୋଇଛନ୍ତି । ତେବେ ଦେଖିବାର କଥା ହେଲା, ଡାକ୍ତର ରାଉତ ମୁଖ୍ୟମନ୍ତ୍ରୀଙ୍କ ସେହି ସଭାରେ ମନ୍ତ୍ରୀ ପଦରୁ ବିଦା ହେବା ପରେ ନିଜ ମନ ଭିତରେ ରହିଥିବା କ୍ଷୋଭକୁ ପ୍ରକଟ କରୁଛନ୍ତି ନା ଚାପରେ ଚେପା ହୋଇ ନିରବ ରହୁଛନ୍ତି?


