ଭୁବନେଶ୍ୱର(ଓଡ଼ିଶା ୱେୟାର): ଆଜି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ମତଦାନ । ରାଜ୍ୟର ଛଅଟି ଲୋକସଭା ନିର୍ବାଚନ ମଣ୍ଡଳୀ ଓ ୪୨ ଟି ବିଧାନସଭା ଆସନରେ ଭୋଟ ଗ୍ରହଣ ଚାଲିଛି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରର ଏରୋଡ୍ରମ କଲୋନି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୧୧୨ ନମ୍ବର ବୁଥ୍ରେ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି | କିନ୍ତୁ କେତେକ ଜାଗାରେ ଇଭିଏମରେ ତୃଟିଥିବା ପରିଲକ୍ଷିତ ହୋଇଛି | ସେହି ଜାଗାମାନଙ୍କରେ ଡେରିରେ ଭୋଟ ଗ୍ରହଣ ହୋଇଥିବା ଜଣାପଡିଛି|
ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ତାଙ୍କ ପତ୍ନୀ ତାଳଚେର ଦେଉଳବେଡ଼ା ତେଲିସାହି ପ୍ରାଥମିକ ବିଦ୍ୟାଳୟରେ ନିଜ ମତଦାନ ସାବ୍ୟସ୍ତ କରିଛନ୍ତି|ରାଜ୍ୟସଭା ସାଂସଦ ତଥା କଟକ ଲୋକସଭା ଅନ୍ତର୍ଗତ ଖଣ୍ଡପଡ଼ା ବିଧାନସଭା ଆସନର ବିଜେଡି ପ୍ରାର୍ଥୀ ସୌମ୍ୟରଂଜନ ପଟ୍ଟନାୟକ ଆଜି ସକାଳେ ଖଣ୍ଡପଡ଼ାର ଗଡ଼ମଲ ପ୍ରାଥମିକ ବିଦ୍ୟାଳୟରେ ବୁଥ୍ ନଂ-୭୭ରେ ନିଜର ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି।
ଭୁବନେଶ୍ୱର ଲୋକସଭା ଆସନର ବିଜେପି ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଭୁବନେଶ୍ୱରର ଆଇଆରସି ଭିଲେଜର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଭୋଟ୍ ନେଇଛନ୍ତି।
କଟକ ଲୋକସଭା ଆସନର ବିଜେପି ପ୍ରାର୍ଥୀ ପ୍ରକାଶ ମିଶ୍ର ଆଜି ସକାଳେ କଟକର ମଣିସାହୁ ଛକସ୍ଥିତ ହାଡିବନ୍ଧୁ ବିଦ୍ୟାପୀଠରେ ନିଜର ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି। ସେହିପରି କଟକ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବିଜେଡି ପ୍ରାର୍ଥୀ ଭର୍ତ୍ତୃହରି ମହତାବ୍ ଚାନ୍ଦିନୀଚୌକ ଉପ୍ରା ବିଦ୍ୟାଳୟରେ ଭୋଟ୍ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ୍ ଓ ତାଙ୍କ ପତ୍ନୀ ଆଇଏଏସ୍ ଅଫିସର ସୁଜାତା ରାଉତ କାର୍ତ୍ତିକେୟନ ଭୋଟ୍ ଦେଇଛନ୍ତି।



