ଭୁବନେଶ୍ୱର : ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲର କୋଲକାତା ବେଞ୍ଚଙ୍କ କଟକଣାକୁ ଅମାନ୍ୟ କରି ମହାନଦୀ ଉପରମୁଣ୍ଡରେ ନୂଆ ପ୍ରକଳ୍ପ ନିର୍ମାଣ କରିବା ଛତିଶଗଡ଼ ସରକାରଙ୍କୁ ମହଙ୍ଗା ପଡ଼ିଛି । ଏନ୍ଜିଟି କଡ଼ା ଆଭିମୁଖ୍ୟ ଗ୍ରହଣ କରି ଛତିଶଗଡ଼ ସରକାରଙ୍କ ବିରୋଧରେ କାହିଁକି ଫୌଜଦାରୀ ମାମଲା ରୁଜୁ କରାନଯିବ ସେ ନେଇ ୨ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଏନ୍ଜିଟିଙ୍କ ଦିଲ୍ଲୀସ୍ଥିତ ପ୍ରିନ୍ସିପାଲ ବେଞ୍ଚ୍ ବିଚାରପତି ଜଷ୍ଟିସ୍ ଜାୱାଡ୍ ରହିମ୍ ଓ ଏକ୍ସପର୍ଟ ସଦସ୍ୟ ସତ୍ୟୱନ୍ ସିଂ ଗରବା୍ଲ୍ଙ୍କ ଖଣ୍ଡପୀଠ ଆଜି ଓଡ଼ିଶା ସରକାର ଓ ‘ଆଗାମୀ ଓଡ଼ିଶା’ର ଆବେଦନକୁ ବିଚାର ପାଇଁ ଗ୍ରହଣ କରିଛନ୍ତି । ଏନ୍ଜିଟିଙ୍କ ନିର୍ଦ୍ଦେଶକୁ ଅମାନ୍ୟ କରିଥିବା କାରଣରୁ କାହିଁକି ଜୋରିମାନା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବ ତାହା ଜଣାଇବାକୁ ଏନ୍ଜିଟିଙ୍କ ପ୍ରିନ୍ସିପାଲ୍ ବେଞ୍ଚ୍ ଆଜି ଛତିଶଗଡ଼ ସରକାରଙ୍କୁ ନୋଟିସ୍ ଜାରି ୨ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏନ୍ଜିଟି କୋଲକାତା ବେଞ୍ଚ୍ ୨୦୧୭ ସେପ୍ଟେମ୍ବର ୧୦ତାରିଖରେ ଛତିଶଗଡ଼ ସରକାରଙ୍କୁ ମହାନଦୀ ଉପରମୁଣ୍ଡରେ ସମସ୍ତ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ଯାହାକୁ ଛତିଶଗଡ଼ ସରକାର ଉଲ୍ଲଘଂନ କରି ନିର୍ମାଣ କାର୍ଯ୍ୟ ଜାରି ରଖିଥିଲେ ବୋଲି ଓଡ଼ିଶା ସରକାରଙ୍କ ପକ୍ଷରୁ ଆଡ୍ଭୋକେଟ୍ ମୋହନନ କଟାରିଆ ଓ ‘ଆଗାମୀ ଓଡ଼ିଶା’ର ଓକିଲ ରିତ୍ୱିକ୍ ଦତ୍ତ ଯୁକ୍ତି ବାଢ଼ିଥିଲେ । ଛତିଶଗଡ଼ ସରକାରଙ୍କ ପକ୍ଷରୁ ଆଡ୍ଭୋକେଟ୍ ଜେନେରାଲ ଜେ.କେ. ଗିଲ୍ଡା ଯୁକ୍ତି ବାଢ଼ିଥିଲେ । ସୂଚନାଯୋଗ୍ୟ ମହାନଦୀ ବିବାଦକୁ ନେଇ ଏନ୍ଜିଟିରେ ‘ଆଗାମୀ ଓଡ଼ିଶା’ର ମୂଳ ଦରଖାସ୍ତ ଉପରେ ଗତବର୍ଷ ଶୁଣାଣି କରି ଏନ୍ଜିଟି କୋଲକାତା ବେଞ୍ଚ୍ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ମହାନଦୀ ଉପରମୁଣ୍ଡରେ କୌଣସି ନୂଆ ନିର୍ମାଣ କାର୍ଯ୍ୟ ନକରିବା ଓ ନିର୍ମାଣାଧୀନ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ଛତିଶଗଡ଼ ସରକାର ଏହି ନିର୍ଦ୍ଦେଶକୁ କୋଲକାତା ଏନ୍ଜିଟି ଓ କୋଲକାତା ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ମଧ୍ୟ କୌଣସି ସୁଫଳ ପାଇନଥିଲେ । ପ୍ରକଳ୍ପଗୁଡ଼ିକର ନିର୍ମାଣ କାର୍ଯ୍ୟ ଉପରେ ସ୍ଥଗିତାଦେଶ ବଳବତ୍ତର ରହିଥିଲା । ମାତ୍ର ଛତିଶଗଡ଼ ସରକାର କୋର୍ଟର ଏହି ନିର୍ଦ୍ଦେଶକୁ ଅମାନ୍ୟ କରି ମୋହମାଳା ସିରିପୁର ବ୍ୟାରେଜ ନାମକ ଏକ ନୂଆ ପ୍ରକଳ୍ପ ନିର୍ମାଣ ପାଇଁ ଟେଣ୍ଡର ଡାକିଥିଲେ । ଏହା ଏନ୍ଜିଟିଙ୍କ ପ୍ରତି ଛତିଶଗଡ଼ ସରକାରଙ୍କ ଅବମାନନା ବୋଲି ଓଡ଼ିଶା ସରକାରଙ୍କ ପକ୍ଷରୁ ଏନ୍ଜିଟିରେ ଆବେଦନ କରାଯାଇଥିଲା ।


