ଭୁବନେଶ୍ୱର: ବିଜେଡିର ଦ୍ୱିତୀୟ ପର୍ଯ୍ୟାୟ ମହାନଦୀ ମହାସଂଗ୍ରାମ ସଚେତନତା ଅଭିଯାନକୁ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତମାସ ୧୬ତାରିଖରେ ଝାରସୁଗୁଡ଼ାର ଲଖନପୁର ବ୍ଲକସ୍ଥିତ ସୁଖାସୋଡ଼ା ଗାଁରୁ ଆରମ୍ଭ କରିବେ । ଏହା ସହିତ ମହାନଦୀ ପ୍ରବାହିତ ହୋଇଥିବା ୧୫ଟି ଜିଲ୍ଲାରେ ପଥପ୍ରାନ୍ତ ସଭା ମଧ୍ୟ ହେବ । ଏନେଇ ଆଜି ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।
ଦଳୀୟ ମୁଖ୍ୟାଳୟରେ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା, ଅତନୁ ସବ୍ୟସାଚୀ ନାୟକ, କଟକ ଜିଲ୍ଲା ସଭାପତି ତଥା ମନ୍ତ୍ରୀ ପ୍ରତାପ ଜେନା ଓ ରାଜ୍ୟ ସମ୍ପାଦକ ବିଜୟ ନାୟକ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମହାନଦୀ ମହାସଂଗ୍ରାମର ଦ୍ୱିତୀୟ ପର୍ଯ୍ୟାୟ ଅଭିଯାନର ୧୬ ତାରିଖ ସକାଳ ୯ଟାରେ ସୁଖାଶୋଡ଼ା ଠାରେ ଏବଂ ସକାଳ ୧୦ଟା ସମୟରେ ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକର ଚିଖ୍ଲି ଠାରେ ନେତୃତ୍ୱ ନେବେ । ଏହି ଅଭିଯାନ ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ସୁବର୍ଣ୍ଣପୁର, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, ନୟାଗଡ଼, କଟକ, ଖୋର୍ଦ୍ଧା, ଯାଜପୁର, କେନ୍ଦ୍ରାପଡ଼ା, ପୁରୀ, ଜଗତସିଂହପୁର ଜିଲ୍ଲାର ନିର୍ଦ୍ଧାରିତ ରୁଟ୍ଚାର୍ଟରେ ପଥପ୍ରାନ୍ତ ସଭା, ସାଧାରଣ ସଭା, ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନତା କରାଯିବା ସହ ମହାନଦୀ ସମସ୍ୟା ସଂପର୍କିତ ସତ୍ୟ-ତଥ୍ୟ ପୁସ୍ତିକା ଓ ପ୍ରଚାରପତ୍ର ସର୍ବସାଧାରଣରେ ବଣ୍ଟନ କରାଯିବ । ମହାନଦୀ ଅବବାହିକା ନିକଟସ୍ଥ ଅନ୍ୟ ଜିଲ୍ଲା ଓ ବ୍ଲକରେ ମଧ୍ୟ ଜନସଚେତନତା କାର୍ଯ୍ୟକ୍ରମ ହେବ । ଏହାସହ ମହାନଦୀ ଅବବାହିକାର ଉଭୟ ପାଶ୍ୱର୍ରେ ଥିବା ପୂରାତନ ଦେବାଦେବୀ ପୀଠଗୁଡିକରେ ସମୂହ ଦୀପଦାନ କରାଯିବାର କାର୍ଯ୍ୟକ୍ରମ ରହିଛି । ସମ୍ବଲପୁରର ମା’ ସମଲେଶ୍ୱରୀଙ୍କ ପୀଠରେ ଜଳ ଆଳତି ଏବଂ କଟକର ଗଡ଼ଗଡ଼େଶ୍ୱରଙ୍କ ପୀଠରେ ଜଳ ଆଳତି କରାଯିବ । ଓଡ଼ିଶାର ହକ୍ ଓ ମହାନଦୀର ସୁରକ୍ଷା ପାଇଁ ଏହି ଜନଜାଗରଣ ଆନ୍ଦୋଳନର ମହାସଂଗ୍ରାମରେ ରାଜ୍ୟର ଛାତ୍ର, ଯୁବକ, କୃଷକ, ମତ୍ସ୍ୟଜୀବୀ, ମହିଳା, ବୁଦ୍ଧିଜୀବୀ, ସମସ୍ତ ସାମାଜିକ ସଂଗଠନ, ସବୁ ରାଜନୈତିକ ଗୋଷ୍ଠୀ ଏବଂ ସର୍ବୋପରି ଓଡ଼ିଶାର ସମଗ୍ର ଜନସାଧାରଣ ସକ୍ରିୟ ଭାବେ ସାମିଲ ହେବା ପାଇଁ ଦଳ ପକ୍ଷରୁ ନିବେଦନ କରାଯାଇଛି ।


