ନୂଆଦିଲ୍ଳୀ: ଦୀର୍ଘ ୧୪ ଦିନ ହେଲା ରୁଷ-ୟୁକ୍ରେନ୍ ଯୁଦ୍ଧ ଜାରି ରହିଛି। ରୁଷ ସେନା ୟୁକ୍ରେନ ମାଟିରେ ରଚି ଚାଲିଛନ୍ତି ତାଣ୍ଡବଲୀଳା । ଘନ ଘନ ମିସାଲଇ ଏବଂ ଗୁଳିଗୋଳା ବର୍ଷଣରେ ଛାରଖାର ୟୁକ୍ରେନର ଅନେକ ସହର। ୟୁକ୍ରେନ୍କୁ ଦଖଲ କରିବା ପାଇଁ ରୁଷ ମିସାଇଲ୍ ମାଡ କରୁଛି। ତଥାପି ରୁଷ ଆଗରେ ମୁଣ୍ଡ ନୁଆଁଇବାକୁ ପ୍ରସ୍ତୁତ ନୁହେଁ ୟୁକ୍ରେନ। ଏହି ଯୁଦ୍ଧରେ ରୁଷ ସେନା କିଛି ବି ଛାଡୁ ନାହାନ୍ତି । ଏହାରି ଭିତରେ ଜଣେ ଅଭିନେତା ନିଜ ଦେଶ ପାଇଁ ଜୀବନକୁ ହରାଇଛନ୍ତି।
ୟୁକ୍ରେନ୍ର ୩୩ ବର୍ଷୀୟ ଅଭିନେତା ପାଶ ଲି। ଯୁଦ୍ଧ ଆରମ୍ଭ ହେବା ଦିନ ଠାରୁ ସେ ନିଜ ଅଭିନୟ କ୍ୟାରିଅରକୁ ଛାଡି ବନ୍ଧୁକ ଧରିଥିଲେ। ସେ ୟୁକ୍ରେନ୍ର ଟେରିଟୋରିଆଲ ଡିଫେନ୍ସ ୟୁନିଟ୍ରେ ସାମିଲ ହୋଇଥିଲେ। ନିଜ ଦେଶକୁ ରକ୍ଷା କରିବା ପାଇଁ ରୁଷ ସେନାକୁ ଜବାବ ପାଇଁ ବାହାରି ଥିଲେ ପାଶ ଲି। ଏହି ସମୟରେ ମାର୍ଚ୍ଚ ୬ ତାରିଖ ଦିନ ଇରପିନ୍ ଉପରେ ରୁଷର ବୋମା ବିସ୍ଫୋରଣ ହୋଇଥିଲା। ଏହି ଆକ୍ରମଣରେ ପାଶ ଲିଙ୍କ ମୃତ୍ୟୁ ହୋଇଥିବା ନେଇ ରବିବାର ଓଡେସା ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲରେ ସୂଚନା ଦିଆଯାଇଛି। ପାଶ ଲି ୟୁକ୍ରେନ୍ର ଜଣେ ଜଣାଶୁଣା ଅଭିନେତା ଥିଲେ। ସେ ଅଭିନୟ କରିବା ସହ ଡବିଂ, ସିଙ୍ଗର ଏବଂ କମ୍ପୋଜିଂରେ ସ୍ବତନ୍ତ୍ର ପରିଚୟ ହାସଲ କରିଥିଲେ। ସେ କୋଲେସୋ ଥିଏଟରରେ ମଧ୍ୟ ଭାଗ ନେଇସାରିଛନ୍ତି। ଏଥିସହ ସେ ଅନେକ ଫିଲ୍ମ ଏବଂ କମିର୍ସିଆଲରେ ମଧ୍ୟ ନଜର ଆସି ସାରିଛନ୍ତି।
ସୂଚନା ମୁତାବକ, ଏହି ୟୁକ୍ରେନ୍ ଅଭିନେତାଙ୍କ ଭଳି ଅନେକ ବଡ ବଡ କଳାକାର ଓ ସାଧାରଣ ନାଗରିକମାନେ ମଧ୍ୟ ୟୁକ୍ରେନ୍କୁ ରକ୍ଷା କରିବା ପାଇଁ ହାତରେ ଅସ୍ତ୍ର ଉଠାଇଛନ୍ତି। କେବଳ ପୁରୁଷମାନେ ହିଁ ନୁହେଁ ମହିଳାମାନେ ମଧ୍ୟ ନିଜ ଦେଶ ପାଇଁ ଯୁଦ୍ଧରେ ସାମିଲ ହୋଇଛନ୍ତି। ଗୋଟିଏ ପଟେ ହଜାର ହଜାର ସଂଖ୍ୟାରେ ଲୋକେ ଦେଶ ଛାଡି ପଳାୟନ କରୁଥିବା ବେଳେ ଅନ୍ୟପଟେ ୟୁକ୍ରେନ୍ ବଞ୍ଚାଇବା ପାଇଁ କିଛି ଲୋକେ ପୁଣି ଫେରୁଛନ୍ତି।