ଭୁବନେଶ୍ୱର(ଓଡ଼ିଶା ୱେୟାର): ନୟାଗଡ଼ ପରୀ ହତ୍ୟା ମାମଲାରେ ଆଜି ଦ୍ୱିତୀୟଦିନ ପାଇଁ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । କୃଷିମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବିରେ ବିରୋଧୀ ବିଜେପି ଓ କଂଗ୍ରେସ ସଦସ୍ୟମାନେ ହଟ୍ଟଗୋଳ କରିବାକୁ ଯୋଗୁ ଆଜି ବି ଗୃହ ଚାଲିପାରିନାହିଁ । ଅନ୍ୟପକ୍ଷରେ ବିରୋଧୀଙ୍କୁ ଶାନ୍ତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗୋଟିଚାଳନା ବି ଫେଲ୍ ମାରିଛି । ଆବଶ୍ୟକ ପଡ଼ିଲେ ପରୀ ହତ୍ୟା ମାମଲାର ଏସଆଇଟି ତଦନ୍ତ ପାଇଁ ସରକାର ରାଜି ଥିବା କଥା କହି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଗୃହର ଅଚଳାବସ୍ଥାକୁ ସ୍ୱାଭାବିକ କରିବା ନିମନ୍ତେ ପ୍ରୟାସ କରିଥିଲେ ମଧ୍ୟ ଏସଆଇଟି ତଦନ୍ତର ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇନଥିବା ଓ ମନ୍ତ୍ରୀଙ୍କ ବହିଷ୍କାର ନହେବା ପର୍ଯ୍ୟନ୍ତ ଗୃହରେ ଅଚଳାବସ୍ଥା ଜାରି ରହିବ ବୋଲି ବିରୋଧୀ ସ୍ପଷ୍ଟ କରିଛନ୍ତି ।
ଆଜି ସକାଳ ସାଢ଼େ ୧୦ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବାମାତ୍ରେ ପରୀ ମାମଲାରେ ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟମାନେ କୃଷିମନ୍ତ୍ରୀ ଶ୍ରୀ ସାହୁଙ୍କୁ ମନ୍ତ୍ରିପଦରୁ ବହିଷ୍କାର ଦାବି ସହ ଏସଆଇଟି କିମ୍ବା ସିବିଆଇ ତଦନ୍ତ ହେଉ ବୋଲି ଦାବି କରିଥିଲେ । ଯାହାକୁ ନେଇ ପ୍ରଥମାର୍ଦ୍ଧରେ ଗୃହକାର୍ଯ୍ୟ ବାରମ୍ବାର ବାଧାପ୍ରାପ୍ତ ହୋଇଥିଲା । ତେବେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ନବୀନ ନିବାସରୁ ଗୃହରେ ବିବୃତ୍ତି ରଖି କହିଥିଲେ ଯେ, “ଯଦି ଏସଆଇଟି ତଦନ୍ତ ଆବଶ୍ୟକ ପଡ଼େ ତା’ହେଲେ ସେ ଦିଗରେ ରାଜ୍ୟ ସରକାର ପଦକ୍ଷେପ ନେବେ ଓ ତାହା ତୁରନ୍ତ କରିବେ । ତାଙ୍କ ସରକା ସର୍ବର୍ଦା ଅବାଧ ଓ ନିରପେକ୍ଷ ତଦନ୍ତ ପାଇଁ ପ୍ରତିଶ୍ରୁତିବଦ୍ଧ ଏବଂ ସବୁବେଳେ ନ୍ୟାୟ ହେଉ ବୋଲି ଚାହିଁଥାଉ । ଘଟଣାକୁ ନେଇ ସେ ଗଭୀର ମର୍ମାହତ । ତାଙ୍କ ସରକାର ସର୍ବାଧିକ ଆଇନର ନିୟମ ସହ ରହିଥାଏ । ସେ ସମସ୍ତ ସଦସ୍ୟମାନଙ୍କୁ ସହଯୋଗ ଓ ଗୃହ କାର୍ଯ୍ୟରେ ସାମିଲ ନିମନ୍ତେ ଅନୁରୋଧ କରିଥିଲେ ।”
ମୁଖ୍ୟମନ୍ତ୍ରୀଙ୍କ ଏହି ବୟାନ ଓ ସର୍ବଦଳୀୟ ବୈଠକ ପରେ ମଧ୍ୟ ବିରୋଧୀ ସଦସ୍ୟମାନେ ମନ୍ତ୍ରୀଙ୍କ ଇସ୍ତଫା ଜିଦରେ ଅଟଳ ରହିଛନ୍ତି । ଅପରାହ୍ନରେ ଗୃହ କାର୍ଯ୍ୟ ଆରମ୍ଭ ହେବାମାତ୍ରେ ଅନୁରୂପ ଅଚଳାବସ୍ଥା ଦେଖାଦେବାରୁ ବାଚସ୍ପତି ଗୃହକୁ ଆସନ୍ତାକାଲି ସକାଳ ସାଢ଼େ ୧୦ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ।
ବିଜେପି ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି ଯେ, ପରୀ ହତ୍ୟା ଘଟଣାର ଏସଆଇଟି ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିନାହାନ୍ତି । ଆବଶ୍ୟକ ପଡ଼ିଲେ ଏସଆଇଟି ତଦନ୍ତ କରାଯିବ ବୋଲି କହିଛନ୍ତି । କିନ୍ତୁ ଆମେ ସିବିଆଇ ତଦନ୍ତ ଓ କୃଷିମନ୍ତ୍ରୀଙ୍କ ଇସ୍ତଫା ଚାହୁଁ । ଏଭଳି ଆଭିମୁଖ୍ୟ ଜାରି ରହିବ ।
ସେହିପରି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି ଯେ, କଂଗ୍ରେସ ପକ୍ଷରୁ ଏସଆଇଟି ତଦନ୍ତ ଦାବି କରାଯାଇଥିଲା । ମୁଖ୍ୟମନ୍ତ୍ରୀ ତାହା ଘୋଷଣା କରିଛନ୍ତି । ମାତ୍ର କୃଷିମନ୍ତ୍ରୀ ଇସ୍ତଫା ଦେବା ଆମର ଦାବି । ତାଙ୍କୁ ତୁରନ୍ତ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରନ୍ତି । କଂଗ୍ରେସ ତା’ର ଦାବି ହାସଲ ପର୍ଯ୍ୟନ୍ତ ବିରୋଧ ଜାରି ରଖିବ ୁ ବୋଲି ଶ୍ରୀ ବାହିନୀପତି କହିଛନ୍ତି ।
ସୂଚନାଯୋଗ୍ୟ ପରି ହତ୍ୟା ମାମଲାରେ ରାଜ୍ୟ ସରକାର ଗତକାଲି କ୍ରାଇମବ୍ରାଂଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ଓ ଆଜିଠୁ କ୍ରାଇମବ୍ରାଂଚ ତଦନ୍ତ ଆରମ୍ଭ କରିସାରିଛି । ମାତ୍ର ଏହାର ଏସଆଇଟି ତଦନ୍ତ ପାଇଁ ରାଜ୍ୟ ସରକାର ରାଜି ଥିଲେ ମଧ୍ୟ ତଦନ୍ତ କରିବା ନିମନ୍ତେ ନିର୍ଦ୍ଦେଶ ଦେଇନାହାନ୍ତି । ଏସଆଇଟି କାହା ନେତୃତ୍ୱରେ ହେବ, ତାହା ମଧ୍ୟ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିନାହାନ୍ତି । କୌଣସି ବରିଷ୍ଠ ପୁଲିସ ଅଧିକାରୀଙ୍କ ନେତୃତ୍ୱରେ ହେବ ନା କୌଣସି ବିଚାରପତିଙ୍କ ଅଧ୍ୟକ୍ଷତାରେ ଏହି ଏସଆଇଟି ଗଠନ ହେବ ତାହା ଜଣାପଡ଼ିନି । ଅବଶ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏସଆଇଟି ଗଠନ କରିବାକୁ ହେଲେ ସରକାରଙ୍କୁ ପ୍ରଥମେ ହାଇକୋର୍ଟଙ୍କ ଅନୁମତି ନେବାକୁ ପଡ଼ିବ । ଯାହା ଏପର୍ଯ୍ୟନ୍ତ ରାଜ୍ୟ ସରକାର କରିନଥିବା ଜଣାପଡ଼ିଛି । ତେଣୁ କେବଳ ଗୃହର ଅଚଳାବସ୍ଥା ଦୂର କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ‘ଏଆଇଟି’ ତଦନ୍ତର କାର୍ଡ ଖେଳିଥିବା ଚର୍ଚ୍ଚା ହେଉଛି ।
ଆଜିଠୁ ୩ଦିନିଆ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’
ଯୋଗଦେବେ ୨୦୦୦ ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଭୁବନେଶ୍ୱର(ଓଡ଼ିଶା ୱେୟାର): ଶିଶୁ ଦିବସ ଉପଲକ୍ଷେ ଆଜିଠୁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ...