ଭୁବନେଶ୍ୱର (ଓଡ଼ିଶା ୱେୟାର): ପୁରୀ ଏମାରମଠରୁ ଦେବୋତ୍ତର ବିଭାଗ ୪୫ ଖଣ୍ଡ ରୁପା ଇଟାକୁ ଉଦ୍ଧାର କରିଛି। ଏହି ରୁପା ଇଟା ଗୁଡିକ ମଠ ପରିସରରେ ଥିବା ଏକ ବନ୍ଦ କୋଠରୀର ମାଟିତଳୁ ଉଦ୍ଧାର କରାଯାଇଛି। ଦେବୋତ୍ତର ନୀରିକ୍ଷକ ନୂଆ ଟ୍ରଷ୍ଟବୋର୍ଡ ଓ ପୁଲିସ ଉପସ୍ଥିତିରେ ଗୁପ୍ତ କୋଠରୀର ଚଟାଣକୁ ଖୋଳାଯାଇ ଜରି ଅଖା ଭିତରେ ଥିବା ରୁପା ଇଟାକୁ ଉଦ୍ଧାର କରାଯାଇଛି। ୨୦୧୦ ମସିହାରେ ଏମାରମଠକୁ ଦେବୋତ୍ତର ବିଭାଗ ଦ୍ୱାରା ଇନଭେଣ୍ଟରି କରାଯାଇ ମଠର ସମସ୍ତ ଆସବାବପତ୍ରର ତାଲିକାଭୁକ୍ତ କରାଯାଇ ମଠରେ ରଖାଯାଇଥିଲା।
ଏହି ତାଲିକାରେ ୪୫ ଖଣ୍ଡ ରୁପା ଇଟା ମଧ୍ୟ ରହିଥିଲା। ମଠ ଅସୁରକ୍ଷିତ ଥିବାରୁ ମଠ ମହନ୍ତ ରାଜଗୋପାଲ୍ ରାମାନୁଜ ଦାସ୍ ଏହାକୁ ଏକ ଗୁପ୍ତ କୋଠରୀ ଭିତରେ ଚଟାଣ ତଳେ ପୋତି ରଖିଥିଲେ। ମଠ ମହନ୍ତଙ୍କ ସହଯୋଗରେ ଏହାକୁ ଖୋଳାଯାଇ ଉଦ୍ଧାର କରାଯାଇଛି। ପ୍ରତି ଇଟାର ଓଜନ ୩୦ କିଲୋରୁ ଅଧିକ ବୋଲି ଚର୍ଚ୍ଚା ହେଉଛି।


